ଦୁବାଇ: ଏସିଆ କପ୍ ୨୦୨୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୨୧ରେ ଖେଳାଯିବା ହାଇଭୋଲଟେଜ୍ ମୁକାବିଲା। ଭାରତ–ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ୍ କେବଳ କ୍ରିକେଟ୍ର ନୁହେଁ ବରଂ ଖେଳାଳିଙ୍କ ଉପରେ ଭାବନାର ଚାପ ରହିବ। ଏହି ମୁକାବିଲା ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ।
ଏହି ବଡ଼ ମୁକାବିଲା ପୂର୍ବରୁ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ସମୟରେ ଜଣେ ଗଣମାଧ୍ୟମ ପ୍ରତିନିଧି ସୂର୍ଯ୍ୟଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଆପଣ ଭାରତ–ପାକିସ୍ତାନ ମ୍ୟାଚକୁ ନେଇ ବାହ୍ୟ କୋଳାହଳ କେମିତି ସମ୍ଭାଳନ୍ତି। ଭାରତୀୟ ଅଧିନାୟକ ଏହାର ମଜାଦାର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ମ୍ୟାଚ୍ ପୂର୍ବରୁ ଫୋନ ବନ୍ଦ କର ଓ ରୁମ୍ ବନ୍ଦ କରି ଶୋଇ ପଡ଼ିବା ସବୁଠୁ ଭଲ। ମୋତେ ଲାଗୁଛି ଏହା ସବୁଠୁ ଭଲ ଉପାୟ। କିନ୍ତୁ ଏହା କହିବା ସହଜ। ହେଲେ ବେଳେ ବେଳେ ମୁସ୍କିଲ ହୋଇଯାଏ କାରଣ ଆପଣ ବନ୍ଧୁଙ୍କୁ ଭେଟିଥାନ୍ତି ଏବଂ ରାତ୍ରଭୋଜନ ଯାଆନ୍ତି। ଏମିତି ବହୁତ ଖେଳାଳି ଅଛନ୍ତି ଯେଉଁମାନେ ସବୁ ଦେଖିବାକୁ ଏବଂ କାମ କରିବାକୁ ପସନ୍ଦ କରନ୍ତି। ତେଣୁ ଏଥିରୁ ନିସ୍ତାର ପାଇବା ସମ୍ଭବ ନୁହେଁ।
ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍ ୨୦୨୫ରେ ଗ୍ରୁପ ଷ୍ଟେଜରେ ମୁକାବିଲା ବହୁତ ଚର୍ଚ୍ଚାରେ ରହିଥିଲା। ମ୍ୟାଚ୍ ସରିବା ପରେ ଭାରତୀୟ ଖେଳାଳି ପାକିସ୍ତାନ ଖେଳାଳିଙ୍କ ସହ କରମର୍ଦ୍ଦନ କରିବାକୁ ମନା କରି ଦେଇଥିଲେ। ଏହି କାରଣରୁ ପାକିସ୍ତାନୀ ଦଳ ଅସନ୍ତୋଷ ପ୍ରକାଶ କରିଥିଲା ଏବଂ ପୁରସ୍କାର ସମାରୋହର ବହିଷ୍କାର କରିଥିଲା। ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ମ୍ୟାଚ୍ ରେରଫୀ ଆଣ୍ଡି ପାଇକ୍ରଫ୍ଟ ଏବଂ ଭାରତୀୟ ଦଳ ବିରୋଧରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ନିକଟରେ ଅଭିଯୋଗ କରିଥିଲା। ମାତ୍ର ଆଇସିସି ପାକିସ୍ତାନ ଦାବିକୁ ଅଗ୍ରାହ୍ୟ କରି ଦେଇଥିଲା। ତେବେ ଏସବୁ ମଧ୍ୟରେ ଆସନ୍ତାକାଲି ଭାରତ ଓ ପାକିସ୍ତାନ ମଧ୍ୟରେ ଆଉ ଏକ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ ଖେଳାଯିବ।




