ନୂଆଦିଲ୍ଲୀ: ଲାଗୁ ହୋଇଛି ଜିଏସଟି ୨.୦। ନୂଆ ଜିଏସଟି ସଂସ୍କାରରେ ଦୈନନ୍ଦିନ ସାମଗ୍ରୀ ଠାରୁ ଆରମ୍ଭ କରି କାର୍- ବାଇକ୍ ସବୁର ମୂଲ୍ୟ କମିଛି। ଖାଲି ସେତିକି ନୁହେଁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀରେ ମଧ୍ୟ ବେଶ୍ ହ୍ରାସ ହୋଇଛି। ସୋନୀ, ଏଲଜି ଏବଂ ପାନାସୋନିକ୍ ଭଳି ବଡ଼ ବଡ଼ ଇଲେକ୍ଟ୍ରୋନିକ୍ସ କମ୍ପାନିମାନେ ଉତ୍ପାଦର ମୂଲ୍ୟରେ ବଡ଼ ଆକାରରେ ହ୍ରାସ କରିଛନ୍ତି। ଏମିତିରେ ପାର୍ବଣ ଋତୁ ଚାଲୁଥିବା ଏବଂ ଆଗକୁ ପୂଜା ଅବସର ଥିବାରୁ ଏହାକୁ ବେଶ୍ ଲାଭକାରୀ ହେବା ନେଇ ଅନୁମାନ କରାଯାଉଛି।
ସୂଚନାଥାଉକି, ଜିଏସଟି କାଉନସିଲ୍ ୩୨ ଇଞ୍ଚ୍ ଏବଂ ତା’ଠାରୁ ଅଧିକ ବଡ଼ ଟିଭି ଉପରେ ଜିଏସଟିକୁ ୨୮%ରୁ ୧୮%କୁ ଖସାଇଛନ୍ତି। ଏହାଦ୍ବାରା ଉଭୟ କମ୍ପାନି ଏବଂ ଗ୍ରାହକଙ୍କୁ ଫାଇଦା ମିଳିବ। ରିପୋର୍ଟ ଅନୁସାରେ, ଇଲେକ୍ଟ୍ରୋନିକ୍ସ ସେକ୍ଟର ଆର୍ଥିକ ବର୍ଷ ଆରମ୍ଭରୁ ମନ୍ଥର ଥିବାବେଳେ ଜିଏସଟି ୨.୦ ଯୋଗୁ ବିକ୍ରି ବଢ଼ିବ। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ମ୍ୟାନୁଫ୍ୟାକଚର୍ସମାନଙ୍କ ମତରେ ଦାମ୍ରେ ହ୍ରାସ କେବଳ ସେଲ୍ ବଢ଼ାଇବ ତାହା ନୁହେଁ ବରଂ ଗ୍ରାହକ ବଡ଼ ସ୍କ୍ରିନ ଏବଂ ଆଧୁନିକ ଫିଚର୍ସକୁ ଅପଗ୍ରେଡ କରିବାକୁ ସୁଯୋଗ ଦେବ।
କେଉଁ ଟିଭିର ମୂଲ୍ୟ କେତେ କମିଛି ?
ରିପୋର୍ଟ ଅନୁସାରେ ଟପ୍ ଟିଭି ବ୍ରାଣ୍ଡ୍ ଯେପରିକି ସୋନୀ, ଏଲଜି ଏବଂ ପାନାସୋନିକ୍ ନୂଆ ମୂଲ୍ୟ ତାଲିକା ଜାରି କରିଛନ୍ତି। ସୋନୀ ଇଣ୍ଡିଆ ଏହାର ୪୩ରୁ ୯୮ ଇଞ୍ଚ୍ର ବ୍ରାଭିଆ ଟିଭି ମଡେଲ ମୂଲ୍ୟ ଜାରି କରିଛି। ଯେଉଁଥିରେ ୫ ହଜାରରୁ ୭୧ ହଜାର ଟଙ୍କା ଛାଡ଼ ହୋଇଛି। ୪୩ ଇଞ୍ଚ୍ ବ୍ରାଭିଆ-୨ ଏବେ ୫୪ ହଜାର ଟଙ୍କା ହୋଇଛି। ଯାହା ପୂର୍ବରୁ ୫୯,୯୦୦ ଟଙ୍କା ଥିଲା। ସେହିଭଳି ପ୍ରିମିୟମ ୯୮ ଇଞ୍ଚ୍ର ବ୍ରାଭିଆ- ୫ ଏବେ ୮. ୨୯ ଲକ୍ଷ ଟଙ୍କାରେ ବିକ୍ରି ହେବ। ଯାହା ପୂର୍ବରୁ ୯ ଲକ୍ଷ ଟଙ୍କା ଥିଲା।
ଏଲଜି ମଧ୍ୟ ୪୩ ଇଞ୍ଚରୁ ୧୦୦ ଇଞ୍ଚ୍ର ବିଭିନ୍ନ ମଡେଲର ଦାମ୍ ୨,୫୦୦ ଟଙ୍କାରୁ ୮୫, ୮୦୦ ପର୍ଯ୍ୟନ୍ତ ହ୍ରାସ୍ କରିଛି। କମ୍ପାନିର ୪୩ ଇଞ୍ଚ୍ ମଡେଲ ଏବେ ୨୮, ୪୯୦ ଟଙ୍କା ହୋଇଛି। ଯାହା ପୂର୍ବରୁ ୩୦, ୯୯୦ ଟଙ୍କା ଥିଲା। ସେହିଭଳି ଟପ୍ ମଡେଲ ୧୦୦ ଇଞ୍ଚ ଟିଭିର ଦାମ୍ ୮୫, ୮୦୦ ଟଙ୍କା କମି ଏବେ ୪,୯୯, ୭୯୦ ଟଙ୍କା ହୋଇଛି।
ଜାପାନିଜ୍ ବ୍ରାଣ୍ଡ୍ ପାନାସୋନିକ୍ ମଧ୍ୟ ଏହାର ବିଭିନ୍ନ ମଡେଲରେ ୩ ହଜାରରୁ ୩୨ ହଜାର ପର୍ଯ୍ୟନ୍ତ ଛାଡ଼ କରିଛି। କମ୍ପାନିର ୪୩ ଇଞ୍ଚ୍ ଟିଭି ଏବେ ୩୩, ୯୯୦ ଟଙ୍କା ଏବଂ ଟପ୍ ଏଣ୍ଡ୍ ୭୫ ଇଞ୍ଚ୍ ମଡେଲର ଦାମ୍ ୪ ଲକ୍ଷ ଟଙ୍କାରୁ କମି ୩.୬୮ ଲକ୍ଷ ଟଙ୍କା ହୋଇଛି। ଟିଭି ବ୍ୟତୀତ ମ୍ୟାନୁଫ୍ୟାକଚରମାନେ ପାର୍ବଣରେ ସାଉଣ୍ଡ୍ବାର୍, ପାର୍ଟି ସ୍ପିକର ମଧ୍ୟ ଭଲ ବିକ୍ରି ହେବା ନେଇ ଆଶା ରଖିଛନ୍ତି।




