କଟକ ୧୬।୦୯ : ଦୁଲୁକିବ ପୁଣି ବାରବାଟୀ। ଟି–୨୦ କ୍ରିକେଟର ମଜା ନେବେ ଦର୍ଶକ। ଆସନ୍ତା ବୁଧବାରଠୁ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଓଡିଶା ପ୍ରୋ ଟି20 ଲିଗ। ୬ ଟି ଟିମ ମଧ୍ୟରେ ହେବ କଡା ମୁକାବିଲା । ନିଲାମି ପ୍ରକ୍ରିୟାରେ ଚୟନ ହୋଇଛି ଟିମ। ପୁରୀ , କଟକ ,ଭୁବନେଶ୍ୱର , ସମ୍ବଲପୁର,ରାଉରକେଲା ଓ କେନ୍ଦୁଝର ଏହି ପ୍ରତିଯୋଗିତାରେ ମୁହାଁମୁହିଁ ହେବେ।
ତେବେ ଏହି ପ୍ରତିଯୋଗିତା ଚଳିତ ମାସ ୧୭ ତାରିଖରୁ ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଓପନିଂ କଟକ ପାନ୍ଥର ବନାମ ଭୁବନେଶ୍ୱର ଟାଇଗର୍ସ ମଧ୍ୟରେ ଖେଳାଯିବ।ଗ୍ୟାଲେରୀ ୧,୩,୫ରେ ଫ୍ରିରେ ଦର୍ଶକ ମ୍ୟାଚ ଦେଖିପାରିବେ । ପ୍ରତ୍ୟେକ ଦିନ ଦୁଇଟି ମ୍ୟାଚ ଖେଳାଯିବ। ବିଜେତା ଦଳ ପାଇଁ ୫୦ ଲକ୍ଷ ଟଙ୍କା ପ୍ରାଇଜ ମନି ରହିଥିଲା ବେଳେ ଉପ ବିଜେତା ଦଳ ପାଇଁ ୨୫ ଲକ୍ଷ ଟଙ୍କା ଧାର୍ଯ୍ୟ କରିଛି ଓସିଏ । ଇର୍ଫାନ ପଠାନ ଓ ଦେବାଶିଷ ମହାନ୍ତି ଲିଗ୍ର ବ୍ରାଣ୍ଡ ଅମ୍ବାସାଡର ରହିଛନ୍ତି। ଏହି ଲିଗ୍ ଆୟୋଜନର ମୂଳ ଲକ୍ଷ ଓଡ଼ିଆ କ୍ରିକେଟରଙ୍କୁ ଜାତୀୟ ଦଳରେ ସ୍ଥାନ ଦେବା। କାରଣ ଏହିଭଳି ପ୍ରତିଯୋଗିତା ମାଧ୍ୟମରେ ଓଡ଼ିଆ କ୍ରିକେଟର ଆଇପିଏଲ ଟିମରେ ସ୍ଥାନ ପାଇବା ପାଇଁ ଅଧିକ ଦାବିଦାର ହୋଇପାରିବେ। ଏହାବ୍ୟତୀତ ପ୍ରୋ ଟି–୨୦ ଲିଗ୍ରେ ଆଇପିଏଲ ବିଭିନ୍ନ ଦଳର ଚୟନ କମିଟି ଆସିବାର ସମ୍ଭାବନା ରହିଛି। ଯାହା ଦ୍ୱାରା ଓଡିଶା କ୍ରିକେଟର ଏହି ଲିଗ୍ ଜରିଆରେ ନିଜର ସ୍ୱପ୍ନ ପୁରା କରିପାରିବେ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା।




