ଭୁବନେଶ୍ବର ୨୭।୯: ଆସୁଛି ଆଉ ଏକ ଲଘୁଚାପ । ପ୍ରଭାବରେ ୧ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଦେଲା ପାଣିପାଗ ବିଭାଗ । ୩୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହା ପ୍ରଭାବରେ ୧ ଅକ୍ଟୋବର ପାଖାପାଖି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଉତ୍ତର ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଏପଟେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସକ୍ରିୟ ରହିଛି । ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ । ଲଘୁଚାପ ପ୍ରଭାବରେ ଆହୁରି ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ଆଗାମୀ ୨୪ ଘଣ୍ଟାରେ ସାରା ଓଡ଼ିଶାରେ ବିଜୁଳି ଘଡଘଡ଼ି ସହ ବର୍ଷାକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଥିବା ବେଳେ ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ମୟୁରଭଞ୍ଜ କେନ୍ଦୁଝର ବରଗଡ଼ ବଲାଙ୍ଗିର ନୂଆପଡା, ନବରଙ୍ଗପୁର ଓ ମାଲକାନଗିରି ଏହି ୧୦ ଜିଲ୍ଲାରେ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ସେହିପରି ରବିବାର ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ ଉପକୂଳ ଓଡ଼ିଶାର ଗଂଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଏହି ୧୧ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବର୍ଷା ସମୟରେ ୩୦ରୁ ୪୦ କି.ମି. ପବନ ବହିବାର ସମ୍ଭାବନା ରହିଛି । ଆସନ୍ତା ୨ ଦିନ ଯାଏଁ ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣର କିଛି କିଛି ସ୍ଥାନରେ ବର୍ଷା ସହ କୌଣସି ଓ୍ବାର୍ଣ୍ଣିଂ ନଥିବା ବେଳେ ଲଘୁଚାପ ପ୍ରଭାବରେ ପୁଣି ୧ରୁ ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ବିଭାଗ ।
ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ବେଳେ ୨୪ଟି ଷ୍ଟେସନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ବଲାଙ୍ଗିର ସାଲେଭତାରେ ସର୍ବାଧିକ ୧୨୩.୨ ବର୍ଷା ରେକର୍ଡ ହୋଇଛି ।




