BCCIର ପରବର୍ତ୍ତୀ ଅଧ୍ୟକ୍ଷ କିଏ ? ଗୃହ ମନ୍ତ୍ରୀ ଅମିତ ଶାହଙ୍କ ମିଟିଂରେ ହେବ ଫାଇନାଲ୍ ନିଷ୍ପତ୍ତି !

bcciର-ପରବର୍ତ୍ତୀ-ଅଧ୍ୟକ୍ଷ-କିଏ-?-ଗୃହ-ମନ୍ତ୍ରୀ-ଅମିତ-ଶାହଙ୍କ-ମିଟିଂରେ-ହେବ-ଫାଇନାଲ୍-ନିଷ୍ପତ୍ତି-!

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ରେ ସେପ୍ଟେମ୍ବର ୨୮ ବହୁତ ବଡ଼ ଦିନ ହେବାକୁ ଯାଉଛି। କାରଣ ଏହି ଦିନ ବୋର୍ଡର ଶୀର୍ଷ ପଦାଧିକାରୀଙ୍କ ନିର୍ବାଚନ ହେବ। ତେବେ ସଭିଙ୍କ ନଜର ରହିବ ଅଧ୍ୟକ୍ଷ ପଦକୁ ନେଇ। ଅଧ୍ୟକ୍ଷ ଭାବେ ପୂର୍ବତନ କ୍ରିକେଟର ରୋଜର ବିନ୍ନିଙ୍କ କାର୍ଯ୍ୟକାଳ ପୂରା ହୋଇ ସାରିଛି। ବର୍ତ୍ତମାନ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ବିସିସିଆଇର ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ବିସିସିଆଇ ପଦାଧିକାରୀଙ୍କ ନିର୍ବାଚନକୁ ନେଇ ଦିଲ୍ଲୀରେ ବୈଠକ ହେବାକୁ ଯାଉଛି।ଏଥିରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଯୋଗ ଦେବାର ସମ୍ଭାବନା ରହିଛି।

କ୍ରିକବଜର ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ୨୦ରେ ଦିଲ୍ଲୀରେ କ୍ଷମତାସୀନ ପାର୍ଟିର ସଦସ୍ୟଙ୍କ ସହ ବିସିସିଆଇର ଅଧିକାରୀଙ୍କ ବୈଠକ ହେବାକୁ ଯାଉଛି। ଏହି ଦିନ ନିଷ୍ପତ୍ତି ହେବ ଯେ କିଏ ହେବ ବିସିସିଆଇର ଅଧ୍ୟକ୍ଷ। କିନ୍ତୁ ଆନୁଷ୍ଠାନିକ  ଘୋଷଣା ସେପ୍ଟେମ୍ବର ୨୮ରେ ହେବାର ସମ୍ଭାବନା ରହିଛି। ଏହି ଅନୌପଚାରିକ ବୈଠକ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ହେବ। ଏଠାରେ ହିଁ ବିସିସିଆଇର ପରବର୍ତ୍ତୀ ନେତୃତ୍ଵର ଅନ୍ତିମ ରୂପରେଖା ପ୍ରସ୍ତୁତ କରାଯିବ। ୨୦୨୨ରେ ଏହି ଧରଣର ଏକ ବୈଠକରେ ପୂର୍ବତନ ଅଧ୍ୟକ୍ଷ ଏନ ଶ୍ରୀନିବାସନ ତତ୍କାଳୀନ ବିସିସିଆଇ ପ୍ରମୁଖ ସୌରଭ ଗାଙ୍ଗୁଲିଙ୍କ ଉପରେ ଗତ ତିନି ବର୍ଷର ପ୍ରଦର୍ଶନକୁ ନେଇ କଡ଼ା ସମାଲୋଚନା କରିଥିଲେ।

ଗାଙ୍ଗୁଲି ସେହି ସମୟରେ ବିସିସିଆଇର ଅଧ୍ୟକ୍ଷ ଭାବେ ଆଉ ଏକ କାର୍ଯ୍ୟକାଳ ରହି ପାରିଥାନ୍ତେ, ମାତ୍ର ବୈଠକ ଶେଷରେ ରୋଜର ବିନ୍ନିଙ୍କୁ ଏହି ପଦ ପାଇଁ ଚୟନ କରାଗଲା। ତେବେ ହେବାକୁ ଥିବା ବୈଠକରେ ଗାଙ୍ଗୁଲିଙ୍କୁ ପୁଣି ଥରେ ଆମନ୍ତ୍ରିତ କରାଯିବ କି ନାହିଁ ତାହା କେବଳ ଏକ ପୂର୍ବାନୁମାନ। ପୂର୍ବତନ ସାଥୀ ଖେଳାଳି  ହରଭଜନ ସିଂଙ୍କୁ ନେଇ ମଧ୍ୟ ଚର୍ଚ୍ଚା କରାଯାଉଛି। ଏହା ବାଦ୍ ପୂର୍ବତନ ଭାରତୀୟ ଓ୍ଵିକେଟ୍ କିପର କିରଣ ମୋରେଙ୍କ ନାଁ ମଧ୍ୟ ବିସିସିଆଇ ଅଧ୍ୟକ୍ଷ ପଦ ତାଲିକାରେ ରହିଛି। ତେବେ ଦେଖିବାକୁ ବାକି ରହିଲା  ହାତୀ କାହା ଉପରେ ସୁନା କଳସ ଢାଳୁଛି।

Scroll to Top