କୋଠାର ଦଦରା ଅବସ୍ଥା ଦେଖିଲେ ଲାଗିବନି ଯେ, ଏହା ସ୍କୁଲ ବୋଲି। ବଣୁଆ ଅଞ୍ଚଳରେ ଘେରି ରହିଛି ଭୂତକୋଠି ଭଳି ଦେଖାଯାଉଥିବା ସ୍କୁଲ।
ସ୍କୁଲ୍ ନୁହେଁ ତ ଭୂତକୋଠି! କାନ୍ଥ ଭାଙ୍ଗିଗଲାଣି, ଟିଣ ଉଡିଗଲାଣି। ଘର ସାରା ମାଡିଗଲାଣି ଘାସ, ଉଠିଲାଣି ବୁଦା ବୁଦା ଗଛ। ଚାରିପାଖ ବଣୁଆ ହୋଇଯାଇଥିବାରୁ ରହିଛି ସାପ ଓ ଅନ୍ୟାନ୍ୟ ଜନ୍ତୁମାନଙ୍କର ଭୟ। ହେଲେ ଏହାରି ଭିତରେ ପିଲା ପାଠ ପଢନ୍ତି ଆଉ ଖେଳକୁଦ ମଧ୍ୟ କରନ୍ତି।
ଆଜିର ବାବୁଭାୟା ଲୋକମାନେ ଚକାଚକ ଘରେ ଡାଇନିଂରେ ଖାଉଥିବା ବେଳେ ଏଠି କିନ୍ତୁ ପିଲାମାନେ ଏହିଭଳି ଅବସ୍ଥାରେ କରୁଛନ୍ତି ମଧ୍ୟାହ୍ନ ଭୋଜନ। ଏଠି ନଳକୂପ ଅଛି ସତ, ହେଲେ ଦଦରା ଅବସ୍ଥାରେ।
ରାଜ୍ୟରେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଛାତ୍ରଛାତ୍ରୀଙ୍କୁ ଆନୁସଙ୍ଗିକ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦେଉଛନ୍ତି। ହେଲେ ଏଠି ଆଗାମୀ ଭବିଷ୍ୟତମାନେ ସ୍କୁଲ ବାରଣ୍ଡାରେ ବସି ପାଠ ପଢୁଛନ୍ତି ଆଉ ଦେଖୁଛନ୍ତି ସୁନେଲି ସ୍ୱପ୍ନ।
Also Read
ଏ ହେଉଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବଡ଼ଗୋଚ୍ଛା ପଞ୍ଚାୟତ ସାଲିମାଗୋଚ୍ଛା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଘଟଣା। ଏଠି ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ଅଛି, ଆଉ ଦେଢ ଶହରୁ ଅଧିକ ଛାତ୍ରଛାତ୍ରୀ ଏଠାରେ ଭବିଷ୍ୟତର ସ୍ୱପ୍ନ ଦେଖନ୍ତି। ସବୁଠାରୁ ଦୁଃଖର କଥା ହେଉଛି ଏଠି ମାତ୍ର ଦୁଇଟି ଶ୍ରେଣୀଗୃହ ରହିଛି ଆଉ ଚାରି ଜଣ ଶିକ୍ଷକ ପାଠ ପଢାଉଛନ୍ତି।
ସମସ୍ୟା ଏତିକିରେ ସରିନି। ଏଠି ପିଇବା ପାଇଁ ପାନୀୟ ଜଳର ସୁବିଧା ନାହିଁ। ବିଦ୍ୟାଳୟ ପରିସରରେ ଦୁଇଟି ନଳକୂପ ଅଛି ସତ, ହେଲେ ଗୋଟିଏ ଭାଙ୍ଗି ଯାଇଥିବା ବେଳେ ଅନ୍ୟଟିରେ ପାଣି ମୁନ୍ଦାଏ ପିଇବା ପାଇଁ ପିଲାଙ୍କ ଭିଡ଼ ଜମୁଛି। ବିଦ୍ୟାଳୟ ପରିସରରେ ପାଚେରୀ ନ ଥିବାରୁ ଅନେକ ସମୟରେ ବନ୍ୟଜନ୍ତୁ ଓ ସରୀସୃପ ବିଦ୍ୟାଳୟ ଭିତରକୁ ପଶି ଆସୁଥିବା ଅଭିଯୋଗ ହୁଏ। ଏ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଭାଗୀୟ ଅଧିକାରୀଙ୍କୁ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ।
ଅନ୍ୟପଟେ ସମସ୍ୟା ବିଷୟରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ପଚାରିବାରୁ ଖୁବ୍ ଶୀଘ୍ର ସମସ୍ୟାଗୁଡିକର ସମାଧାନ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି।




