Cloudburst in Devbhoomi: ଦେବଭୂମିରେ ପୁଣି ପ୍ରକୃତିର କରାଳ କୋପ, ବାଦଲ ଫାଟି ପାହାଡ଼ରୁ ଖସିଲା ପ୍ରଳୟ

cloudburst-in-devbhoomi:-ଦେବଭୂମିରେ-ପୁଣି-ପ୍ରକୃତିର-କରାଳ-କୋପ,-ବାଦଲ-ଫାଟି-ପାହାଡ଼ରୁ-ଖସିଲା-ପ୍ରଳୟ

ଉତ୍ତରାଖଣ୍ଡର ପିଛା ଛାଡୁନି ପ୍ରଳୟ। ବାରମ୍ବାର ବାଦଲ ଫାଟୁଛି, ବିତ୍ପାତ ଆଣୁଛି ବନ୍ୟା। ପାହାଡ଼ରୁ ଯେମିତି ଖସୁଛି ପ୍ରଳୟ। ଗତରାତିରେ ଉତ୍ତରାଖଣ୍ଡ ସହସ୍ରାଧାରା ଅଞ୍ଚଳରେ ବାଦଲ ଫାଟିବା ପରେ ଡେରାଡୁନରେ ଭୟଙ୍କର ବିଭୀଷିକା ଦେଖିବାକୁ ମିଳିଛି। ରାସ୍ତାଘାଟ, ଘରଦ୍ବାର, ମାର୍କେଟ କେଉଁଠି ଭାସି ଯାଇଛି ତ କେଉଁଠି ବୁଡ଼ିଛି। ଡେରାଡୁନରେ ତମସା ନଦୀ ଓ ରିଷିକେଶରେ ଚନ୍ଦ୍ରଭାଗା ନଦୀର ରୌଦ୍ର ରୂପ ଜନଜୀବନ ସହ ବ୍ୟାପକ ଧନସମ୍ପତ୍ତି ଛାରଖାର କରିଛି। ଗତ ଦେଢ଼ ମାସ ଭିତରେ ପ୍ରକୃତିର କୋପରେ ଯୁଝି ହେଉଛି ଉତ୍ତର ଭାରତ। …

ଦେବଭୂମିରେ ପୁଣି ପ୍ରକୃତିର କରାଳ କୋପ। ବାଦଲ ଫାଟିଲା, ପାହାଡ଼ରୁ ଖସିଲା ପ୍ରଳୟ। ମିସାଇଲ ଭଳି ମାଡ଼ି ଆସିଲା ପାଣି। ନଦୀର ରୌଦ୍ର ରୂପରେ ସବୁ କିଛି ସ୍ବାହା। ଧୋଇଗଲା ରାସ୍ତାଘାଟ, ଘରଦ୍ବାର, ମନ୍ଦିର ପୁଣି ମାର୍କେଟ। ରାତି ପାହିବା ପୂର୍ବରୁ ବଦଳିଗଲା ବାସ ଆଉ ବସତିର ପରିଚୟ। ଚାରିଆଡେ ଖାଲି କ୍ଷୟକ୍ଷତି, ଆଉ ବିଭୀଷିକାର ଭୟଙ୍କର ଚିତ୍ର। ମୌସୁମୀର ଲେଉଟାଣି ବେଳାରେ ଉତ୍ତରାଖଣ୍ଡ ଡେରାଡୁନରେ ପ୍ରକୃତି ଏଭଳି ବିତ୍ପାତ ଆଣିଛି, ଯାହାକୁ ଦେଖିଲେ ଛାତି ଥରି ଯାଉଛି, ଲୋମ ଟାଙ୍କୁରି ଉଠୁଛି।

ସହସ୍ରଧାରା ଅଞ୍ଚଳରେ ଗତ ରାତିରେ ବାଦଲ ଫାଟିବା ପରେ ପାହାଡ଼ରୁ ଗୁଳି ଭଳି ଛୁଟିଥିଲା ପାଣି, କାଦୁଅ ଆଉ ବଡ଼ ବଡ଼ ପଥର। ତମସା ନଦୀରେ ମାଡ଼ି ଆସିଥିଲା ଭୟଙ୍କର ବନ୍ୟା। ତଳି ଅଞ୍ଚଳରେ ଫ୍ଲାସଫ୍ଲଡ ଜନବସତିକୁ ଧୋଇ ଦେଇଥିବା ବେଳେ ଜଳପ୍ରଳୟ ଆଁରେ ଗିଳି ଦେଇଛି ମାର୍କେଟ। କେଉଁଠି ଗାଡ଼ିମୋଟର ପୋତି ହୋଇଗଲା ତ ଆଉ କେଉଁଠି ଭାସିଗଲା ଅନେକ ଦୂର। ସହସ୍ତ୍ରଧାରା ଅଞ୍ଚଳରେ ବନ୍ୟା ତାଉରେ ନିଶ୍ଚିନ୍ନ ହୋଇଛି ବହୁ ଦୋକାନ ଘର ଓ ହୋଟେଲ୍। ବହୁ ପୁରାତନ ତପକେଶ୍ବର ଶିବ ମନ୍ଦିରକୁ ବୁଡ଼ାଇଛି ତମସା ନଦୀର ପାଣି।

Also Read

ଡେରାଡୁନ୍ ସହର ତ୍ରାହି ତ୍ରାହି ଡାକ ଛାଡୁଥିବା ବେଳେ ଉତ୍ତରାଖଣ୍ଡ ଡେଣ୍ଟାଲ କଲେଜ ପାଖରେ ଡେରାଡୁନ୍-ହରିଦ୍ବାର ଜାତୀୟ ରାଜପଥ ଭାସି ଯିବାରୁ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ବଡ଼ ବଡ଼ ଖାଇ ତ ଆଉ କେଉଁଠି ରାସ୍ତା ଉପରେ ଜମା ହୋଇଛି ପଙ୍କ ଓ କାଦୁଅର ବହଳ ବହଳ ଆସ୍ତରଣ। ରାସ୍ତାଘାଟ ନଥିବାରୁ ଫସି ରହିଛନ୍ତି ସ୍ଥାନୀୟ ଲୋକ ଓ ପର୍ଯ୍ୟଟକ। …
 

ପାଖାପାଖି ଦେଢ଼ ମାସ ହେବ ପ୍ରକୃତିର କୋପରେ ଯୁଝି ହେଉଛି ଉତ୍ତରାଖଣ୍ଡ। ଗତକାଲି ରାତିରେ ବାଦଲ ଫାଟିବା ଓ ଅବିଶ୍ରାନ୍ତ ବର୍ଷା ପରେ ସ୍ଥିତି ପୂରା ବେହାଲ। ଡେରାଡୁନ୍ ସହ ଘୋର ପ୍ରଭାବିତ ହୋଇଛି ରିଷିକେଶ। ଚନ୍ଦ୍ରଭାଗା ନଦୀରେ ମଧ୍ୟ ପ୍ରବଳ ବନ୍ୟା ଆସିଛି। ସେଠି ବି ପାଣି ସୁଅ ମନ୍ଦିର, ଦୋକାନ, ଘରକୁ ବୁଡ଼ାଇବା ସହ ଭସାଇ ନେଇଛି। ଚନ୍ଦ୍ରଭାଗା ବନ୍ୟା ପାଣିରେ ଭାସି ଯାଇଥିବା ଟ୍ରକରୁ କିଛି ଲୋକଙ୍କୁ ଉଦ୍ଧାର କରି ମରଣ ମୁହଁରୁ ଟାଣି ଆଣି ନୂଆ ଜୀବନ ଦେଇଥିଲେ ଏସଡିଆରଏଫ୍ ଟିମ।

ଡେରାଡୁନ୍ ଓ ରିଷିକେଶରେ ଅନେକ ଅଞ୍ଚଳ ଧ୍ବଂସ୍ତସ୍ତୁପ ପାଲଟିଛି। ବହୁ ଲୋକ ନିଖୋଜ ହୋଇଛନ୍ତି। ରେସକ୍ୟୁ ଅପରେସନରେ ଲାଗିଛନ୍ତି ଏନଡିଆରଏଫ୍, ଏସଡିଆରଏଫ୍ ସହ ସ୍ଥାନୀୟ ପୋଲିସ ଓ ପ୍ରଶାସନ। ସହସ୍ତ୍ରଧାରା, କେଶରୱାଲାରେ ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି। ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଫୋନ୍ ଯୋଗେ ଧାମିଙ୍କ ସହ କଥା ହେବା ସହ ସବୁ ପ୍ରକାର ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ବାଦଲ ଫଟା ବର୍ଷାରେ ବାରମ୍ବାର ବେହାଲ ହେଉଛି ଉତ୍ତର ଭାରତ। କେବଳ ଉତ୍ତରାଖଣ୍ଡ ନୁହେଁ ହିମାଚଳ ପ୍ରଦେଶରେ ବି ଭୟଙ୍କର ବିପର୍ଯ୍ୟୟ ଆଣିଛି ବର୍ଷା ଓ ଭୂସ୍ଖଳନ। ସିମଲାରେ ରାସ୍ତାଘାଟ ଧୋଇ ଯାଇଥିବା ବେଳେ ଭାଙ୍ଗିଛି ବହୁ ଘରଦ୍ବାର ଓ ବଡ଼ ବଡ଼ ଗଛ। ମାଟି କାଦୁଅରେ ପୋତି ହୋଇଛି ଅନେକ ଗାଡ଼ିମୋଟର।

ଗତ ମାସରେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲା ଧରାଲି ଗାଁରେ ବାଦଲ ଫାଟିବା ପରେ ହଠାତ୍ ଆସିଥିଲା ଭୟଙ୍କର ବନ୍ୟା। ନିମିଷକରେ ତାସଘର ଭଳି ଭୁଶୁଡ଼ି ପଡ଼ିଥିଲା ବଡ଼ ବଡ଼ କୋଠା, ଭାସି ଯାଇଥିଲା ରାସ୍ତାଘାଟ ଓ ମାର୍କେଟ। ସେ ଛାତିଥରା ଦୃଶ୍ୟ ଏବେ ବି ଦେଖିଲେ ଲୋମ ଟାଙ୍କୁରି ଉଠେ। ଏବେ ପୁଣି ବିଭୀଷିକା ନୟାନ୍ତ କରିଛି, ଆତଙ୍କ ଖେଳାଇଛି। …

ଅଧିକ ପଢ଼ନ୍ତୁ: ବଡ଼ ଘୋଷଣା, ଛାତ୍ର କ୍ରେଡିଟ୍ କାର୍ଡରେ ୪ ଲକ୍ଷ ଟଙ୍କାର ସୁଧମୁକ୍ତ ଋଣ

Scroll to Top