ନୂଆଦିଲ୍ଲୀ ୯।୧୦: ପର୍ତ୍ତୁଗାଲର ଷ୍ଟାର ଫୁଟବଲର କ୍ରିଷ୍ଟିୟାନୋ ରୋନାଲ୍ଡୋ ଇତିହାସ ରଚିଛନ୍ତି। ସେ ବିଶ୍ୱର ଏପରି ପ୍ରଥମ ଫୁଟବଲର ପାଲଟିଛନ୍ତି ଯାହାଙ୍କୁ ବିଲେନିୟରଙ୍କ ତାଲିକାରେ ସ୍ଥାନ ମିଳିଛି। ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ତାଙ୍କର ଏବେକା ସମ୍ପତ୍ତି ପରିମାଣ ୧.୪ ବିଲିୟନ ଡଲାରରୁ ବି ଅଧିକ। ଭାରତୀୟ ଟଙ୍କାରେ ଆକଳନ କଲେ ଏହା ମୋଟ ୧୨,୩୫୨କୋଟି ଟଙ୍କା ପାଖାପାଖି। ରୋନାଲ୍ଡୋ ୨୦୦୨ରୁ ୨୦୨୩ ମଧ୍ୟରେ ୫୫୦ ମିଲିୟନ ଡଲାରରୁ ମଧ୍ୟ ଅଧିକ ଆୟ କରିଛନ୍ତି।
୪୦ ବର୍ଷ ବୟଷ୍କ ଦିଗ୍ଗଜ ଏହି ବିପୁଳ ଧନରାଶି ମଞ୍ଚେଷ୍ଟର ୟୁନାଇଟେଡ, ରିୟଲ ମାଦ୍ରିଦ ଓ ଜୁଭେଣ୍ଟସ ଭଳି ବଡ଼ ୟୁରୋପୀୟ କ୍ଲବଙ୍କ ସହିତ ଖେଳିବା, ନିବେଶ ଓ ଏଣ୍ଡୋର୍ସମେଣ୍ଟରୁ ପ୍ରାପ୍ତ କରିଛନ୍ତି। ରୋନାଲ୍ଡୋଙ୍କ ଆୟର ସବୁଠୁ ବଡ଼ ମାଧ୍ୟମ ହେଉଛି ‘ନାଇକ୍’ ବ୍ରାଣ୍ଡ। ଏହି ଡିଲରୁ ସେ ପ୍ରତ୍ୟେକ ବର୍ଷ ୧୮ ମିଲିୟନ ଡଲାର ପ୍ରାପ୍ତ କରିଥାନ୍ତି। ନାଇକ୍ ବ୍ୟତୀତ ସେ ଅର୍ମାନୀ, ହର୍ବଲାଇଫ ଓ କ୍ଲିୟର ଭଳି ଅନ୍ୟ ଗ୍ଲୋବାଲ ବ୍ରାଣ୍ଡ ସହ ମଧ୍ୟ ସମ୍ପୃକ୍ତ ଅଛନ୍ତି।
ସୋସିଆଲ ମିଡିଆରେ ରୋନାଲ୍ଡୋଙ୍କ ସହ କେହି ସମକକ୍ଷ ମଧ୍ୟ ନାହାନ୍ତି। ଇଂଷ୍ଟାଗ୍ରାମରେ ତାଙ୍କ ଫଲୋଅରଙ୍କ ସଂଖ୍ୟା ସାରା ବିଶ୍ୱରେ ଅଧିକ। ଏଠାରେ ୬୬୫ ମଲିୟନରୁ ଅଧିକ ଲୋକେ ତାଙ୍କୁ ଫଲୋ କରନ୍ତି। ଏଥିରେ ସୋ ଗୋଟିଏ ପୋଷ୍ଟ କଲେ କୋଟିକୋଟି ଟଙ୍କା ଆୟ କରନ୍ତି। ୨୦୨୩ରେ ରୋନାଲ୍ଡୋ ସାଉଦୀଆରବ ଫୁଟବଲ କ୍ଲବ ଅଲ-ନାସର ସହିତ ରାଜିନାମା କରିଥିଲେ। ଏହା ତାଙ୍କ ଲାଗି ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।
ଏହି ଫୁଟବଲ କ୍ଲବରୁ ସେ ବାର୍ଷିକ ୨୦୦ମିଲିୟନ ଡଲାର (୧୭,୭୬୦କୋଟି ଟଙ୍କା) ପ୍ରାପ୍ତ କରିଥାନ୍ତି। କେବଳ ଏତିକି ନୁହେଁ ଅଲ ନାସର ସହ ରାଜିନାମା ସ୍ୱାକ୍ଷର କାଳରେ ରୋନାଲ୍ଡୋଙ୍କୁ ୩୦ ମିଲିନୟ ଡଲାରର ସାଇନିଂ ଏମାଉଣ୍ଟ ମଧ୍ୟ ଦେଇଥିଲା। ଫୁଟବଲର ଭାବେ ବିଲେନିୟରଙ୍କ ତାଲିକାରେ ସାମିଲ ହେବାରେ କ୍ରିଷ୍ଟିୟାନୋ ରୋନାଲ୍ଡୋ ନୂଆ କିର୍ତ୍ତିମାନ ସ୍ଥାପନା କରିଛନ୍ତି। କାରଣ ଏ ପର୍ଯ୍ୟନ୍ତ ଏହି ତାଲିକାରେ କେବଳ ଧନୀ ବ୍ୟବସାୟୀ ଓ ଅଭିନେତା, ଅଭିନେତ୍ରୀ ସାମିଲ ଥିଲେ।




