ଆଇପିଏସ ଅଧିକାରୀ ପୁରନ କୁମାର ଗତ ମଙ୍ଗଳବାର ଚଣ୍ଡୀଗଡର ସେକ୍ଟର ୧୧ ସ୍ଥିତ ତାଙ୍କ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିଲେ। ପୋଲିସ ତାଙ୍କ ଘରୁ ନଅ ପୃଷ୍ଠାର ଏକ ସୁଇସାଇଡ ନୋଟ୍ ଜବତ କରିଛି। ପ୍ରଥମ ଆଠ ପୃଷ୍ଠାରେ ସେ ବର୍ଷ ବର୍ଷ ଧରି ନିର୍ଯାତନା, ଜାତିଗତ ଭେଦଭାବ ଏବଂ ଅପମାନର ବର୍ଣ୍ଣନା କରିଥିଲେ।
/odishatv-khabar/media/media_files/2025/10/09/police-ig-2025-10-09-15-07-38.jpg)
Police IG Photograph: (OTV)
ହରିୟାଣା କ୍ୟାଡରର ଜଣେ ବରିଷ୍ଠ ଆଇପିଏସ ଅଧିକାରୀ ୱାଇ.ପୁରନ କୁମାର ତାଙ୍କ ଆତ୍ମହତ୍ୟା ନୋଟରେ ଅନେକ ଆଇପିଏସ ଏବଂ ଆଇଏଏସ ଅଧିକାରୀଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ନଅ ପୃଷ୍ଠାର ଏହି ଆତ୍ମହତ୍ୟା ନୋଟରେ ସେ ୧୫ ଜଣ ଅଧିକାରୀଙ୍କ ନାମ ଉଲ୍ଲେଖ କରିଥିଲେ, ଯେଉଁମାନଙ୍କ ମଧ୍ୟରୁ କେତେକ ଏବେ ବି ଚାକିରିରେ ଅଛନ୍ତି ଏବଂ କେତେକ ଅବସର ନେଇସାରିଲେଣି । ନୋଟରେ ସେ ଅଭିଯୋଗ କରିଥିଲେ ଯେ ତାଙ୍କୁ ଲଗାତର ଜାତିଗତ ଭେଦଭାବ, ସାର୍ବଜନୀନ ଅପମାନ ଏବଂ ଜାଣିଶୁଣି ମାନସିକ ନିର୍ଯାତନାର ସମ୍ମୁଖୀନ ହେବାକୁ ପଡ଼ିଥିଲା।
ବାସଭବନରେ ଆତ୍ମହତ୍ୟା
ପୋଲିସ ଆଇଜି ପୁରନ କୁମାର ଚଣ୍ଡିଗଡ଼ର ସେକ୍ଟର ୧୧ ସ୍ଥିତ ତାଙ୍କ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିଲେ। ପୋଲିସ ତାଙ୍କ ଘରୁ ଏକ ସୁଇସାଇଡ ନୋଟ୍ ଜବତ କରିଛି। ସୁଇସାଇଡ ନୋଟର ପ୍ରଥମ ଆଠ ପୃଷ୍ଠାରେ ସେ ବର୍ଷ ବର୍ଷ ଧରି ନିର୍ଯାତନା, ଜାତିଗତ ଭେଦଭାବ ଏବଂ ଅପମାନର ସମ୍ମୁଖୀନ ହୋଇଥିବା କଥା ବର୍ଣ୍ଣନା କରିଛନ୍ତି। ଶେଷ ପୃଷ୍ଠାରେ ସେ ଏକ ଇଚ୍ଛାପତ୍ର ଲେଖି ତାଙ୍କର ସମସ୍ତ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ତାଙ୍କ ପତ୍ନୀ ତଥା IAS ଅଧିକାରୀ ଅମନୀତ ପି. କୁମାରଙ୍କୁ ଦାନ କରିଛନ୍ତି।
ତାଙ୍କ ପତ୍ନୀ ଅମନୀତ ବର୍ତ୍ତମାନ ହରିୟାଣା ସରକାରଙ୍କ ଅଧୀନରେ କମିଶନର ତଥା ସଚିବ ଅଛନ୍ତି। ଘଟଣା ସମୟରେ ସେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନିଙ୍କ ସହିତ ଜାପାନ ଗସ୍ତରେ ଥିଲେ। ପୁରନ କୁମାର ତାଙ୍କ ନୋଟରେ ଯେଉଁ ଅଧିକାରୀମାନଙ୍କ ନାମ ଉଲ୍ଲେଖ କରିଛନ୍ତି ସେମାନଙ୍କ ମଧ୍ୟରେ ମୁଖ୍ୟ ସଚିବ ଅନୁରାଗ ରସ୍ତୋଗୀ, ଡିଜିପି ଶତ୍ରୁଜିତ କପୁର, ପୂର୍ବତନ ମୁଖ୍ୟ ସଚିବ ଟି.ଭି.ଏସ.ଏନ. ପ୍ରସାଦ, ପୂର୍ବତନ ଏସିଏସ୍ (ଗୃହ) ରାଜୀବ ଆରୋରା, ପୂର୍ବତନ ଡିଜିପି ମନୋଜ ଯାଦବ ଏବଂ ପି.କେ. ଅଗ୍ରୱାଲ ଅନ୍ତର୍ଭୁକ୍ତ।
ନଅ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ନାମ ମଧ୍ୟ ରହିଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଅମିତାଭ ଢିଲୋନ୍, ସନ୍ଦୀପ ଖିରୱାର, ସଞ୍ଜୟ କୁମାର, କାଲା ରାମଚନ୍ଦ୍ରନ୍, ମାତା ରବି କିରଣ, ଶିବ କବିରାଜ, ପଙ୍କଜ ନୈନ୍, କୁଲବିନ୍ଦର ସିଂହ ଏବଂ ରୋହତକ ପୋଲିସ ଅଧିକ୍ଷକ ନରେନ୍ଦ୍ର ବିଜାର୍ନିଆ।
ଡିଜିପି ଏବଂ ରୋହତକ ଏସପିଙ୍କ ବିରୋଧରେ ଅଭିଯୋଗ
ତାଙ୍କ ଆତ୍ମହତ୍ୟା ନୋଟର ଶେଷ ଅନୁଚ୍ଛେଦରେ ପୁରନ କୁମାର ସିଧାସଳଖ ହରିୟାଣା ଡିଜିପି ଶତ୍ରୁଘ୍ନ କପୁର ଏବଂ ପୋଲିସ ଅଧିକ୍ଷକ ନରେନ୍ଦ୍ର ବିଜାର୍ନିଆଙ୍କ ନାମ ଉଲ୍ଲେଖ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଡିଜିପି ତାଙ୍କ ପ୍ରତିଷ୍ଠାକୁ ନଷ୍ଟ କରିବା ପାଇଁ ତାଙ୍କୁ ମିଥ୍ୟା ମାମଲାରେ ଫସାଇଛନ୍ତି ଏବଂ ବିଜାର୍ନିଆକୁ ଢାଲ ଭାବରେ ବ୍ୟବହାର କରୁଛନ୍ତି। ସେ ଆହୁରି ଲେଖିଛନ୍ତି,
ବିଜାର୍ନିଆଙ୍କ ବିରୁଦ୍ଧରେ ମୋର ଅଭିଯୋଗକୁ ଅଣଦେଖା କରାଯାଇଥିଲା। ଜାତିଭିତ୍ତିକ ନିର୍ଯାତନା, ମାନସିକ ଯନ୍ତ୍ରଣା ଏବଂ ନିର୍ଯାତନା ମୁଁ ଆଉ ସହ୍ୟ କରିପାରିବି ନାହିଁ। ତେଣୁ, ମୁଁ ଏସବୁର ଅନ୍ତ କରିବାକୁ ନିଷ୍ପତ୍ତି ନେଇଛି। ଯେପରି ମୁଁ ଏହି ନୋଟରେ ଲେଖିଛି, ଉପରୋକ୍ତ IAS ଏବଂ IPS ଅଧିକାରୀମାନେ ନିର୍ଯାତନାର ସମସ୍ତ ସୀମା ଅତିକ୍ରମ କରିଛନ୍ତି, ଏବଂ ମୋର ଆଉ ଏହାକୁ ସହ୍ୟ କରିବାର ଶକ୍ତି ନାହିଁ। ମୋର ଶେଷ ପଦକ୍ଷେପ ପାଇଁ ମୁଁ ସେମାନଙ୍କୁ ଦାୟୀ କରୁଛି।
ସେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ବାରମ୍ବାର ଏପରି ପଦବୀରେ ନିଯୁକ୍ତି ଦିଆଯାଉଥିଲା ଯାହାର କୌଣସି ଅସ୍ତିତ୍ୱ ନଥିଲା, ତାଙ୍କ ଆବେଦନଗୁଡ଼ିକୁ ଅଣଦେଖା କରାଯାଇଥିଲା । ତାଙ୍କୁ ସର୍ବସାଧାରଣରେ ଅପମାନିତ କରାଯାଇଥିଲା ଏବଂ ମିଥ୍ୟା ମାମଲା ମାଧ୍ୟମରେ ତାଙ୍କୁ ହଇରାଣ କରାଯାଇଥିଲା। କୁମାର ଲେଖିଛନ୍ତି ଯେ ଏହି ସମସ୍ତ କାର୍ଯ୍ୟ ତାଙ୍କୁ ଏହି ଚରମ ପଦକ୍ଷେପ ନେବାକୁ ବାଧ୍ୟ କରିଥିଲା। ନୋଟରେ ସେ ଅଭିଯୋଗ କରିଛନ୍ତି ଯେ ଏକ ମନ୍ଦିର ଦର୍ଶନ କରିବା ପାଇଁ ମଧ୍ୟ ତାଙ୍କୁ ହଇରାଣ କରାଯାଇଥିଲା।
ସେ ଏହା ମଧ୍ୟ କହିଛନ୍ତି ଯେ ମୃତ୍ୟୁମୁଖରେ ପଡିଥିବା ତାଙ୍କ ପିତାଙ୍କୁ ଦେଖା କରିବା ପାଇଁ ତାଙ୍କୁ ଛୁଟି ମନା କରାଯାଇଥିଲା। ସେ ଏହାକୁ ଏକ ଅପୂରଣୀୟ କ୍ଷତି ବୋଲି ବର୍ଣ୍ଣନା କରିଛନ୍ତି। ସେ ଲେଖିଛନ୍ତି ଯେ ତାଙ୍କର ବାରମ୍ବାର ଅଭିଯୋଗକୁ ଅଣଦେଖା କରାଯାଇଥିଲା, ଯାହା ଫଳରେ ଜାତିଆଣ ହଇରାଣର ଏକ ଧାରା ସୃଷ୍ଟି ହୋଇଥିଲା।
ପତ୍ନୀ ପୋଲିସରେ ଅଭିଯୋଗ କଲେ
ଏହି ସମୟରେ ୱାଇ. ପୁରନ କୁମାରଙ୍କ ପତ୍ନୀ ଅମନୀତ ଜାପାନରୁ ଫେରିବା ପରେ ବୁଧବାର ହରିୟାଣା ଡିଜିପି ଶତ୍ରୁଜିତ ସିଂହ କପୁର ଏବଂ ରୋହତକ ଏସପି ନରେନ୍ଦ୍ର ବିଜାର୍ନିଆଙ୍କ ବିରୁଦ୍ଧରେ ପୋଲିସ ନିକଟରେ ଅଭିଯୋଗ ଦାଖଲ କରିଛନ୍ତି । ଆତ୍ମହତ୍ୟା ପାଇଁ ଦାୟୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗର୍ହଣ କରିବା ପାଇଁ ସେ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ କଥା ହୋଇଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ BNS 2023 ର ଧାରା 108 ଏବଂ SC/ST (ଅତ୍ୟାଚାର ନିବାରଣ) ଆଇନ ଅନୁଯାୟୀ ଏଫଆଇଆର ରୁଜୁ କରିବାକୁ ସେ ଦାବି କରିଛନ୍ତି ।




