ସତରେ ସମୟଟା ଭାରି ନିର୍ଦ୍ଦୟ ଆଉ ନିଷ୍ଠୁର.. ଜାଣତରେ ହେଉ ବା ଅଜାଣତରେ ହେଉ କେତେ ଅନୁଭୂତି ଆଉ ଅଭିଜ୍ଞତାର ଉପହାର ନେଇ ମାଡ଼ିଆସେ ବାର୍ଦ୍ଧକ୍ୟର କଳା ଛାଇ । ମାତୃଗର୍ଭରେ ସୃଷ୍ଟି ହୁଏ ହୋଇଥିବା ଜୀବନ ବୟସର କୃଷ୍ଣଚୂଡ଼ାରେ ଶେଷ ହୋଇଯାଏ । ଦେଖୁଦେଖୁ ନିରାପଦ ବଟବୃକ୍ଷ ଛାଇ ପାଲଟିଥିବା ବାପା ଅଲୋଡ଼ା ହୋଇଯାଆନ୍ତି, ୯ ମାସ ପେଟରେ ରଖି ଜନ୍ମ ଦେଇଥିବା ମା’ର ପାଖ ମାଡ଼ନ୍ତିନି ସନ୍ତାନ । ଜୀବନସାରା ଯାବତୀୟ ବୋଝ ମୁଣ୍ଡାଇଥିବା ମଣିଷ ହଠାତ ସ୍ଥାଣୁ ପାଲଟିଯାଏ । ଘରର ମୁରବୀ ଘରକୋଣରେ ପଡ଼ି ପଡ଼ି ଅଖୋଜା ଆଉ ଅଦରକାରୀ ହୋଇଯାଆନ୍ତି ।
ଭାରତୀୟ ସମାଜରେ ଆଜି ବି ଶ୍ରବଣ କୁମାରଙ୍କୁ ଆଦର୍ଶ ବୋଲି ବିବେଚନା କରାଯାଏ । ହିନ୍ଦୁ ଧର୍ମ ଅନୁସାରେ ବାର୍ଦ୍ଧକ୍ୟ କାଳରେ ତୀର୍ଥସ୍ଥଳକୁ ଯାତ୍ରା କଲେ ଆତ୍ମାକୁ ଶାନ୍ତି ମିଳିଥାଏ । ଆଉ ଏଥିପାଇଁ ବୃଦ୍ଧାବସ୍ଥା ଉପନୀତ ହେବାରୁ ଦୃଷ୍ଟିହୀନ ବାପାମା’ ଥରେ
ଶ୍ରବଣଙ୍କୁ ଡାକି ତୀର୍ଥଯାତ୍ରା ଲାଗି ଇଚ୍ଛୁକ ଥିବା କଥା ପୁଅକୁ ଜଣାଇଥିଲେ । ଶ୍ରବଣ କୁମାର ମଧ୍ୟ ନିଜର ସୁଖ, ଆରାମ ଓ ବ୍ୟକ୍ତିଗତ ଇଚ୍ଛାକୁ ତ୍ୟାଗ କରି ବାପାମା’ଙ୍କ ସେବାକୁ ଅଗ୍ରାଧିକାର ଦେଇଥିଲେ । ପିତୃମାତୃ ଭକ୍ତ ଶ୍ରବଣ କୁମାର ସେମାନଙ୍କୁ ଝୁଡିରେ ବସେଇ ତୀର୍ଥଯାତ୍ରା କରାଇଥିଲେ ।
Also Read
ସବୁ ବାପାମା’ ଚାହାନ୍ତି ଶ୍ରବଣ କୁମାର ପରି ନହେଲେ ମଧ୍ୟ ଅନ୍ତତଃ ଜୀବନର ଶେଷ ସମୟରେ ପୁଅ ପାଖରେ ରଖି ଟିକିଏ ଦେଖାଚାହାଁ କରୁ । ହେଲେ ଆଜିକାଲିର ଉତ୍ସୃଙ୍ଖଳ ଯୁବପିଢ଼ି ଆଧୁନିକ ସମାଜର ଚାକଚକ୍ୟ ଜୀବନ ଓ ନିଶାଦ୍ରବ୍ୟ ସେବନରେ ଏପରି
ବ୍ୟସ୍ତ ଯେ ତାକୁ ବାପାମା’ଙ୍କ ସମ୍ପର୍କରେ ବୁଝିବାକୁ ସମୟ ନାହିଁ । ଭାରତରେ ଶ୍ରବଣ କୁମାର ପରମ୍ପରା ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି । ବୟସର ଅପରାହ୍ନରେ ବୟସ୍କଙ୍କ ଅବସ୍ଥା ଓ ବୃଦ୍ଧାଶ୍ରମ ସଂଖ୍ୟାରେ ବୃଦ୍ଧି ଏହାର ଏକ ପ୍ରତ୍ୟକ୍ଷ ଉଦାହରଣ । ସମୟ ସହିତ ଏହି ଧାରା ବୃଦ୍ଧି ପାଉଛି ।
ବୟସ୍କଙ୍କ ସେବା ଏବଂ ସୁରକ୍ଷା ପାଇଁ ଭାରତରେ ଅନେକ ଆଇନ ପ୍ରଣୟନ କରାଯାଇଛି। ୨୦୦୭ ମସିହାରେ ବୟସ୍କଙ୍କ ପାଇଁ ବରିଷ୍ଠ ନାଗରିକ ଭରଣପୋଷଣ ଆଇନ କାର୍ଯ୍ୟକାରୀ କରିଥିଲେ କେନ୍ଦ୍ର ସରକାର । ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କ ନମୁନା ପଞ୍ଜୀକରଣ ପ୍ରଣାଳୀ ରିପୋର୍ଟ ଅନୁସାରେ ଦେଶରେ ପ୍ରଜନନ ହାର ହ୍ରାସ ପାଇଛି, ଯାହା ଫଳରେ ୦-୧୪ ବର୍ଷ ବୟସର ଜନସଂଖ୍ୟା ହ୍ରାସ ପାଉଛି ଏବଂ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କର ଜନସଂଖ୍ୟା ୧୦ ପ୍ରତିଶତ ହାରରେ ବୃଦ୍ଧି ପାଉଛି । ଏଥିପାଇଁ କେରଳ ସରକାର ଏହି ବର୍ଦ୍ଧିତ ଜନସଂଖ୍ୟା ଓ ବୟସ୍କଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବାର୍ଦ୍ଧକ୍ୟ ଆୟୋଗ
ଗଠନ କରିଛନ୍ତି, ଯାହା ଏକ ପ୍ରଶଂସନୀୟ ପଦକ୍ଷେପ । କିନ୍ତୁ ଦୁର୍ଭାଗ୍ୟବଶତଃ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ସୁବିଧା, ନିୟମ ଏବଂ ନିୟମ କେବଳ କାଗଜପତ୍ରରେ ସୀମିତ।
ବିଗତ କିଛି ବର୍ଷରେ ବୟସ୍କଙ୍କ ସହିତ ଜଡ଼ିତ ଭିନ୍ନ ଭିନ୍ନ ମାମଲା ସାମ୍ନାକୁ ଆସୁଛି । କେଉଁଠି ସମ୍ପତ୍ତି ପାଇଁ ପିଲାମାନେ ବାପାମା’ଙ୍କୁ ନିର୍ଯାତନା ଦେଇ ଘରୁ ତଡ଼ି ଦେଉଛନ୍ତି ତ କେଉଁଠି ଟଙ୍କା ପାଇଁ ପୁଅ ଜୀବନ୍ତ ଠାକୁରଙ୍କୁ ମାଡ଼ ମାରୁଛି । ଆଉ କେଉଁଠି ପୁଅଝିଅଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ବାପାମା’ ସମସ୍ତ ସମ୍ପତ୍ତି ଦାନ କରିଦେଇ ବୃଦ୍ଧାଶ୍ରମ ଚାଲିଯାଉଛନ୍ତି । ପୁଣି ଅନ୍ୟ କେଉଁଠି ଅର୍ଜିତ ପେନ୍ସନ ବା ବାର୍ଦ୍ଧକ୍ୟ ଭତ୍ତାରୁ ଭାଗନେବା ପାଇଁ ଭାଇ-ଭାଇ ମଧ୍ୟରେ ଲଢ଼େଇ ଚାଲେ ।
ନିୟମ ଅନୁଯାୟୀ ବୟସ୍କ ବ୍ୟକ୍ତିମାନେ ସାହାଯ୍ୟ ମାଗିବାକୁ ଗଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା କିନ୍ତୁ ଦୁର୍ଭାଗ୍ୟବଶତଃ ଏପରି ଘଟଣାରେ ସେମାନଙ୍କୁ କୌଣସି ସାହାଯ୍ୟ ମିଳେ ନାହିଁ । ବିଡ଼ମ୍ବନାର ବିଷୟ ଅନେକ ବଡ଼ ବଡ଼ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କୁ ମଧ୍ୟ ବରିଷ୍ଠ ନାଗରିକ ଭରଣପୋଷଣ ଆଇନ ବିଷୟରେ କୌଣସି ସୂଚନା ନାହିଁ । ନିୟମ ଅନୁସାରେ ବାପାମା’ଙ୍କୁ ଖରାପ ବ୍ୟବହାର କଲେ ପିଲାମାନଙ୍କୁ ଦଣ୍ଡିତ କରିବା, ଜରିମାନା ସହିତ ସମ୍ପତ୍ତିରୁ ବାହାର କରିବା ଏବଂ ହସ୍ତାନ୍ତରିତ ସମ୍ପତ୍ତି ଫେରାଇ ନେବାର ବ୍ୟବସ୍ଥା ରହିଛି, କିନ୍ତୁ ଏପରି ଘଟଣା କ୍ୱଚିତ୍ ଦେଖିବାକୁ ମିଳେ ।
ଅନେକ ବୟସ୍କ ବ୍ୟକ୍ତି ଶାରୀରିକ ଏବଂ ଆର୍ଥିକ ଅସାମର୍ଥ୍ୟ ମଧ୍ୟରେ ପୋଲିସ ଷ୍ଟେସନ ଦୌଡ଼ି ଦୌଡ଼ି କ୍ଳାନ୍ତ ହୋଇପଡ଼ନ୍ତି ଓ ଶେଷ ଜୀବନ ତାଙ୍କର ଡିପ୍ରେସନରେ କଟିଯାଏ । ଯେଉଁମାନେ ଦିନେ ନାନାବାୟା ଗୀତ ଶୁଣାଇ ଆମକୁ ଶୁଆଇ ଦେଉଥିଲେ, ଯାହାଙ୍କ
କାହାଣୀ ପିଲାମାନଙ୍କ ମଧ୍ୟରେ ମୂଲ୍ୟବୋଧର ମୂଳଦୁଆ ପକାଇଥିଲା ସମୟ ଆସିଲା ପରେ ସେମାନେ ପର ହୋଇଯାଆନ୍ତି । ବର୍ତ୍ତମାନ ସମୟରେ ଏକକ ପରିବାର ସଙ୍କଳ୍ପ ଯୋଗୁଁ ପିଲାମାନେ ଅଜାଆଈଙ୍କ ପରି
ବୟସ୍କ ଗୁରୁଜନଙ୍କ ଠାରୁ ଦୂରେଇ ଯାଉଛନ୍ତି । ପୂର୍ବରୁ ଯୌଥ ପରିବାରରୁ ପିଲାଙ୍କୁ ସହାନୁଭୂତି, ସେବା ଓ ସମ୍ମାନର ମନୋଭାବ ଶିକ୍ଷା ମିଳୁଥିଲା । ଅଧିକ ରୋଜଗାର ଆଶାରେ ଘର ଛାଡ଼ୁଥିବା ଲୋକଙ୍କ ପାଇଁ ଯୌଥ ପରିବାର ଆଜି ଖିନଭିନ୍ ହୋଇଯାଇଛି ।
ବ୍ୟସ୍ତବହୁଳ ଜୀବନ ଯୋଗୁଁ ଆଜି ଗୁରୁଜନମାନେ ସମସ୍ତଙ୍କ ପାଇଁ ବୋଝ ପାଲଟିଯାଇଛନ୍ତି । ବାପାମା’ଙ୍କ ସେବା ଶୁଶ୍ରୁଷା କରିବା ପାଇଁ ପିଲାଙ୍କ ପାଖରେ ସମୟ ନାହିଁ, ଫଳରେ ସେମାନଙ୍କ ମଧ୍ୟରେ ଏକାକୀତ୍ୱ ଏବଂ ମାନସିକ ଅବସାଦ ବୃଦ୍ଧି ପାଉଛି। ବାପାମା’ କେବେ ବି ନିଜ ପିଲାଙ୍କ ବିରୋଧରେ ଅଭିଯୋଗ କରିବାକୁ ଚାହାନ୍ତି ନାହିଁ । ହେଲେ ଦୁଃଖର କଥା ବୟସ୍କଙ୍କ ସହ କୌଣସି ଅପ୍ରୀତିକର ଘଟଣା ନଘଟିବା ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ନାହିଁ। ପ୍ରଶାସନର ଏହି ମନୋଭାବ ଅସହାୟ ବୃଦ୍ଧବୃଦ୍ଧାଙ୍କ ମନୋବଳ ଭାଙ୍ଗିଦିଏ।
ଶେଷରେ,ସେମାନେ ବୃଦ୍ଧାଶ୍ରମକୁ ଯିବାକୁ କିମ୍ବା ଆତ୍ମହତ୍ୟା କରିବାକୁ ବାଧ୍ୟ ହୁଅନ୍ତି। ଅନ୍ୟପକ୍ଷରେ ବାର୍ଦ୍ଧକ୍ୟ ସମୟରେ ଆର୍ଥିକ ସମସ୍ୟା ମଧ୍ୟ ବଢ଼ିଯାଏ । ସରକାରୀ ଚାରିକିଆ ପେନସନ ପଇସାରେ କଷ୍ଟେମଷ୍ଟେ ଚଳିଯାଆନ୍ତି । ହେଲେ ଅନ୍ୟ ଲୋକଙ୍କ ଦୁଃଖ ବଢ଼ିଯାଏ । ଆମ ଦେଶରେ ବୃଦ୍ଧାଶ୍ରମ ଓ ଡେ କେୟାର ସଂଖ୍ୟା ମଧ୍ୟ ଖୁବ କମ ।
ସେଥିପାଇଁ ବୟସ୍କଙ୍କ ଅଧିକାରକୁ ସୁରକ୍ଷା ଦେବା ପାଇଁ ଏକ ପଦକ୍ଷେପ ନିଆଯିବା ଉଚିତ। ନିୟମ ପାଳନ ନ କରୁଥିବା ଲୋକଙ୍କ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା ହେବା ଜରୁରୀ। ବୃଦ୍ଧାଶ୍ରମ ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ କରାଯିବା ଉଚିତ ଏବଂ ସେମାନଙ୍କୁ
ଘରେ ଯତ୍ନ ମିଳିବା ଉଚିତ।




