ଭାରତୀୟ ଜନଜୀବନରେ ପୂର୍ବପୁରୁଷ ବା ବଡ଼ବଡ଼ିଆଙ୍କ ସ୍ମୃତି ଚାରଣ ସହ ସେମାନଙ୍କ ଉପାସନା କାହିଁ କେଉଁ ଆଦିମ କାଳରୁ ଚଳି ଆସୁଛି। ଆଶ୍ୱିନ ମାସର କୃଷ୍ଣପକ୍ଷ କୁ ପିତୃପକ୍ଷ କୁହାଯାଇଥାଏ। ଏହି କୃଷ୍ଣପକ୍ଷରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ବିଧି ରହିଛି।
ସାଧାରଣତଃ ଆଶ୍ୱିନ ମାସର କୃଷ୍ଣ ପକ୍ଷକୁ ମହାଳୟା କୁହାଯାଏ। ଦକ୍ଷିଣାୟନ ହୋଇଥିବା ଏହି ମାସର କୃଷ୍ଣପକ୍ଷ ପିତୃକର୍ମ କରିବାର ପ୍ରକୃଷ୍ଟ ସମୟ ଅଟେ। ସନ୍ଧି ବଚ୍ଛେଦ କଲେ ମହାଳୟା ଶବ୍ଦ ମହା+ଆଳୟାରୁ ଆସିଛି । ଏହାର ଅର୍ଥ ହେଲା—“ମୃତ ବୃହତ୍ ବ୍ୟକ୍ତିମାନଙ୍କର ସମାବେଶ”। ଏହି ସମୟୁର ପ୍ରତ୍ୟେକ ଦିନ ଏହି ମହାଳୟା ଶ୍ରାଦ୍ଧ ଦିଆଯାଇପାରେ ବୋଲି ଋଷିମାନେ କହିଯାଇଛନ୍ତି। ଏହି ସମୟରେ ଯେ କୌଣସି ଦିନ ଶ୍ରାଦ୍ଧ ଦେଲେ ଏହା ଯଜ୍ଞ କରିବା ସହିତ ସମାନ ଏବଂ ଏହା ଫଳରେ ପିତୃପୁରୁଷମାନେ ବର୍ଷକ ପାଇଁ ଶାନ୍ତି ପାଇଥାନ୍ତି। ପ୍ରକୃତରେ ପିତୃପୁରୁଷମାନେ ଏହି ଶ୍ରାଦ୍ଧ ପାଇବା ପାଇଁ ମନୁଷ୍ୟମାନଙ୍କର ଦ୍ୱାରଦେଶରେ ଆଗ୍ରହରେ ଅପେକ୍ଷା କରିଥାନ୍ତି। ଯଦି ସେମାନେ ସେମାନଙ୍କର ପ୍ରାପ୍ୟ ନ ପାଇ ଫେରିଯାଆନ୍ତି, ତେବେ ସେମାନେ ଭୟଙ୍କର ଅଭିଶାପ ଦେଇଥାନ୍ତି।
ପିତୃପୁରୁଷଙ୍କୁ ପିଣ୍ଡ ଦାନ
ଭାରତୀୟ ଜନଜୀବନରେ ପୂର୍ବପୁରୁଷ ବା ବଡ଼ବଡ଼ିଆଙ୍କ ସ୍ମୃତି ଚାରଣ ସହ ସେମାନଙ୍କ ଉପାସନା କାହିଁ କେଉଁ ଆଦିମ କାଳରୁ ଚଳି ଆସୁଛି। ଆଶ୍ୱିନ ମାସର କୃଷ୍ଣପକ୍ଷ କୁ ପିତୃପକ୍ଷ କୁହାଯାଇଥାଏ। ଏହି କୃଷ୍ଣପକ୍ଷରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ବିଧି ରହିଛି। ଶ୍ରାଦ୍ଧ ଦେବା ହେଉଛି ହିନ୍ଦୁ ଧର୍ମାଚାରର ଏକ ମୌଳକ ଅନୁଷ୍ଠାନ। ପରଲୋକରେ ଥିବା ପିତୃପୁରୁଷଙ୍କୁ ନିର୍ଦ୍ଦିଷ୍ଟ ତିଥିରେ ଶ୍ରାଦ୍ଧ ଦିଆଯାଉଥିବା ବେଳେ ମହାଳୟା ପକ୍ଷରେ ଯେ କୌଣସି ବ୍ୟକ୍ତି ତାର ପିତୃପୁରୁଷଙ୍କୁ ତିଥି ବାର ନକ୍ଷତ୍ର ବାଛ ବିଚାର ନକରି ଶ୍ରାଦ୍ଧ ଦେଇପାରେ।
Also Read
ଶ୍ରାଦ୍ଧ ଦାନ ପଛର କାହାଣୀ
ବରାହ ପୁରାଣ ଅନୁସାରେ ୠଷି ଆତ୍ରେୟ ମନୁଙ୍କ ବଂଶରେ ଜନ୍ମ ହୋଇଥିଲେ। ତାଙ୍କର ‘ନମି’ ନାମରେ ଗୋଟିଏ ପୁଅ ଥିଲା। ଏହି ନମିଙ୍କର ଗୋଟିଏ ପୁଅ ଥିଲା ଯିଏ ହଜାରେ ବର୍ଷଧରି ତପସ୍ୟା କରି ମୃତ୍ୟୁ ବରଣ କଲେ। ଏଥିପାଇଁ ନମି ବହୁତ ଦୁଃଖରେ ଥାଆନ୍ତି। ପୁଅ ପାଇଁ ସେ ଦିନ ରାତି ବହୁତ କଷ୍ଟ ପାଇଲେ। ବହୁ କଷ୍ଟରେ ଚେଷ୍ଟାକରି ସେ ନିଜକୁ ସାନ୍ତ୍ଵନା ଦେଲେ । ଥରେ ମାଘମାସ ଦ୍ଵାଦଶୀ ତିଥିରେ ସେ ତାଙ୍କ ମୃତ ପୁଅର ପ୍ରିୟ ଫଳ , ପରିବା, ଶସ୍ୟାଆଦି ସଂଗ୍ରହ କରି ତାକୁ ଭଲ ଭଲ ଭାବରେ ରାନ୍ଧିଲେ ଓ ସାତଜଣ ପବିତ୍ର ବ୍ରାହ୍ମଣଙ୍କୁ ନିମନ୍ତ୍ରଣ କରି ସେହି ଖାଦ୍ୟ ସାମଗ୍ରୀ ଖାଇବାକୁ ଦେଲାବେଳେ ସେ ନିଜର ପୁଅର ନାମ, ଗୋତ୍ର ଓ କୁଳ ମନେ ପକାଇବାକୁ ଲାଗିଲେ। ଏହି ସମୟରେ ନାରଦ ମୁନି ଆସି ପହଞ୍ଚିଲେ। ନମି ତାଙ୍କୁ ଦେଖି ଭାବିଲେ ଯେ, ସେ ବୋଧହୁଏ କିଛି ବୋକାମିର କାମ କରିଦେଇଛନ୍ତି। ନମି ନାରଦଙ୍କୁ ଯଥାବିଧି ପୂଜା କଲେ ଏବଂ କାନ୍ଦି କାନ୍ଦି କହିଲେ ଯେ, ସେ ତାଙ୍କର ମୃତ ପୁଅ ପାଇଁ ସେ ବ୍ରାହ୍ମଣମାନଙ୍କୁ ଖାଇବାକୁ ଦେଉଛନ୍ତି।
କିନ୍ତୁ ସେ ଜାଣନ୍ତି ନାହିଁ ଯେ, ସେ ଠିକ୍ କରୁଛନ୍ତି ନା ଭୁଲ କରୁଛନ୍ତି। କାରଣ ପୂର୍ବରୁ ଏମିତି କେହି କରିଥିବାର ସେ ଜାଣିନାହାନ୍ତି। ଢାଙ୍କର ଦୁଃଖ ଦେଖି ନାରଦ କହିଲେ, “ଜମା ଭୟ କରନାହିଁ, ମୁଁ ଏଥିରେ କୌଣସି ଭୁଲ ଥିବାର ଜାଣି ପାରୁନାହିଁ। ଯାହାହେଉ ତୁମେ ତୁମର ପିତୃପୁରୁଷଙ୍କଠାରେ ଆଶ୍ରୟ ନିଅ, ସେମାନେ ତୁମକୁ ରକ୍ଷା କରିବେ।‘’ ଏହିପରି ଆଶ୍ଵାସନା ପାଇ ନିମି ପିତୃପୁରୁଷଙ୍କୁ ଧ୍ୟାନ କରିବାରେ ଲାଗିପଡ଼ିଲେ। ଖୁବ୍ ଶୀଘ୍ର ସେମାନେ ତାଙ୍କ ନିକଟରେ ଉପସ୍ଥିତ ହୋଇ କହିଲେ, ବତ୍ସ ତୁମର ପୁଅ ଆମ ସହିତ ପିତୃ-ଦେବତା ଭାବରେ ମିଶିଯାଇଛି। ତୁମେ ଯେଉଁ ଭୋଜନ ଏବଂ ପୂଜା ଦେଲ, ତାହା ଫଳରେ ତୁମର ପିତୃପୁରୁଷମାନେ ଶାନ୍ତି ପାଇଛନ୍ତି। ପ୍ରକୃତରେ ଏହା ଏକ ପିତୃଯଜ୍ଞ ଅଟେ। ବହୁ ପୂର୍ବରେ ଥରେ ବ୍ରହ୍ମା ନିଜେ ଏହା ପାଳନ କରିଥିଲେ ଏବଂ ଏହାକୁ ସେ ତ୍ୟାଗ ସହ ତୁଳନା କରିଯାଇଛନ୍ତି। ସେହି ଦିନଠାରୁ ଶ୍ରାଦ୍ଧ ହିନ୍ଦୁ ଧର୍ମରେ ଜୀବନର ଏକ ମୁଖ୍ୟ ଅଂଶ ହୋଇ ରହିଛି।
ମଉଳା ଶ୍ରାଦ୍ଧ କଣ
ବୈଦିକ ବିଧି ବିଧାନରେ ପାଳିତ ହେଉଥିବା ପର୍ବମାନଙ୍କ ମଧ୍ୟରେ ମହାଳୟା ହେଉଛି ହିନ୍ଦୁ ଧର୍ମର ଏକ ଗୁରୁତ୍ତ୍ୱପୂର୍ଣ ଓ ପାରମ୍ପରିକ ପର୍ବ, ଯାହା ପିତୃପୁରୁଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଓ ତର୍ପଣ ସହ ଜଡ଼ିତ। ଆଶ୍ୱିନ ମାସ ଅମାବାସ୍ୟାକୁ ମହାଳୟା ଅମାବାସ୍ୟା କୁହାଯାଏ। ପିତୃପକ୍ଷରେ ଶ୍ରାଦ୍ଧ ଦେବା ବେଳେ କର୍ତ୍ତା ପିତୃକୂଳ ସହିତ ମାତୃକୂଳର ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇଥାଏ। ଏହାକୁ ସେଥିପାଇଁ ମହାଳୟା ଶ୍ରାଦ୍ଧ ବା ଅପଭ୍ରଂଶରେ ମଉଳା ଶ୍ରାଦ୍ଧ ବୋଲି କୁହାଯାଏ। ଯେଉଁମାନେ ଅଶୌଚ ହେତୁ କିମ୍ୱା କୌଣସି ଅସୁବିଧା ହେତୁ ପିତୃପକ୍ଷରେ ଶ୍ରାଦ୍ଧକର୍ମ କରିପାରନ୍ତି ନାହଁ, ସେମାନେ ଦୀପାବଳୀ ଅମାବାସ୍ୟା ତିଥିରେ ପୟା ଶ୍ରାଦ୍ଧ ଦେଇ ଏହା ପୂର୍ଣ୍ଣ କରନ୍ତି।
ମହାଳୟାରେ ଶ୍ରାଦ୍ଧ ଦେବା ଜରୁରୀ କାହିଁକି?
କୁହାଯାଇଥାଏ ଯେ, ମଣିଷ ତା ମୃତ୍ୟୁ ପୂର୍ବରୁ ନିଜର ସବୁ ଇଛା ପୂରଣ କରିପାରିନଥାଏ। ହିନ୍ଦୁ ଧର୍ମରେ ବିଶ୍ଵାସ ରହିଛି, ଶରୀରର ମୃତ୍ୟୁ ଅଛି ହେଲେ ଆତ୍ମା ଅମର। ତେଣୁ ମୃତ୍ୟୁ ପରେ ମଧ୍ୟ ଆତ୍ମାର ଅପୂର୍ଣ୍ଣ ଇଛା କିଛି ରହିଯାଏ, ଯାହା ପାଇଁ ସେ ଶାନ୍ତି ପାଏନାହିଁ। ତେଣୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ସେମାନଙ୍କ ଇଛା ପୂରଣ ପାଇଁ ଶ୍ରଦ୍ଧାରେ ଯେଉଁ କାର୍ଯ୍ୟ କରାଯାଏ ତାକୁ ଶ୍ରାଦ୍ଧ କୁହାଯାଏ। କନ୍ୟା ସଂକ୍ରାନ୍ତିଠାରୁ ବିଛା ସଂକ୍ରାନ୍ତି ପର୍ଯ୍ୟନ୍ତ ଦୁଇମାସ ପିତୃପୁରୁଷମାନେ ପିତୃଲୋକରୁ ଆସି ମର୍ତ୍ତ୍ୟଲୋକରେ ରୁହନ୍ତି। ଏ ଦୁଇମାସ ମଧ୍ୟରେ ଶ୍ରାଦ୍ଧ ନଦେଲେ ବିଛା ସଂକ୍ରାନ୍ତି ପୂର୍ବଦିନ ସନ୍ଧ୍ୟାରେ ପୁଣି ପିତୃଲୋକକୁ ସେମାନେ ଅସନ୍ତୁଷ୍ଟ ହୋଇ ଅଭିଶାପ ଦେଇ ଫେରିଯାଆନ୍ତି ବୋଲି ଆମର ଶାସ୍ତ୍ର ଓ ଲୌକିକ ବିଶ୍ଵାସ ରହିଛି। ସମଗ୍ର ଭାରତବର୍ଷରେ ଏହି ପନ୍ଦର ଦିନ ପିତୃଦିବସ ରୂପେ ଉଦ୍ଦିଷ୍ଟ। ଏହି ଦିନସବୁରେ ଶ୍ରାଦ୍ଧ ତର୍ପଣ ଆଦି କରାଯାଇଥାଏ। କେଉଁ ପୁରାତନ କାଳରୁ ଏହି ଧାର ନିୟମିତ ରୂପେ ପ୍ରଚଳିତ ହୋଇ ଆସୁଛି।
ତିଳ ତର୍ପଣ କାହିଁକି କରାଯାଏ?
ଆଶ୍ଵିନ କୃଷ୍ଣପକ୍ଷ ଶ୍ରାଦ୍ଧ ସମୟ ହେଇଥିବାରୁ ଏହାକୁ ଶାସ୍ତ୍ରରେ ପିତୃକ୍ଷୁଧା ତିଧି ମଧ୍ୟ କୁହାଯାଏ। ଏହି ଶ୍ରାଦ୍ଧ ସାଧାରଣତଃ ପ୍ରତି ଘରେ ଦିଆଯାଏ। ଘର ବାହାରେ ମଧ୍ୟ ଗୟାକ୍ଷେତ୍ରରେ, ପୁରୁଷୋତ୍ତମ ପିତୃତୀର୍ଥ ସ୍ୱର୍ଗଦ୍ୱାରରେ, ବିରଜା କ୍ଷେତ୍ରରେ, ନାଭିଗୟାରେ ଓ ପ୍ରସିଦ୍ଧ ପୀଠମାନଙ୍କରେ ମଧ୍ୟ ପିତୃପୁରୁଷଙ୍କ ପାଇଁ ପିଣ୍ଡଦାନର ଶାସ୍ତ୍ରୀୟ ବ୍ୟବସ୍ଥା ରହିଛି। କନ୍ୟା ରାଶିକୁ ସୂର୍ଯ୍ୟ ଆସିଲେ, ପିତୃପୁରୁଷଙ୍କୁ ବିଛା କାମୁଡିବା ପରି ଲାଗେ। ସେମାନେ ରହି ପାରନ୍ତି ନାହିଁ। ଏଥିପାଇଁ ସେମାନେ ପ୍ରିୟଜନଙ୍କଠାରୁ ତିଳୋଦକ ପାଇଁ ଆଗ୍ରହୀ ହୋଇ ପୃଥିବୀକୁ ଆସନ୍ତି। ଯଦି ସେ ତିଳତର୍ପଣ ତାଙ୍କର ପୁଅଠାରୁ ନ ପାଆନ୍ତି ତେବେ ଅଭିଶାପ ଦେଇ ନିରାଶ ହୋଇ ଫେରି ଯାଆନ୍ତି।
ପିତୃ ଶ୍ରାଦ୍ଧରେ ବଡ଼ ପୁଅର ଭମିକା
ପିତୃ ଶ୍ରାଦ୍ଧର ପବିତ୍ର କାମ ସାଧାରଣତଃ ବଡ଼ପୁଅ ଦ୍ଵାରା ହୋଇଥାଏ।କାରଣ ବଡ ପୁଅ କୁଳର ଦୀପ ପରି ଓ ସେ ବଡ ଯୋଗୁଁ ଅଭିନନ୍ଦନୀୟ ଓ ପୂଜିତ, ବଂଶର ଭଲମନ୍ଦ ପାଇଁ ପ୍ରତ୍ୟକ୍ଷ ସେ ଦାୟୀ ହୋଇଥାଏ— ତେଣୁ ମନୁ ସଂହିତା କୁହନ୍ତି –
“ ଜ୍ୟେଷ୍ଠ କୁଳଂ ବର୍ଦ୍ଧୟତି ବିନନାଶୟତି ବା ପୁନଃ
ଜ୍ୟୋଷ୍ଠଃ ପୂଜ୍ୟତମୋ ଲୋକେ ଜ୍ୟେଷ୍ଠଃ ସଭିରଗର୍ଭିତଃ”
‘ମନୁସଂହିତା’ରେ ଆହୁରି ମଧ୍ୟ ଜ୍ୟେଷ୍ଠ ସନ୍ତାନ କିପରି ଏକଭାଗ ଅଧିକ ପାଇବାପାଇଁ ଯୋଗ୍ୟ ତାହାର ମଧ୍ୟ ପ୍ରମାଣ ରହିଛି । ମହର୍ଷି ମନୁଙ୍କ ମତରେ ପିତୃଗଣର ରକ୍ଷାକାରୀ ଦେବତାମାନଙ୍କୁ ଶ୍ରାଦ୍ଧରେ ପ୍ରଥମେ ସ୍ଥାପନ କରାଯିବ, କାରଣ ରକ୍ଷକ ନଥିବା ଶ୍ରାଦ୍ଧକୁ ରାକ୍ଷସ ମାନେ ନଷ୍ପ କରିଦିଅନ୍ତି । ଖୋଲାସ୍ଥାନ, ପବିତ୍ର ଦେଶ ବା ନଦୀ କୂଳର ନିର୍ଜନ ସ୍ଥାନରେ ଶ୍ରାଦ୍ଧ କଲେ ପିତୃଗଣ ପ୍ରସନ୍ନ ହୁଅନ୍ତି।
ଶ୍ରାଦ୍ଧ ସମୟରେ କେଉଁ କାର୍ଯ୍ୟ କରାଯାଏ ନାହିଁ?
ମନୁ ସଂହିତାରେ ଶ୍ରାଦ୍ଧ କର୍ମ ସମୟରେ କେତେଗୁଡ଼ିଏ କାମ କରିବାକୁ ବାରଣ କରାଯାଇଛି। ଯେମିତିକି ଶ୍ରାଦ୍ଧ ଦେବା ସମୟରେ କାନ୍ଦିବା ବା ଲୁହ ଗଡାଇବାକୁ ମନା କରାଯାଇଛି। କାରଣ ଶ୍ରାଦ୍ଧ ଦେବା ସମୟରେ କାନ୍ଦିଲେ ଶ୍ରାଦ୍ଧ ଅନ୍ନ ପ୍ରେତକୁ ଯାଏ। ଏହି ସମୟରେ ମନରେ କ୍ରୋଧ ବା ରାଗ ଭାବନା ରଖିବ ନାହିଁ , ମନରେ କ୍ରୋଧ ଭାବ ରଖି ଶ୍ରାଦ୍ଧ ଦେବା ଦ୍ଵାରା ତାହା ଶତ୍ରୁମାନେ ପାଇଥାନ୍ତି। ସେହିପରି ପାଦରେ ଅନ୍ନ ସ୍ପର୍ଶ କରିବ ନାହିଁ, ଏପରି କଲେ ଅନ୍ନ ରାକ୍ଷସମାନେ ପାଇଥାନ୍ତି ।
ଆହୁରି ମଧ୍ୟ ଶ୍ରାଦ୍ଧ ଦେବା ସମୟରେ ମିଛ କହିଲେ ତାହା କୁକୁରଙ୍କୁ ମିଳିଥାଏ କୁକୁରଙ୍କୁ ତାହା ପ୍ରାପ୍ତ ହୁଏ । ସେହିପରି ଭୋଜନ ବିଷୟରେ ମଧ୍ୟ କୁହାଯାଇଛି ଯେ ମୃଣ୍ଡରେ ଲୁଗା ବାନ୍ଧି ଦକ୍ଷିଣ ମୁଖ ହୋଇ ଓ ଚର୍ମପାଦୁକା ବା ଜୋତା ପିନ୍ଧି ଭୋଜନ କଲେ, ତାହା ରାକ୍ଷସମାନେ ପାଆନ୍ତି, ପିତୃଗଣ ଗ୍ରହଣ କରନ୍ତି ନାହଁ । ଏମିତିକି ବ୍ରାହ୍ମଣ ଭୋଜନ ସମୟରେ ଚଣ୍ଡାଳ, ଘୁଷୁରୀ, କୁକୁଡ଼ା, କୁକୁର, ରଜସ୍ୱଳା ସ୍ତ୍ରୀ ଲୋକ ଏବଂ ନପୁଂସକ ଯେପରି ଦେଖିବାକୁ ନଯାଆନ୍ତି ଏ ସମସ୍ତ ବ୍ୟବସ୍ଥା କରିବା ଉଚିତ। ବ୍ରାହ୍ମଣମାନଙ୍କୁ ବିଦାୟ ଦେଇ ପରିସ୍କାର ଭାବରେ ଚୁପ ହୋଇ ସ୍ଥିର ମନରେ ଦକ୍ଷିଣ ଦିଗକୁ ମୁହଁ କରି ପିତୃବର୍ଗ ନିକଟରେ ଏହି ପ୍ରାର୍ଥନା କରିବ –‘‘ଆମମାନଙ୍କ ବଂଶରେ ଦାତାର ସଂଖ୍ୟା ବଢ଼ୁ, ଓ ଆମ କୁଳରୁ ଶ୍ରଦ୍ଧା ଶେଷ ନହେଉ’ ଏହାପରେ ପିଣ୍ଡଗୁଡିକୁ ଗାଈ, ବ୍ରାହ୍ମଣ, ଛେଳି ବା ନିଆଁକୁ ଖୁଆଇବା ଉଚିତ ଅଥବା ପାଣିକୁ ପକାଇ ଦେବା ଉଚିତ।
ଏହି ଶ୍ରାଦ୍ଧ ଦାନ ଦ୍ଵାରା କେବଳ ପରଲୋକଗତ ପିତାମାତା, ପିତାମହ, ପ୍ରପିତାମହ ଶାନ୍ତି ପାଆନ୍ତି ତାହା ନୁହେଁ ଏହା ଫଳରେ ସାବତ ମା, ମୃତ ଭାଇ, ମୃତ ପିଲାପିଲି ଏବଂ ଭଗବାନ ବିଷ୍ଣୁ ମଧ୍ୟ ଏହି ଶ୍ରାଦ୍ଧ ଦ୍ଵାରା ଶାନ୍ତି ପାଆନ୍ତି ।ବିଷ୍ଣୁ ପୁରାଣ କହେ ଯେ ଯେତେବେଳେ ଜଣେ ଶ୍ରାଦ୍ଧ ଦିଏ, ସେ କେବଳ ନିଜ ପିତୃ ପୁରୁଷଙ୍କୁ ଶାନ୍ତି ଦଏ ନାହିଁ, ସେ ତାହା ଦ୍ଵାରା ମୁନି , ଋଷି, ଦେବତା, ମଣିଷ, ପଶୁପକ୍ଷୀ ଏବଂ କୀଟ ପତଙ୍ଗମାନଙ୍କୁ ମଧ୍ୟ ଶାନ୍ତି ଦିଏ।ଏଥିରୁ ଜଣାଯାଏ ଯେ ଆମର ସଂସ୍କୃତି ମହାଳୟା ଶ୍ରାଦ୍ଧ ମାଧ୍ୟମରେ ଆମ ପାଇଁ ବହୁ ମୂଲ୍ୟବାନ ତଥ୍ୟ ଗଚ୍ଛିତ କରି ରଖିଛି ଯାହାକୁ ଆମେ ସବୁଦିନ ପାଇଁ ପାଳନ କରିବା ଦରକାର।




