ରାୟଗଡ଼ା ୯।୧୦: ରୋଚକ ମୋଡରେ ପହଞ୍ଚିଲା ରାୟଗଡ଼ା ପୌରାଧ୍ୟକ୍ଷା ଅନାସ୍ଥା ନିର୍ବାଚନ ମାମଲା । ଗୁରୁବାର ପୌରାଧ୍ୟକ୍ଷଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ଉପରେ ମତଦାନ ହୋଇଥିଲା । କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଫଳରେ ଫଳାଫଳ ଘୋଷଣାକୁ ସ୍ଥଗିତ ରଖାଯାଇଛି । ଫଳରେ ଭୋଟ୍ବାକ୍ସକୁ କଡା ସୁରକ୍ଷା ମଧ୍ୟରେ ରାୟଗଡା ଜିଲ୍ଲା କୋଷାଗାରରେ ସିଲ୍ ବକ୍ସ ଭିତରେ ରଖାଯାଇଛି ।
ଅନାସ୍ଥା ପ୍ରସ୍ତାବକୁ ନେଇ ଗତ ମାସରେ ପୌରାଧ୍ୟକ୍ଷା ଶୁଭ୍ରା ପଣ୍ଡା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଗୁରୁବାର ହାଇକୋର୍ଟ ମାମଲାର ଶୁଣାଣି କରି ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଫଳାଫଳ ଘୋଷଣା ନକରିବାକୁ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ରାୟଗଡା ପୌର ପରିଷଦ ଉପାଧ୍ୟକ୍ଷା କାଉନସିଲର୍ ମାନଙ୍କ କଥା ଶୁଣୁନଥିବା ବେଳେ ରାୟଗଡା ସହରର ବିକାଶରେ ଭାଗିଦାରୀ ହେଉନାହାନ୍ତି ବୋଲି ଅଭିଯୋଗ କରି ଗତ ମାସ ୧୨ ତାରିଖ ଦିନ ଭାସ୍କର ରାଓଙ୍କ ଗୋଷ୍ଠୀର ୧୯ ଜଣ ବିଦ୍ରୋହୀ ବିଜେଡି କାଉନସିଲର୍ ଅନାସ୍ଥା ଆଣିଥିଲେ । ପରବର୍ତ୍ତୀ ସମୟରେ ଅନାସ୍ଥା ଆଣିଥିବା କାଉନସିଲର୍ ମାନଙ୍କ ଦସ୍ତଖତ ଯାଞ୍ଚ ହୋଇଥିବା ବେଳେ ଅନାସ୍ଥା ଉପରେ ମତଦାନ ହୋଇଥିଲା । କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗଣତି ଓ ଫଳାଫଳ ଘୋଷଣାକୁ ସ୍ଥଗିତ ରଖାଯାଇଛି ।
ଅନ୍ୟପଟେ ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ବିରୋଧରେ ଭୋଟ୍ ଦେବା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ କାଉନସିଲର୍ ମାନଙ୍କୁ ହ୍ବିପ୍ ଜାରି କରିଥିବା ବେଳେ ଭାସ୍କର ରାଓ ଗୋଷ୍ଠୀର ସମସ୍ତ କାଉନସିଲର୍ ଅନାସ୍ଥା ସପକ୍ଷରେ ଭୋଟ୍ ଦେଉଛନ୍ତି ବୋଲି ଆଲୋଚନା ହେଉଛି । ମତଦାନ ବେଳେ ବିଜେଡି ପ୍ରତିନିଧି ଦାୟିତ୍ବରେ ଥିବା ଜଗନ୍ନାଥ ସାରକାଙ୍କୁ କେବଳ ଜଣେ ଶୁଭ୍ରା ପଣ୍ଡା ବାଲାଟ୍ ପେପର୍ ଦେଖାଇ ମତଦାନ କରିଥିବା ବେଳେ ବଳକା ୨୦ ଜଣ କାଉସିଲର୍ ବାଲାଟ୍ ନଦେଖାଇ ମତଦାନ କରିଥିଲେ । ତେବେ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ବିଜେଡି ନେତା ସୁଧୀର ଦାସ ଗୋଷ୍ଠୀର ଅନ୍ତରୀଣ ବିଜୟୀ ହୋଇଥିବା ବେଳେ ଭାସ୍କର ରାଓ ଗୋଷ୍ଠୀର ପଲ୍ଲା ଏବେ ବି ଭାରି ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।




