ଭୁବନେଶ୍ୱର ୨୨/୦୯: ଚନ୍ଦକା ଜଙ୍ଗଲ ରାସ୍ତାରୁ ଓଲା ଡ୍ରାଇଭରଙ୍କ ମୃତଦେହ ମିଳିବା ଘଟଣା । ୪ ଜଣଙ୍କୁ ଗିରଫ କଲା ବଡଗଡ଼ ଥାନା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଏନ ଦିଲ୍ଲୀପ କୁମାର, ରମେଶ ଚନ୍ଦ୍ର ବେହେରା, କେ ରବୀନ୍ଦ୍ର ଏବଂ ଦୀପକ କୁମାର ସାହୁକାର । ସମସ୍ତ ଅଭିଯୁକ୍ତଙ୍କ ଘର ପାରଳା ଖେମୁଣ୍ଡି ଅଞ୍ଚଳରେ । ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅପହରଣ ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଅଭିଯୁକ୍ତ । ଉକ୍ତ ମାଡାମଙ୍କ ନାଁରେ ମଧ୍ୟ ସମାନ ଦଫା ଲଗାଇଲା ପୋଲିସ । ଅପହରଣ ଘଟଣାରେ ୮ ରୁ ଅଧିକ ଲୋକଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି । ଅନ୍ୟ ଅଭିଯୁକ୍ତ ମାନେ ମଧ୍ୟ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ଆଡ଼େ ରେଡ କରୁଥିବା ସୂଚନା ମିଳିଛି ।
ସୂଚନା ଥାଉକି, କହିବାକୁ ଗଲେ ଜ୍ୟୋତ୍ସ୍ନା ନାମ୍ନୀ ଉକ୍ତ ମହିଳା ଖଣ୍ଡଗିରି ଥାନା ବରମୁଣ୍ଡା ଅଞ୍ଚଳରେ ଏକ ପ୍ଲେସ୍ମେଣ୍ଟ୍ ସଂସ୍ଥା ଖୋଲିଥିଲେ । ବେସରକାରୀ ଓ ସରକାରୀ ସଂସ୍ଥାରେ ଚାକିରି କରାଇ ଦେବାକୁ କହି ଆଶାୟୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ । ବଡ଼ଗଡ଼ କେନାଲ ରୋଡ୍ରେ ରହୁଥିବା ଖୋର୍ଦ୍ଧା ବାଣପୁର ଥାନା ଅରାଙ୍ଗର କ୍ୟାବ୍ ଡ୍ରାଇଭର ବିଦ୍ୟାଧର ସାହୁ ଜ୍ୟୋତ୍ସ୍ନା ମାଡାମଙ୍କୁ କାର୍ରେ ଅଫିସ ନେବା ଆଣିବା କରିବା ସହ ଅନ୍ୟ ଭଡ଼ାରେ ମଧ୍ୟ ଯାଉଥିଲେ । ତେବେ ଜ୍ୟୋତ୍ସ୍ନା ମାଡାମଙ୍କ ଘନିଷ୍ଠ ହୋଇ ଯାଇଥିବା ବିଦ୍ୟାଧର ତାଙ୍କ କଥାରେ ପଡ଼ି ଚାକିରି ରାକେଟ୍ରେ ସାମିଲ୍ ହୋଇଥିଲେ ।
ବିଦ୍ୟାଧରଙ୍କ ସମେତ ଅନ୍ୟ ୨ ସହଯୋଗୀ ରାଜ୍ୟର ବିଭିନ୍ନ ଜିଲ୍ଲା, ଗଜପତି ଠାରୁ ଆରମ୍ଭ କରି ବାଲେଶ୍ୱର, ଭଦ୍ରକ, ଯାଜପୁର ଆଦି ଅଞ୍ଚଳର ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରି ଜ୍ୟୋତ୍ସ୍ନା ମାଡାମଙ୍କୁ ଦେଇଥିଲେ । ଶତାଧିକ ଆଶାୟୀଙ୍କ ଠାରୁ ସେମାନେ ୧୦ କୋଟିରୁ ଅଧିକ ଟଙ୍କା ଆଦାୟ କରି ଜ୍ୟୋତ୍ସ୍ନାଙ୍କୁ ଦେଇଥିବା ଜଣାପଡ଼ିଛି । ହେଲେ ଟଙ୍କା ଦେଇଥିବା ଆଶାୟୀଙ୍କୁ ସେମାନେ ଆଉ ଚାକିରି ଦେଇ ପାରି ନଥିଲେ । ଫଳରେ ଟଙ୍କା ଦେଇଥିବା ଆଶାୟୀମାନେ ବାରମ୍ବାର ଜ୍ୟୋତ୍ସ୍ନାଙ୍କ ଅଫିସରେ ଯାଇ ଟଙ୍କା ଫେରସ୍ତ ମାଗୁଥିଲେ ମଧ୍ୟ ମାଡାମ୍ ଧରାଛୁଆଁ ଦେଉ ନଥିଲେ ।
ସେପଟେ ବିଦ୍ୟାଧର ମଧ୍ୟ ଉକ୍ତ ଠକେଇ ଟଙ୍କାରୁ କିଛି ଆତ୍ମସାତ କରି ଦେଇଥିଲେ । ୪ ମାସ ତଳେ ଅତି ଜାକଜମକରେ ତାଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଧରଙ୍କୁ ଟଙ୍କା ଦେଇଥିବା କିଛି ଆଶାୟୀ ଟଙ୍କା ଫେରି ପାଇବା ପାଇଁ ତାଙ୍କୁ ବାରମ୍ବାର ଫୋନ୍ କରୁଥିଲେ । ଏପରିକି ତାଙ୍କ ଭଡ଼ାଘରେ ପହଞ୍ଚି ତାଙ୍କୁ ଟଙ୍କା ଫେରସ୍ତ ମାଗିବା ସହ ବିଭିନ୍ନ ପ୍ରକାର ଧମକଚମକ ଦେଉଥିଲେ । ଶେଷରେ ଗତ ୧୫ ତାରିଖରେ ସେମାନେ ବିଦ୍ୟାଧରଙ୍କୁ ଅପହରଣ କରି ଯାଜପୁର ଅଞ୍ଚଳକୁ ନେଇ ଯାଇଥିଲେ । ସେଠାରେ ଏକ ଘରେ ବନ୍ଦି କରି ନିସ୍ତୁକ ମାଡ଼ ମାରିଥିଲେ । ଜ୍ୟୋତ୍ସ୍ନା ମାଡମଙ୍କୁ ଡାକି ତାଙ୍କଠାରୁ ଟଙ୍କା ଆଦାୟ କରି ଦେବାକୁ କହିଥିଲେ ।
ବିଦ୍ୟାଧର ଜ୍ୟୋତ୍ସ୍ନା ମାଡମଙ୍କୁ ଫୋନ୍ କରିବାରୁ ସେ ମୋବାଇଲ୍ ସୁଇଚ୍ ଅଫ୍ କରି ଦେଇଥିଲେ । ବାରମ୍ବାର ମାଡମଙ୍କୁ ଫୋନ୍ କରି ବିଦ୍ୟାଧର ନିରାଶ ହୋଇଥିଲେ । ଶେଷରେ ଅପହର୍ତ୍ତାମାନେ ଗତ ୧୮ ତାରିଖ ରାତି ସାଢ଼େ ୧୧ଟାରେ ବିଦ୍ୟାଧରଙ୍କ ପତ୍ନୀ ମାମିନା ଖଟୁଆଙ୍କୁ ଫୋନ୍ କରିଥିଲେ । ବିଦ୍ୟାଧର ସେମାନଙ୍କ କବଳରେ ଥିବା ଓ ସେମାନଙ୍କ ଠାରୁ ୨ କୋଟି ୪୦ ଲକ୍ଷ ଟଙ୍କା ବିଦ୍ୟାଧର ନେଇଥିବା କଥା କହିଥିଲେ । ୨ କୋଟି ୪୦ ଲକ୍ଷ ଟଙ୍କା ଆମକୁ ଦେଇ ତୁମ ସ୍ୱାମୀଙ୍କୁ ନେଇଯାଅ, ନଚେତ ଜ୍ୟୋତ୍ସ୍ନା ମାଡମଙ୍କୁ ଖୋଜି ଆଣି ଆମକୁ ହସ୍ତାନ୍ତର କର ବୋଲି ମାମିନାଙ୍କୁ ଫୋନ୍ରେ ଦାବି କରିଥିଲେ । ମାମିନା ଅସହାୟତା ପ୍ରକାଶ କରିଥିଲେ ମଧ୍ୟ ଅପହର୍ତ୍ତାମାନେ କିଛି ଶୁଣି ନଥିଲେ । ତେଣୁ ପରଦିନ ଅର୍ଥାତ ୧୯ ତାରିଖ ସକାଳେ ମାମିନା ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ ।
ସେପଟେ ୧୮ ତାରିଖ ବିଳମ୍ବିତ ରାତିରେ ଅପହର୍ତ୍ତାମାନେ ବିଦ୍ୟାଧରଙ୍କୁ ତାଲା ପକାଇ ଖାଇବାକୁ ଯାଇଥିବା ବେଳେ ବିଦ୍ୟାଧର ଏକ ଗାମୁଛାକୁ ବେକରେ ଗୁଡ଼ାଇ ଉକ୍ତ ଘର ସିଲିଂ ଫ୍ୟାନ୍ରେ ଝୁଲି ପଡ଼ିଥିଲେ । ଅପହର୍ତ୍ତାମାନେ ଫେରିବା ପରେ ବିଦ୍ୟାଧର ଆତ୍ମହତ୍ୟା କରିଥିବା ଦେଖି ସେମାନେ ହଡ଼ବଡ଼େଇ ଯାଇଥିଲେ । ତେଣୁ ପ୍ରମାଣ ନଷ୍ଟ କରିବା ପାଇଁ ସେମାନେ ବିଦ୍ୟାଧରଙ୍କ ମୃତଦେହକୁ ତାଙ୍କ କାର୍ରେ ଆଣି ଭୁବନେଶ୍ୱର ଆସିଥିଲେ । ବିଳମ୍ବିତ ରାତିରେ ଚନ୍ଦକା-ଦାରୁଠେଙ୍ଗ ରାସ୍ତା କଡ଼ରେ କାର୍ ଥୋଇ ମୃତଦେହକୁ ଘୋଷାଡ଼ି ଘୋଷାଡ଼ି ନେଇ କିଛି ଦୂରରେ ଫିଙ୍ଗି ପଳାଇଥିଲେ ।
ନିଖୋଜ ବିଦ୍ୟାଧରଙ୍କୁ ଖୋଜାଖୋଜି କରୁଥିବା ଅନ୍ୟଜଣେ କ୍ୟାବ୍ ଡ୍ରାଇଭର ବିଦ୍ୟାଧରଙ୍କ କାର୍ ଚନ୍ଦକା-ବାରଙ୍ଗ ରାସ୍ତା କଡ଼ରେ ଥୁଆ ହୋଇଥିବା ଓ କିଛି ଦୂରରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ । ଏନେଇ ସେ ବିଦ୍ୟାଧରଙ୍କ ପରିବାର ଓ ପୋଲିସକୁ ଖବର ଦେଇଥିଲେ । ଏହି ସମ୍ବେଦନଶୀଳ ହତ୍ୟାକାଣ୍ଡକୁ ନେଇ ଖୋଳତାଡ଼ ଚଳାଇଥିବା କମିଶନରେଟ୍ ପୁଲିସ ଜଣେ ଅପହର୍ତ୍ତାକୁ ଉଠାଇ ଆଣି ଜେରା କରିବାପରେ ଚାକିରି ଠକେଇରୁ ବିଦ୍ୟାଧରଙ୍କ ଜୀବନ ଯାଇଥିବା ଜାଣିବାକୁ ପାଇଥିଲା । ପୋଲିସ ଗଜପତି ଜିଲ୍ଲାର ଉକ୍ତ ଅପହର୍ତ୍ତାଙ୍କୁ ଧରି ଆଉ ୪ ଅପହର୍ତ୍ତାଙ୍କୁ ଉଠାଇ ଆଣିଛି । ଅନ୍ୟ ଅପହର୍ତ୍ତାଙ୍କ ସମେତ ଏହି ଠକେଇ ରାକେଟ୍ର ମୁଖ୍ୟ କାର୍ପଟଦାର ଜ୍ୟୋତ୍ସ୍ନା ମାଡମ୍ଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।




