ଜିଏସ୍‌ଟି ହ୍ରାସର ଲାଭ ଗ୍ରାହକଙ୍କୁ ଦେଲା ଅମୁଲ: ୭୦୦ ପ୍ରଡକ୍ଟର ମୂଲ୍ୟ କମାଇଲା

ଜିଏସ୍‌ଟି-ହ୍ରାସର-ଲାଭ-ଗ୍ରାହକଙ୍କୁ-ଦେଲା-ଅମୁଲ:-୭୦୦-ପ୍ରଡକ୍ଟର-ମୂଲ୍ୟ-କମାଇଲା

ନୂଆଦିଲ୍ଲୀ: ମଦର ଡାଏରୀ ପରେ ଅମୁଲ ମଧ୍ୟ ଏହାର ସାମଗ୍ରୀର ଦାମ ହ୍ରାସ କରିଛି। ଘିଅ, ବଟର, ପନିର, ଆଇସକ୍ରିମ ଏବଂ ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟ ସମେତ ମୋଟ ୭୦୦ରୁ ଅଧିକ ଉତ୍ପାଦର ମୂଲ୍ୟ ହ୍ରାସ କରିଛି ଅମୁଲ। ହ୍ରାସ ହୋଇଥିବା ମୂଲ୍ୟ ୨୨ ସେପ୍ଟେମ୍ବର ୨୦୨୫ରୁ ଲାଗୁ ହେବ। ନୂଆ ଜିଏସ୍‌ଟି ସ୍ଲାବରେ ପରିବର୍ତ୍ତନ ପରେ ଅମୂଲ ଦର କମାଇଛି। ଏହା ପୂର୍ବରୁ ମଦର ଡେରୀ ସେପ୍ଟେମ୍ବର ୧୬ରେ ତାର ଦୁଗ୍ଧ ଉତ୍ପାଦ ଉପରେ ମୂଲ୍ୟ ହ୍ରାସ ଘୋଷଣା କରିଥିଲା। ସଫଳ ବ୍ରାଣ୍ଡର ଟେଟ୍ରା-ପ୍ୟାକ୍ କ୍ଷୀର, ପନିର, ଚେଜ୍, ଘିଅ, ବଟର, ଆଇସକ୍ରିମ ଏବଂ ପ୍ରୋସେସ୍ଡ ଫୁଡ୍ ସମେତ ଉତ୍ପାଦ ଉପରେ ରୁ ୩୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଥିଲା।
କେଉଁ ସାମଗ୍ରୀର ଦାମ କେତେ କମାଇଲା ଅମୁଲ ?
ଘିଅ: ଏକ ଲିଟର ଅମୂଲ ଘିଅ ଦାମରେ ୪୦ ଟଙ୍କା ହ୍ରାସ ପାଇଛି। ବର୍ତ୍ତମାନ ନୂଆ ଦର ୬୧୦ ଟଙ୍କା ହୋଇଛି।  
ବଟର: ୧୦୦ ଗ୍ରାମ ବଟର ପ୍ୟାକ୍ ପୂର୍ବରୁ ୬୨ ଟଙ୍କାରେ ବିକ୍ରି ହେଉଥିଲା, ଦର ହ୍ରାସ ପରେ ଏବେ ଏହା ୫୮ ଟଙ୍କାରେ ଉପଲବ୍ଧ ହେବ। ଏଥିରେ ୪ ଟଙ୍କା ଶସ୍ତା ହୋଇଛି।
ଚିଜ୍: ଏକ କିଲୋ ଚିଜ୍ ବ୍ଲକ୍‌ର ମୂଲ୍ୟ ୩୦ ହ୍ରାସ ପାଇ ନୂଆ ମୂଲ୍ୟ ୫୪୫ ହୋଇଛି।
ପନିର: ୨୦୦ ଗ୍ରାମ ଫ୍ରୋଜେନ୍ ପନିର ପ୍ୟାକର ମୂଲ୍ୟ ୯୯ ଟଙ୍କାରୁ ହ୍ରାସ ପାଇ ୯୫ ହୋଇଛି।
ଅନ୍ୟାନ୍ୟ ଉତ୍ପାଦ: ୟୁଏଚଟି କ୍ଷୀର, ଚକୋଲେଟ୍, ବେକେରୀ ଉତ୍ପାଦ, ଫ୍ରୋଜେନ୍ ସ୍ନାକ୍ସ, କଣ୍ଡେନ୍ସଡ୍ କ୍ଷୀର, ପିନଟ ସ୍ପ୍ରେଡ୍ ଏବଂ ମାଲ୍ଟ ଡ୍ରିଙ୍କସ ମୂଲ୍ୟ ମଧ୍ୟ ହ୍ରାସ ପାଇଛି।

ଗୁଜରାଟ କୋ-ଅପରେଟିଭ୍ ମାର୍କେଟିଂ ଫେଡେରେସନର ପରିଚାଳନା ନିର୍ଦ୍ଦେଶକ ଜୟେନ ମେହେଟା କହିଛନ୍ତି ଯେ ପାଉଚ୍ କ୍ଷୀର ଉପରେ ଜିଏସଟି ପୂର୍ବରୁ ଶୂନ୍ୟ, ତେଣୁ ଏହାର ମୂଲ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ। ଅମୂଲ କହିଛି ଯେ ଜିଏସ୍‌ଟି ସ୍ଲାବରେ ପରିବର୍ତ୍ତନର ସମ୍ପୂର୍ଣ୍ଣ ଲାଭ ଗ୍ରାହକମାନଙ୍କୁ ଦେବା ପାଇଁ ଏହି ହ୍ରାସ କରାଯାଇଛି। କମ୍ପାନୀ କହିଛି ଯେ ଭାରତରେ ମୁଣ୍ଡପିଛା କ୍ଷୀର ଉତ୍ପାଦର ବ୍ୟବହାର କମ୍ ରହିଛି, ଏବଂ ମୂଲ୍ୟ ହ୍ରାସ ଆଇସକ୍ରିମ, ପନିର ଏବଂ ବଟର ଭଳି ଉତ୍ପାଦର ଚାହିଦାକୁ ବୃଦ୍ଧି କରିବ, ଯାହା ଫଳରେ କାରବାର ବୃଦ୍ଧି ପାଇବ।

Scroll to Top