ଟାଙ୍ଗୀ ୨୭।୯: ଖୋର୍ଦ୍ଧା ଜିଲ୍ଲା ୧୬ନଂ ଜାତୀୟ ରାଜପଥର ବାଣପୁର ଓଭରବ୍ରିଜ୍ ନିକଟରେ ୩ଟି ବସ୍ ମଧ୍ୟରେ ସିରିଜ୍ ଦୁର୍ଘଟଣା ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଅନ୍ୟ ଆହତ ଯାତ୍ରୀ ମାନେ ବାଲୁଗାଁ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ସୂଚନାଯୋଗ୍ୟ ଯେ, ରାସ୍ତା ଉପରେ ଶୋଇଥିବା ଗୋରୁ-ଗାଈଙ୍କୁ ବଞ୍ଚେଇବା ପାଇଁ ଶିମିଳିଗୁଡାରୁ ଭୁବନେଶ୍ୱର ଯାଉଥିବା ବସ୍ଟି ଅଟକି ଯାଇଥିବା ବେଳେ ପଛରୁ ଆସୁଥିବା ଏକ ବାଇକ୍କୁ ଅନ୍ୟ ଏକ ବସ୍ ଧକ୍କା ଦେଇଥିଲା । ତା ପଛକୁ ବିଶାଖାପାଟଣାରୁ କୋଲକାତା ଯାଉଥିବା ବସ୍ଟି ତା’ ପଛକୁ ଧକ୍କା ଦେଇଥିଲା । ଫଳରେ ବାଇକ୍ରେ ବସିଥିବା ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନିମିକ୍ଷେତା ଗ୍ରାମର ଶୁଭମ୍ ଜ୍ୟୋତି ପ୍ରହରାଜଙ୍କର ଦୁର୍ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ବାଇକ୍ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ୨ ଜଣ ଯାତ୍ରୀ ଓ ସହକାରୀ ଡ୍ରାଇଭର ଓ ହେଲପର ଆହତ ହୋଇ ବାଲୁଗାଁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା ଘଟିଥିବା ୩ଟି ବସ୍ର ଡ୍ରାଇଭର ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ବାଣପୁର ପୋଲିସ ପହଞ୍ଚି ତଦନ୍ତ କରୁଛି । ମୃତକ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ କରିଛନ୍ତି ।




