ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଦେଇଥିବା ବୟାନ ପାଇଁ ସୂର୍ଯ୍ୟ କୁମାର ଯାଦବଙ୍କୁ ଆଇସିସିର ଫାଇନ: ଆପତ୍ତି କଲା ବିସିସିଆଇ

ପାକିସ୍ତାନ-ବିପକ୍ଷ-ମ୍ୟାଚ୍‌ରେ-ଦେଇଥିବା-ବୟାନ-ପାଇଁ-ସୂର୍ଯ୍ୟ-କୁମାର-ଯାଦବଙ୍କୁ-ଆଇସିସିର-ଫାଇନ:-ଆପତ୍ତି-କଲା-ବିସିସିଆଇ

ନୂଆଦିଲ୍ଲୀ: ପାକିସ୍ତାନ ମ୍ୟାଚ୍‌ରେ ଦେଇଥିବା ବୟାନ ପାଇଁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଫାଇନ କଲା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ। ସେପ୍ଟେମ୍ବର ୧୪ ତାରିଖରେ ଭାରତ-ପାକିସ୍ତାନ ଏସିଆ କପ ଫାଇଟ୍‌ରେ ସୂର୍ଯ୍ୟକୁମାର ଯାଦବ ମ୍ୟାଚ୍‌ର ବିଜୟକୁ ପହଲଗାମ ପୀଡ଼ିତ ଓ ସେନା ପାଇଁ ଉତ୍ସର୍ଗ କରିଥିଲେ। ଯାହା  ପାଇଁ ଶୁକ୍ରବାର ଆଇସିସି ତାଙ୍କୁ ଫାଇନ କରିଛି।   

ସେପ୍ଟେମ୍ବର ୧୪ ତାରିଖରେ ଦୁବାଇ ମଇଦାନରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୭ ୱିକେଟରେ ବିଜୟୀ ହୋଇଥିଲା। ମ୍ୟାଚ୍ ଶେଷ ପରେ ତାଙ୍କୁ ମ୍ୟାଚ୍‌ର ପ୍ରଦର୍ଶନ ବିଷୟରେ ପଚରାଯିବାରୁ ସେ ଏହି ବିଜୟକୁ ପହଲଗାମ ପୀଡ଼ିତ ଓ ସେନାକୁ ଉତ୍ସର୍ଗ କରୁଛି ବୋଲି କହିଥିଲେ। ଯାହାକୁ ନେଇ ପାକିସ୍ତାନ ଆଇସିସି ପାଖରେ ଫେରାଦ ହୋଇଥିଲା। ଫଳରେ ସୂର୍ଯ୍ୟଙ୍କୁ ଫାଇନ କରାଯାଇଛି। ତାଙ୍କ ମ୍ୟାଚ୍‌ ଫିର ୩୦ ପ୍ରତିଶତ କଟାଯିବାକୁ ଆଇସିସି ନିର୍ଦ୍ଦେଶ ଦେଇଛି।

ଅନ୍ୟପଟେ କ୍ୟାପ୍ଟେନ୍‌କୁ ଫାଇନ କରାଯାଇଥିବାରୁ ଏହା ବିରୋଧରେ ଅଭିଯୋଗ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ। ଏନେଇ ଇଣ୍ଡିଆ ଟୁଡେ ରିପୋର୍ଟ ପ୍ରକାଶ କରିଛି। ଗୁରୁବାର, ସେପ୍ଟେମ୍ବର ୨୫ ତାରିଖରେ ଏକ ଆନୁଷ୍ଠାନିକ ଶୁଣାଣି ସମୟରେ ମ୍ୟାଚ୍ ରେଫରି ରିଚି ରିଚାର୍ଡସନ ସୂର୍ଯ୍ୟକୁମାର ଯାଦବଙ୍କ ନିର୍ଦ୍ଦୋଷ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହାପରେ ଆଇସିସି ଏହି ଜରିମାନା ଲଗାଇଛି।

ସୂଚନା ଥାଉକି ବିସିସିଆଇ ମଧ୍ୟ ପାକିସ୍ତାନ ହରିଶ ରୌଫ ଓ ଶାହିବଜାଦା ଫରହାନଙ୍କର ଅସୌଜନ୍ୟ ଇଙ୍ଗିତ ପାଇଁ ଆଇସିସି ପାଖରେ ଫେରାଦ ହୋଇଥିଲା। ଏଥିରେ ପାକିସ୍ତାନର ଦ୍ରୁତ ବୋଲର ହାରିସ ରୌଫର ମଧ୍ୟ ମ୍ୟାଚ୍‌ ଫିରେ ୩୦ ପ୍ରତିଶତ ଜରିମାନା କରାଯାଇଛି। ସେପଟେ ଓପନର ସାହିବଜାଦା ଫରହାନଙ୍କୁ ଉତ୍ତେଜକ ଇଙ୍ଗିତ ପାଇଁ ବିଚାରକ ମଣ୍ଡଳୀ ସମ୍ମୁଖରେ ଭର୍ତ୍ସନା କରାଯାଇଛି। ରବିବାର, ସେପ୍ଟେମ୍ବର ୨୧ ତାରିଖରେ ପାକିସ୍ତାନ ବିପକ୍ଷରେ ଭାରତର ସୁପର ୪ ବିଜୟ ସମୟରେ ବିସିସିଆଇ ଉଭୟ ଖେଳାଳିଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରିଥିଲା। ଏହାପରେ ଉଭୟ ପାକ୍ ଖେଳାଳିଙ୍କୁ ଶୁଣାଣିର ସମ୍ମୁଖୀନ ହେବାକୁ ପଡ଼ିଥିଲା।

Scroll to Top