Baliharachandi Shock: ବାଲିହରଚଣ୍ଡୀରେ ଗୋପାଳପୁର ଲଜ୍ଜାର ରିପିଟ୍, ଗଣଦୁଷ୍କର୍ମ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ସହ ୪ ଗିରଫ

baliharachandi-shock:-ବାଲିହରଚଣ୍ଡୀରେ-ଗୋପାଳପୁର-ଲଜ୍ଜାର-ରିପିଟ୍,-ଗଣଦୁଷ୍କର୍ମ-ଅଭିଯୋଗରେ-ମୁଖ୍ୟ-ଅଭିଯୁକ୍ତ-ସହ-୪-ଗିରଫ

ଗୋପାଳପୁର ଲଜ୍ଜାର ରିପିଟ୍ ବାଲିହରଚଣ୍ଡିରେ। ପୁରୁଷ ବନ୍ଧୁ ସାମ୍ନାରେ ବାନ୍ଧବୀଙ୍କୁ ଗଣଦୁଷ୍କର୍ମର ସଂଗୀନ ଅଭିଯୋଗ। ପ୍ରଥମେ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡ଼ିଓ ରେକର୍ଡିଂ କଲେ ଦୁର୍ବୃତ୍ତ। ତା’ପରେ ବ୍ଲାକମେଲ୍ କରି ଲୁଟିଲେ ଟଙ୍କା। ଏହାପରେ ଗଣଦୁଷ୍କର୍ମ କରିବାକୁ ବି ପଛାଇଲେନି। ଏଭଳି ଅଭିଯୋଗ ପରେ ଆକ୍ସନମୋଡକୁ ଆସି ପୁରୀ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଏହି ଘଟଣା ପରେ ପର୍ଯ୍ୟଟନସ୍ଥଳୀରେ ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ଉଠିଥିବାବେଳେ ଆରମ୍ଭ ହୋଇଛି ରାଜନୈତିକ ଆରୋପ ପ୍ରତି ଆରୋପ।…

ପର୍ଯ୍ୟଟନ ସ୍ଥଳୀରେ ପୁଣି ପାପ…ଆଧ୍ୟାତ୍ମିକ ପୀଠରେ ପୁଣି ଆତଙ୍କରାଜ…ଗଞ୍ଜାମ ଗୋପାଳପୁର କାଣ୍ଡ କାରନାମାର ରିପିଟ୍ ପୁରୀ ବାଲିହରଚଣ୍ଡିରେ…ଏ ହେଉଛି ସେହି ସ୍ଥାନ, ଯେଉଁଠି ଜଣେ ଯୁବତୀଙ୍କୁ ଝୁଣି ପକାଇଲେ ୪ ଦୁର୍ବୃତ୍ତ…ଏ ହେଉଛି ସେହି କ୍ରାଇମସ୍ପଟ୍ ଯେଉଁଠି ପୁରୁଷ ବନ୍ଧୁ ଆଗରେ ଲୁଟ୍ ହେଲା ବାନ୍ଧବୀଙ୍କ ଇଜ୍ଜତ ମହତ୍। ଘଟଣାସ୍ଥଳରୁ ପୁରୀ ପୋଲିସ ଗୋଟାଉଛି ପ୍ରମାଣ, ସାଇଣ୍ଟିଫିକ୍ ଟିମ୍ ଜରିଆରେ ଚଳାଇଛି ଛାନଭିନ୍।

ମନୋଜ ବେହେରା ଓରଫ୍ କାଳିଆ ଆଉ ଶିବ ସାହୁ ଉଭୟଙ୍କ ସହ ଆଉ ୨ଟି ନାଁ ବି ଚର୍ଚ୍ଚାରେ। ଜଣେ ରାହୁଲ ସାହୁ ଆଉ ଜଣେ ଆଦ୍ୟା ବେହେରା। ଏହି ୪ ଜଣଙ୍କ ମଧ୍ୟରୁ ପୁରୀ ପୋଲିସ ପୂର୍ବରୁ ହିଁ ଶିବ, ରାହୁଲ ଏବଂ ଆଦ୍ୟାକୁ ଧରିଥିଲା। ଆଉ ଶେଷରେ ଗତରାତିରେ ଆନ୍ଧ୍ର-ଓଡ଼ିଶା ସୀମାରୁ ଫେରାର୍ କାଳିଆକୁ ଗିରଫ କରିଛି। ଏହି ୪ ଅଭିଯୁକ୍ତ ବାଲିହରଚଣ୍ଡି ନିକଟ ଚଣ୍ଡିପୁଟ ଗାଁର ବୋଲି ଜଣାପଡ଼ିବା ପରେ ଏବଂ ଏଭଳି ଅଘଟଣକୁ ନିନ୍ଦା କରିଛନ୍ତି ସ୍ଥାନୀୟ ବାସିନ୍ଦା। କିନ୍ତୁ ଘଟଣା ସଂପର୍କରେ ମୁହଁ ଖୋଲୁନି ପୋଲିସ।

Also Read

ସେପଟେମ୍ବର ୧୩, ଶନିବାର। ସମୟ ଅପରାହ୍ନ। ଅଭିଯୋଗ ଅନୁଯାୟୀ, ପୁରୁଷ ବନ୍ଧୁ ସହ ପୀଡ଼ିତା ଯାଇଥିଲେ ବାଲିହରଚଣ୍ଡି ପୀଠକୁ। ସେଠାରେ ଦର୍ଶନ ପରେ ସମୁଦ୍ରକୂଳ ଝାଉଁବଣରେ ବସିଥିଲେ। ଏହି ସମୟରେ ସଂପୃକ୍ତ ଦୁର୍ବୃତ୍ତ ଅନ୍ତରଙ୍ଗ ମୁହୁର୍ତ୍ତର ଦୃଶ୍ୟକୁ କଏଦ୍ କରିଥିଲେ ମୋବାଇଲରେ। ଆଉ ସେହି ଦୃଶ୍ୟ ଦେଖାଇ ବ୍ଲାକମେଲ୍ ସହ ଫୋନ୍ ପେ’ ଏବଂ ନଗଦ କ୍ୟାସ୍ ମିଶାଇ ନେଇଗଲେ ୩ ହଜାର ଟଙ୍କା। ସେତିକିରେ ବି ମନ ବୁଝିଲାନି ବୋଲି ପୁରୁଷ ବନ୍ଧୁ ଆଗରେ ଗଣଦୁଷ୍କର୍ମ କଲେ ଦୁର୍ବୃତ୍ତ। ଏ ସଂପର୍କରେ ସଦର ଥାନାରେ ଏତଲା ପରେ ସେହି ଶନିବାର ହିଁ ୩ ଜଣଙ୍କୁ ଉଠାଇଥିଲା ପୋଲିସ। ଆଉ ଗତ ରାତିରେ ମୁଖ୍ୟ ଅଭିଯୁକ୍ତ କାଳିଆକୁ ଗିରଫ କରିଥିବା ସଦର ଏସଡିପିଓ ସୂଚନା ଦେଇଛନ୍ତି।
 

ବ୍ରହ୍ମଗିରି ଥାନା ଏବଂ ପୁରୀ ସଦର ଥାନା ଅଧିନରେ ଥିବା ବାଲିହରଚଣ୍ଡି ପୀଠ ଅନ୍ୟତମ ଆଧ୍ୟାତ୍ମିକ ସ୍ଥଳୀ। ସମୂଦ୍ର ସହ ଝାଉଁବଣ ପରିବେଶ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମେ। ତେବେ ମୁକୁଳା ଅବସ୍ଥାରେ ଥିବା ଏହି ପର୍ଯ୍ୟଟନସ୍ଥଳୀରେ ପୂର୍ବରୁ ସ୍ଥାନୀୟ ଅଞ୍ଚଳର ଅସାମାଜିକ ଲୁଟପାଟ୍ ସହ ନାନା ଅପରାଧ ଭିଆଇଛନ୍ତି। ଅଥଚ ନା ପୋଲିସ ଫାଣ୍ଡି ଅଛି ନା କୌଣସି ସୁରକ୍ଷା ବ୍ୟବସ୍ଥା। ଯାହାର ଫାଇଦା ନେଇ ଲଜ୍ଜାଜନକ କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ।

ଏହି ଅଘଟଣକୁ ନେଇ ରାଜ୍ୟ ସରକାରଙ୍କୁ ନିଶାନା କରିଛି ବିଜେଡି। ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ନାରୀ ନିର୍ଯାତନା ସହ ପର୍ଯ୍ୟଟନସ୍ଥଳୀରେ ସୁରକ୍ଷା କଥା ଉଠାଇ ସବୁଠି ଆଉଟ୍ ପୋଷ୍ଟ ପାଇଁ ଦାବି କରିଛନ୍ତି। ସେପଟେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର କହିଛନ୍ତି, ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ବାଲିହରଚଣ୍ଡୀ ସହ ବ୍ରହ୍ନଗିରି ଅଞ୍ଚଳର ସବୁ ପର୍ଯ୍ୟଟନ ସ୍ଥଳୀରେ ପୋଲିସ ଫାଣ୍ଡି ପାଇଁ ସରକାରଙ୍କୁ ଜଣାଇଛି।
ଗତ ଜୁନରେ ଗୋପାଳପୁର, ଆଉ ଏବେ ବାଲିହରଚଣ୍ଡୀ। ୪ ମାସରେ ଦୁଇ ଦୁଇଟି ଲଜ୍ଜା ପରେ ପର୍ଯ୍ୟଟନସ୍ଥଳୀରେ ସୁରକ୍ଷା କେବେ, ତାକୁ ଅପେକ୍ଷା।…

ଅଧିକ ପଢ଼ନ୍ତୁ: କ୍ରାଇମ ସ୍ପଟରେ ପୀଡିତା, ପୋଲିସକୁ କହିଲେ ସାଂଘାତିକ କଥା

Scroll to Top