ଭୁବନେଶ୍ୱର ୦୯/୧୦: ଆଗକୁ ଧନ୍ତେରସ୍ ଥିବାବେଳେ ସୁନା ଏବଂ ରୁପା ଦର କ୍ଷୀପ୍ର ବେଗରେ ବଢ଼ିଚାଲିଛି । ପ୍ରତିଦିନ ଉଭୟ ଧାତୁ ଦରରେ ବୃଦ୍ଧି ଅବ୍ୟାହତ ରହିଛି । ଗତ ୩ ଦିନରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ବଢ଼ିଲାଣି ୪,୫୦୦ ଟଙ୍କା । ଆଜି ପୁନଃ ନୂଆ ରେକର୍ଡ ସ୍ତରରେ ପହଞ୍ଚିଯାଇଛି ଉଭୟ ଧାତୁ ଦର । ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ ଏବଂ ୨୨ କ୍ୟାରେଟ୍ ସୁନା ଦର ଯଥାକ୍ରମେ ୧୯୧୦ ଟଙ୍କା ଏବଂ ୧୭୫୦ ଟଙ୍କା ବଢ଼ିଛି ।
ଉଭୟ ଯଥାକ୍ରମେ ୧,୨୩,୯୩୦ ଟଙ୍କା ଏବଂ ୧,୧୩,୬୦୦ ଟଙ୍କା ସ୍ତରରେ ପହଞ୍ଚିଛି । ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ୨୯୦୦ ଟଙ୍କା ମହଙ୍ଗା ହୋଇ ୧,୭୦,୦୦୦ ଟଙ୍କା ହୋଇଛି । ଏ ବର୍ଷ ଏଯାବତ୍ ସୁନା ପ୍ରାୟ ୪୬,୦୦୦ ଟଙ୍କା ଏବଂ ରୁପା ୬୭,୦୦୦ ଟଙ୍କା ମହଙ୍ଗା ହୋଇଛି । ଗୋଲ୍ଡମ୍ୟାନ୍ ସାକ୍ସର ସଦ୍ୟ ରିପୋର୍ଟ ଅନୁସାରେ, ଆସନ୍ତା ବର୍ଷ ସୁଦ୍ଧା ୧୦ ଗ୍ରାମ ପିଛା ସୁନା ଦର ୧,୫୫,୦୦୦ ଟଙ୍କା ହୋଇପାରେ । ସୁନା ଦର ବଢ଼ିବାର ଅନେକ ପ୍ରମୁଖ କାରଣ ରହିଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନୀତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି । ଏଭଳି ସ୍ଥିତିରେ ବାଣିଜ୍ୟ ଯୁଦ୍ଧ ଡରରେ ନିବେଶକ ସୁନାକୁ ସୁରକ୍ଷିତ ମଣି ଏଥିରେ ଅଧିକ ନିବେଶ କରୁଛନ୍ତି । ଏହା ଦରକୁ ତେଜୁଛି । ସେହିଭଳି ବିଭିନ୍ନ ଦେଶ ବିଶେଷ କରି ରୁଷ ଏବଂ ଚୀନ୍ ଭଳି ରାଷ୍ଟ୍ରଗୁଡ଼ିକର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ପ୍ରଚୁର ମାତ୍ରାରେ ସୁନା କିଣୁଛନ୍ତି । କୌଣସି ପ୍ରକାର ଆପାତ କାଳ ପାଇଁ ଏମାନେ ସୁନା କିଣି ନିଜକୁ ପ୍ରସ୍ତୁତ ରଖୁଛନ୍ତି । ଏହାଦ୍ୱାରା ମଧ୍ୟ ହଳଦିଆ ଧାତୁର ଚାହିଦା ବୃଦ୍ଧି ପାଇଛି । ଏହା ଦରକୁ ତେଜିଚାଲିଛି ।
ସେହିଭଳି ରୁଷ-ୟୁକ୍ରେନ୍ ଯୁଦ୍ଧ ଶେଷ ନ ହେବା କାରଣରୁ ଦେଖାଦେଇଥିବା ଅସ୍ଥିରତାରୁ ଲୋକେ ସୁନାରେ ନିବେଶ ବଢ଼ାଉଛନ୍ତି । ମୁଦ୍ରାସ୍ଫୀତି ଡର ଏବଂ ଫେଡେରାଲ ରିଜର୍ଭର କମ୍ ସୁଧ ହାର ଯୋଗୁ ସୁନା ନିବେଶର ଆକର୍ଷକ ମାଧ୍ୟମ ପାଲଟିଛି । ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁ ମଧ୍ୟ ସୁନା ମହଙ୍ଗା ହେଉଛି । ବିଶେଷଜ୍ଞମାନଙ୍କ କହିବାନୁସାରେ, ଆମେରିକା ଟାରିଫ୍ ମଧ୍ୟରେ ଭୁରାଜନୈତିକ ସମସ୍ୟା ଜାରି ରହିଛି । ଏହା ଦ୍ୱାରା ସୁନା ଚାହିଦା ବୃଦ୍ଧି ପାଇଛି, ଯାହାକି ଦରକୁ ବଢ଼ାଉଛି ।




