ଭୁବନେଶ୍ୱର ୨୨।୦୯ : ରାଜେନ୍ଦ୍ର ଢୋଲକିଆଙ୍କୁ ବିରୋଧୀ ଦଳନେତାଙ୍କ ଶ୍ରଦ୍ଧାଞ୍ଜଳି। ପୂର୍ବତନ ମନ୍ତ୍ରୀ ତଥା ନୂଆପଡ଼ାର ସ୍ୱର୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗରେ ନୂଆପଡ଼ାରେ ଆୟୋଜିତ ଶୋକସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇନ୍ତି । ଭିଡିଓ କନ୍ଫରେନ୍ସି ଜରିଆରେ ଯୋଗ ଦେଇଥିଲେ ନବୀନ ପଟ୍ଟନାୟକ ।
ଏହି ଅବସରରେ ସେ କହିଥିଲେ, ନୂଆପଡ଼ାର ବିକାଶ କ୍ଷେତ୍ରରେ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ନିଷ୍ଠା, ପ୍ରତିବଦ୍ଧତା ଓ କଠିନ ପରିଶ୍ରମ ପାଇଁ ସବୁଦିନ ମନେ ରହିବେ । ତାଙ୍କର ଶାନ୍ତ, ସରଳ, ନିରହଂକାର ଗୁଣ ପାଇଁ ସମସ୍ତଙ୍କ ପ୍ରିୟ ଥିଲେ। ଢୋଲକିଆ ବାବୁଙ୍କ ଅଧୁରା କାମକୁ ପୂରା କରିବାକୁ ତାଙ୍କ ପରିବାର ସହ ବିଜୁ ଜନତା ଦଳ ଓ ସେ ଏକାଠି କାମ କରିବେ ବୋଲି ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି । ସ୍ବର୍ଗତ ଢୋଲକିଆ ବିଜୁ ଜନତା ଦଳର ଜଣେ ଦୃଢ ନେତା ଥିଲେ। ଦଳକୁ ମଜଭୁତ କରିବାରେ ତାଙ୍କର ବିଶେଷ ଅବଦାନ ଥିଲା । ସେ ସବୁବେଳେ ଲୋକଙ୍କ ସହ ଯୋଡି ହୋଇ ରହିଥିଲେ। ଲୋକଙ୍କ ସୁଖ ଦୁଃଖର ସାଥୀ ଥିଲେ । ସେ ବହୁବାର ବିଧାୟକ ଓ ମନ୍ତ୍ରୀ ହୋଇଥିଲେ । କିନ୍ତୁ ତୃଣମୂଳ ସ୍ତରରେ ସବୁବେଳେ ଲୋକଙ୍କ ସହିତ ଜଡ଼ିତ ହୋଇ ରହୁଥିଲେ। ନୂଆପଡ଼ା ବିକାଶରେ ଢୋଲକିଆଙ୍କ ଢେର ଅବଦାନ ରହିଛି । ବିଶେଷ କରି ନୂଆପଡ଼ାରେ ବିଜୁ ଏକ୍ସପ୍ରେସ ଓ୍ୱେ, ପିଇବା ପାଣି ଓ ଜଳସେଚନର କ୍ଷେତ୍ରରେ ଅଶେଷ ଅବଦନା ରହିଛି ।
ସେ ଆହୁରି କହିଥିଲେ, ସେହିପରି ଜନଜାତି ଭାଇ ଭଉଣୀଙ୍କ କଲ୍ୟାଣ ସହ ନୂଆପଡାରେ ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ପାଇଁ ଢୋଲକିଆ ବାବୁଙ୍କ ଅବଦାନ ବହୁତ ବେଶୀ । ସମାଜସେବା କ୍ଷେତ୍ରରେ ଢୋଲକିଆ ବାବୁଙ୍କ ବିଶେଷ ପରିଚୟ ରହିଛି । ରାଜେନ୍ଦ୍ର ବାବୁ ଆଜି ଆମ ଭିତରେ ନାହାନ୍ତି । କିନ୍ତୁ ନୂଆପଡାର ବିକାଶ ଓ ଲୋକଙ୍କ କଲ୍ୟାଣ ପାଇଁ ତାଙ୍କର ପ୍ରତିବଦ୍ଧତା, ନିଷ୍ଠା ଓ କଠିନ ପରିଶ୍ରମ ସବୁବେଳେ ସ୍ମରଣୀୟ ହୋଇ ରହିବ । ଏ ଦୁଃଖ ସମୟରେ ସେ ନିଜେ ଏବଂ ପୁରା ବିଜୁ ଜନତା ଦଳ ଢୋଲକିଆ ବାବୁଙ୍କ ପରିବାର ସହ ରହିଛନ୍ତି ।




