ଭୁବନେଶ୍ବର ୧୯।୯: ସପ୍ତଦଶ ବିଧାନସଭା ଚତୁର୍ଥ ଅଧିବେଶନର ଦ୍ୱିତୀୟ ଦିନ । ମାତ୍ର ୪ ମିନିଟ୍ ଚାଲିଲା ଗୃହ । ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଲେ ବାଚସ୍ପତି ସୁରମା ପାଢ଼ୀ ।
ଗୃହ ଆରମ୍ଭରୁ ହଟ୍ଟଗୋଳ । ପ୍ରଶ୍ନକାଳରେ ରାଜ୍ୟରେ ସାରର ଅଭାବ ପ୍ରସଙ୍ଗରେ ଗୃହର ମଧ୍ୟଭାଗରେ ବିଜେଡି ସଦସ୍ୟ ହୋହଲ୍ଲା କରିଥିଲେ । ଚାଷୀଙ୍କୁ ଆବଶ୍ୟକ ପରିମାଣରେ ସାର ଯୋଗାଇବା ଆମର ଦାବି ବୋଲି ବିଜେଡି ସଦସ୍ୟ କହିଥିଲେ । ଚାଷୀଙ୍କୁ ଧୋକା ଦେଇଛି ବିଜେପି ସରକାର । ସାର ମହଜୁଦ ଅଛି କଳାବଜାରୀ କରୁଛି କିଏ… ନାରାବାଜି କରିବା ସହ ପ୍ଲାକାର୍ଡ ଧରି ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ ବିଜେଡି ସଦସ୍ୟ । ବାଚସ୍ପତି ବିଧାୟକଙ୍କୁ ପ୍ରଶ୍ନୋତ୍ତରରେ ସହଯୋଗ କରିବାକୁ ଅନୁରୋଧ କରିବା ସତ୍ତ୍ବେ ବିଜେଡି ସଦସ୍ୟମାନେ ନାରାବାଜି ଏବଂ ହଟ୍ଟଗୋଳ କରିଥିଲେ । ଏପଟେ କଂଗ୍ରେସ ସଦସ୍ୟ ନିଜ ସ୍ଥାନରେ ଠିଆହୋଇ ପ୍ରତିବାଦ ଜଣାଇଥିଲେ ।




