ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆବସେଣ୍ଟ। କିନ୍ତୁ ବିଜେଡିର ବିଧାନସଭା ପରିଚାଳନା ପାଇଁ ଗଢ଼ିଲେ ୮ ଜଣିଆ ବିଧାୟକ କମିଟି। ଆଉ କମିଟି ଗଢୁ ଗଢୁ କେଁ ବାହାରିଲାଣି। ନବୀନଙ୍କ ଗୃହ ପରିଚାଳନା କମିଟିରେ ଦୁଇ ନବାଗତ ବିଧାୟକ ଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି କିଛି ବିଧାୟକଙ୍କ ଭିତରେ। ଏବେ ନବୀନଙ୍କ ଅନୁପସ୍ଥିତିରେ ଦଳ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ବିଧାନସଭାରେ ବିରୋଧୀ ଦଳ ଭୂମିକାକୁ ସଠିକ୍ ଭାବେ ନିଭାଇ ପାରିବ ନା ନାହିଁ ତାକୁ ନେଇ ବି ପ୍ରଶ୍ନ ଉଠିଲାଣି। କିନ୍ତୁ ଦଳ କହୁଛି ସବୁ କିଛି ଠିକ୍ ଅଛି।…
ବିଜେଡିର ବିଧାୟକ ଦଳରେ ଫାଟ। ବିଧାନସଭାରେ ଜଳ ଜଳ ଦିଶିଲା ଅସନ୍ତୋଷ। ପୁରୁଖା ଖୋଲିଲେନି ମୁହଁ, ନୂଆ କହିଲେ କେହି ନୁହଁନ୍ତି ଅସନ୍ତୁଷ୍ଟ। ବିଧାନସଭା ପରିଚାଳନା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗତକାଲି ଗଢିଛନ୍ତି ୮ ଜଣିଆ ବିଧାୟକ କମିଟି। ଯେଉଁଥିରେ ଅଛନ୍ତି ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ଅରୁଣ ସାହୁ, ମନୋହର ରନ୍ଧାରୀ, ସାରଦା ନାୟକ, ଶାରଦା ଜେନା ଓ ଗୌତମ ବୁଦ୍ଧଦାସ। ନବୀନ ନିଜ ଅନୁପସ୍ଥିତିରେ ଦାୟିତ୍ବ ଦେଇଥିବା ବିଧାୟକଙ୍କ ଭିତରେ ଦୁଇ ନବାଗତ ଶାରଦା ଜେନା ଓ ଗୌତମ ବୁଦ୍ଧଦାସ ଥିବାରୁ ପୁରୁଖାଙ୍କ ଭିତରେ ତୀବ୍ର ଅସନ୍ତୋଷ।
ସେହିପରି ନିୟମିତ ବିଧାନସଭାକୁ ଆସୁନଥିବା ଶାରଦା ନାୟକଙ୍କୁ ଦଳପତି କେଉଁ ଆସ୍ଥା ରଖି ଫ୍ଲୋର ମ୍ୟାନେଜମେଣ୍ଟ ଦାୟିତ୍ବ ଦେଇଛନ୍ତି ତାକୁ ନେଇ ଏକାଧିର ଥର ଜିତିଥିବା ବିଧାୟକଙ୍କ ଭିତରେ ତୀବ୍ର ଅସନ୍ତୋଷ। ନୂଆ ବିଧାୟକ କମିଟିରେ ସ୍ଥାନ ପାଇଥିବାବେଳେ ମୁହଁ ଫୁଲାଇଛନ୍ତି ପୁରୁଖା। ଯଦିଓ ଏ ନେଇ ଅସନ୍ତୁଷ୍ଟ ନେତା ମୁହଁ ଖୋଲି ନାହାନ୍ତି। ତେବେ କମିଟିରେ ସ୍ଥାନ ପାଇଥିବା ବିଧାୟକଙ୍କ ଯୁକ୍ତି କେହି ଅସନ୍ତୁଷ୍ଟ ନାହାଁନ୍ତି, ନବୀନ ବାବୁଙ୍କ ନିର୍ଦ୍ଦେଶରେ କମିଟି ଗୃହରେ କଡ଼ା ଆଭିମୁଖ୍ୟ ରଖିବ।…
Also Read
ବିଜେଡି ଦଳ ଭିତରେ କନ୍ଦଳ ତୀବ୍ର। ଆଉ ଏବେ ବିଧାୟକ ଦଳ ଭିତରେ ବି କେଁ କାଁ ଆରମ୍ଭ ହେଇଗଲାଣି। କାରଣ ନବୀନ ନିଜେ ଓଡ଼ିଶା ବାହାରେ ଅଛନ୍ତି। ବିଧାନସଭା ନଆସି ଗୃହ ପରିଚାଳନା ପାଇଁ ନବୀନ କମିଟି ଗଢ଼ିବା ଦଳ ଭିତରେ ଚାପା ଗୁଞ୍ଜରଣ ସୃଷ୍ଟି କରିଛି। ସେମିତିରେ ନବୀନ ବିଧାନସଭାକୁ ନିୟମିତ ଆସନ୍ତି ନାହିଁ। ଆଉ ବିପର୍ଯ୍ୟୟ ପରେ ବିଧାନସଭାରେ ନବୀନଙ୍କ ଉପସ୍ଥାନ ଆହୁରି କମିଛି।
ତଥ୍ୟ ଅନୁଯାୟୀ ବିଜେପି ସରକାରରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ଅଧିବେଶନର ମୋଟ୍ ୨୮ ଦିନରୁ ନବୀନ ମାତ୍ର ଗୋଟିଏ ଦିନ ଆସିଥିଲେ। ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନର ମୋଟ ୧୨ ଦିନରୁ ୧୨ ଦିନ ଯାକ ଉପସ୍ଥିତ ଥିବାବେଳେ ତୃତୀୟ ପର୍ଯ୍ୟାୟର ୨୨ ଦିନରୁ ୧୬ ଦିନ ଉପସ୍ଥିତ ଥିଲେ। ଚଳିତ ମୌସୁମୀ ଅଧିବେଶନରେ ବି ନବୀନ ଭାଗ ନେବାର ସମ୍ଭାବନା କମ୍ ବୋଲି କୁହାଯାଉଛି ।
ରାଜନୈତିକ ସମୀକ୍ଷକଙ୍କ ମତ, ବିଧାୟକ ଦଳ ଭିତରେ କମିଟି କରି ଫାଟ ସୃଷ୍ଟି କରିଛନ୍ତି ଦଳପତି। ଯାହାକି ଆଗକୁ ଭୟଙ୍କର ରୂପ ନେଇପାରେ।… ଯେତେ ଯୋଡ଼ି ଆଗକୁ ବଢିବାକୁ ଚେଷ୍ଟା କଲେ ବିଜେଡି ରଥ ଆଗକୁ ଗଡୁନି। ଏବେ ଦେଖିବାର କଥା ବିଧାୟକ ଦଳ କମିଟି ବିବାଦ ଆଗକୁ ଆଉ କି ମୋଡ଼ ନେଉଛି।…




