ନୂଆଦିଲ୍ଲୀ: ଅଲିମ୍ପିକ୍ସ ସ୍ଵର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ସର୍ବଦା ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ଗର୍ବିତ କରି ଆସିଛନ୍ତି। ଏଥର ଭାରତର ଏହି ତାରକା ଖେଳାଳି ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନଶିପର ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ନୀରଜ ନିଜର ପ୍ରଥମ ପ୍ରୟାସରେ ୮୪.୮୫ ମିଟର ଦୂର ଭାଲା ଫିଙ୍ଗିଛନ୍ତି। ସେପ୍ଟେମ୍ବର ୧୭ରେ ଚାମ୍ପିଅନଶିପର ଫାଇନାଲ୍ରେ ପହଞ୍ଚିବା ପାଇଁ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ନୀରଜ ପ୍ରଥମ ପ୍ରୟାସରେ ହିଁ ଫାଇନାଲ୍ ପାଇଁ ସ୍ଥାନ ସୁନିଶ୍ଚିତ କରିଛନ୍ତି। ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନଶିପ ଜାପାନର ରାଜଧାନୀ ଟୋକିଓରେ ଖେଳା ଯାଉଛି। ଆସନ୍ତାକାଲି ଫାଇନାଲ୍ ଖେଳାଯିବ ଓ ପାକିସ୍ତାନର ଅର୍ଶଦ ନଦୀମଙ୍କ ସହ ମୁହାଁମୁହିଁ ହୋଇପାରେ।
ସବୁଠୁ ବଡ଼ କଥା ନୀରଜ ଚୋପ୍ରାଙ୍କ ବ୍ୟତୀତ କୌଣସି ବି ଆଥଲେଟ୍ ପ୍ରଥମ ରାଉଣ୍ଡରେ ସିଧାସଳଖ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରି ନାହାନ୍ତି। ସୂଚନାଯୋଗ୍ୟ, ନୀରଜ ଚୋପ୍ରାଙ୍କ ଗ୍ରୁପରେ ମୋଟ୍ ୬ ଆଥଲେଟ୍ ଅଛନ୍ତି। ଗୁରୁବାର ହେବାକୁ ଥିବା ଫାଇନାଲ୍ରେ ନୀରଜ ଚୋପ୍ରାଙ୍କୁ ନିଜର ପଦକ ବଜାୟ ରଖିବାକୁ କଡ଼ା ଆହ୍ଵାନର ସମ୍ମୁଖୀନ ହେବାକୁ ପଡ଼ିପାରେ। କାରଣ ଫାଇନାଲ୍ରେ ତାଙ୍କୁ କଡ଼ା ଚ୍ୟାଲେଞ୍ଜ ଦେବେ ପାକିସ୍ତାନର ଅର୍ଶଦ ନଦୀମ। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପରେ ପ୍ରଥମ ଥର ଏହି ଦୁଇ ଖେଳାଳିଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ। ପ୍ୟାରିସ ଅଲିମ୍ପିକ୍ସରେ ଅର୍ଶଦ ୯୨.୯୭ ମିଟର ଭାଲା ଫିଙ୍ଗି ସ୍ଵର୍ଣ୍ଣ ପଦକ ଜିତିଥିଲେ। ଆଉ ନୀରଜ ନିଜର ସର୍ବଶ୍ରେଷ୍ଠ ଥ୍ରୋ ୮୯.୪୫ ମିଟର ଫିଙ୍ଗି ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।
— Inspire Institute of Sport (@IIS_Vijayanagar) September 17, 2025
କାହାର ପଲ୍ଲା ଭାରି
ନୀରଜ ଚୋପ୍ରା ୨୦୨୩ରେ ହଙ୍ଗେରୀରେ ଆୟୋଜିତ ବିଶ୍ଵ ଚାମ୍ପିଅନଶିପରେ ୮୮.୧୭ ମିଟର ଭାଲା ଫିଙ୍ଗି ସ୍ଵର୍ଣ୍ଣ ପଦକ ଜିତିଥିଲେ। ଅନ୍ୟପଟେ ଅର୍ଶଦ ଅଲିମ୍ପିକ୍ସର ସ୍ଵର୍ଣ୍ଣ ପଦକ ବିଜେତା। ସେ ୯୨.୯୭ ମିଟର ଭାଲା ଫିଙ୍ଗି ବିଶ୍ଵ ରେକର୍ଡ କରିଛନ୍ତି। ତେଣୁ ଗୁରୁବାର ଫାଇନାଲ୍ରେ ନୀରଜଙ୍କୁ ଅର୍ଶଦଙ୍କଠୁ କଡ଼ା ଚ୍ୟାଲେଞ୍ଜ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।
କଣ ଦେଖିବାକୁ ମିଳିବ ନୋ ହ୍ୟାଣ୍ଡଶେକ ବିବାଦ ?
ଉଲ୍ଲେଖନୀୟ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ନୀରଜଙ୍କୁ ୧୯ ଜଣିଆ ଗ୍ରୁପ ଏରେ ରଖାଯାଇଥିଲା। ଏଥିରେ ଓ୍ଵେବର, ଓ୍ଵାଲକୋଟ, ଓ୍ଵାଇଲେଜ ଓ ସଚିନ ଯାଦବ ସାମିଲ ଥିଲେ। ଅନ୍ୟପଟେ ଗ୍ରୁପ ବିରେ ଅର୍ଶଦ ନଦୀମ, ପିଟର୍ସ, ୟେଗୋ, ଦା ସିଲଭା, ରୋହିତ ଯାଦବ, ଯଶବୀର ସିଂ ଓ ଶ୍ରୀଲଙ୍କାର ରମେଶ ଥରଙ୍ଗା ସାମିଲ। ୮୪.୫୦ ମିଟର ଚିହ୍ନ ଅତିକ୍ରମ କରୁଥିବା କିମ୍ବା ଟପ୍-୧୨ ଫିଙ୍ଗାଳି ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଏମିତିରେ ଦେଖିବାକୁ ରୋଚକ ରହିବ ଯେ, କଣ ଅର୍ଶଦ ଓ ନୀରଜ ପରସ୍ପର ସହ ହାତ ମିଳାଇବେ ନା ନାହିଁ। ଏସିଆ କପରେ ରବିବାର ଖେଳା ଯାଇଥିବା ମ୍ୟାଚ୍ରେ ଭାରତୀୟ ଦଳର ଖେଳାଳି ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇ ନ ଥିଲେ।




