ଖଲ୍ଲିକୋଟ ୯।୧୦: ଋଣ କରଜ କରି କରିଥିଲେ କୁକୁଡ଼ା ଫାର୍ମ । ଦୀର୍ଘ ୩ ବର୍ଷ ହେଲା ସେହି ଫାର୍ମରେ କୁକୁଡ଼ା ପାଳନ କରୁଥିଲେ । କିନ୍ତୁ ସବୁ ସାରିଦେଲା ଅଜଣା ଜନ୍ତୁ । ମାରି ଖାଇଗଲା ବଡ଼ କୁକୁଡ଼ା ସହ କୁକୁଡ଼ା ଚିଆଁ । ଅଧା ଅଧା ଖାଇଦେଇଛି, ଅଧା ଅଧାପଡିଛି ଫାର୍ମ ଭିତରେ । ବୁଧବାର ବିଳମ୍ବିତ ରାତିରେ ଏଭଳି ଘଟିଥିବା ବେଳେ ଗୁରୁବାର ସକାଳୁ ଫାର୍ମ ମାଲିକ ଏହା ଦେଖିବାକୁ ପାଇଥିଲେ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏବେ କ’ଣ କରିବେ ଫାର୍ମ ମାଲିକ, କେମିତି ଋଣ ସୁଝିବେ ତାକୁ ନେଇ ଚିନ୍ତା ପଡ଼ିଛନ୍ତି । ପୁରା ପରିବାର ମଧୟ ଚିନ୍ତାରେ ଅଛନ୍ତି ।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ କମଳାପଦର ଗ୍ରାମର ଜିତୁ ବାରିକ ନାମକ ଜଣେ କୁକୁଡ଼ା ଚାଷୀ ଋଣ କରଜ କରି ୩ ବର୍ଷ ପୂର୍ବେ ଏକ ଦେଶୀ କୁକୁଡ଼ା ଫାର୍ମ କରିଥିଲେ । ସେହି ଫାର୍ମରୁ ଯାହା ରୋଜଗାର ହୁଏ ସିଏ ସେଥିରୁ ଋଣ କିସ୍ତି ଦେବା ସହ ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ବୁଧବାର ବିଳମ୍ବିତ ରାତିରେ ଫାର୍ମରେ ପଶିଲା ଅଜଣା ଜନ୍ତୁ । ଫାର୍ମରେ ପଶିବା ସହ ଅଜଣା ଜନ୍ତୁଟି ବଡ଼ କୁକୁଡ଼ା ଏବଂ କୁକୁଡ଼ା ଚିଆଁକୁ ମାରି ପକାଇଛି । ଫାର୍ମରେ ଥିବା ପ୍ରାୟ ୨୦୦ରୁ ଅଧିକ ଦେଶୀ କୁକୁଡ଼ା ଏବଂ କୁକୁଡ଼ା ଚିଆଁକୁ ମାରି ଖାଇ ଦେଇଥିବା ଫାର୍ମ ମାଲିକଦେଖିବାକୁ ପାଇଥିଲେ । ଗୁରୁବାର ସକାଳେ ଏହା ଦେଖି ଫାର୍ମ ମାଲିକଙ୍କ ଚିନ୍ତା ବଢ଼ିଯାଇଛି । ଏହା ଫଳରେ କୁକୁଡ଼ା ଚାଷୀ ଜିତୁଙ୍କର ପ୍ରାୟ ଦୁଇ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ସେ କହିଛନ୍ତି । କେମିତି ଋଣ, କରଜ ସୁଝିବେ ? ଏହାକୁ ନେଇ କୁକୁଡ଼ା ଚାଷୀ ଜିତୁ ଏବଂ ତାଙ୍କ ପରିବାର ଲୋକ ମଧ୍ୟ ଏବେ ଚିନ୍ତାରେ ଅଛନ୍ତି ।
ଜିତୁ ଦୀର୍ଘ ୫ ବର୍ଷ ହେଲା ଦେଶୀ କୁକୁଡ଼ା ଚାଷ କରୁଥିବା ବେଳେ ଚଳିତ ବର୍ଷ ମଧ୍ୟ କୁକୁଡ଼ା ସହ କୁକୁଡ଼ା ଚିଆଁ ପାଳନ କରିଥିଲେ । କିନ୍ତୁ ଫାର୍ମର ବାଡ଼ କାଟି ଫାର୍ମରେ ଥିବା ସମସ୍ତ କୁକୁଡ଼ାକୁ ଅଧା ଅଧା କରି ଖାଇଛି ଅଜଣା ଜନ୍ତୁ । ଯାହା ଫଳରେ ଫାର୍ମ ଓ ଫାର୍ମ ବାହାରେ ମଲା କୁକୁଡ଼ା ବିଛେଇ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି ।




