ଭୁବନେଶ୍ୱର ୧୬/୦୯: ଆସନ୍ତା ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ । ୧୬ ରେ ବସିବ ସର୍ବଦଳୀୟ ବୈଠକ । ସର୍ବଦଳୀୟ ବୈଠକ ଡାକିଛନ୍ତି ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ବିଧାନସଭାକୁ ସୁରୁଖୁରରେ ଚଲାଇବା ପାଇଁ ବୈଠକ ଡାକିଛନ୍ତି ବାଚସ୍ପତି । ଏହି ସ୍ୱଳ୍ପକାଳୀନ ଅଧିବେଶନକୁ ସରଗରମ କରିବାକୁ ବିରୋଧୀ ଦଳ ପ୍ରସଙ୍ଗର ଲମ୍ବା ତାଲିକା ଧରି ଅପେକ୍ଷା କରିଛନ୍ତି । ଏହା ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ ।
ଏହି ସ୍ୱଳ୍ପକାଳୀନ ଅଧିବେଶନକୁ ସରଗରମ କରିବାକୁ ବିରୋଧୀ ଦଳ ପ୍ରସଙ୍ଗର ଲମ୍ବା ତାଲିକା ଧରି ଅପେକ୍ଷା କରିଛନ୍ତି । ବିରୋଧୀ ଦଳର ପ୍ରତି ଅଭିଯୋଗ ଉପରେ ଶାସକ ଦଳ ମଧ୍ୟ ମୁହଁତୋଡ଼ ଜବାବ ଦେବାକୁ ପ୍ରସ୍ତୁତ ଅଛି । ଆସନ୍ତା ୧୭ ତାରିଖରେ ବିଧାନସଭା ପାଇଁ ତିନି ଦଳର ରଣନୀତି ବୈଠକ ବସିବ ବୋଲି ଜଣାପଡ଼ିଛି । ଆସନ୍ତା ୧୭ ତାରିଖ ସନ୍ଧ୍ୟା ୫ଟାରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ସରକାର ନିଜ ପ୍ରତିଶ୍ରୁତି ପାଳନ କରୁନାହାନ୍ତି ।
ନାରୀ ସୁରକ୍ଷା, ଜନପ୍ରତିନିଧିଙ୍କ କ୍ଷମତା ହ୍ରାସ ଭଳି ପ୍ରମୁଖ ପ୍ରସଙ୍ଗକୁ ବିଜେଡି ବିଧାନସଭାରେ ଉପସ୍ଥାପନ କରିବ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ୧୭ ତାରିଖରେ କଂଗ୍ରେସ ବିଧାୟକ ଦଳ ବୈଠକରେ ବିଧାନସଭା ପାଇଁ ରଣନୀତି ପ୍ରସ୍ତୁତ ହେବ । ସରକାର ବିରୋଧରେ କଂଗ୍ରେସ ଅନାସ୍ଥା ଆଣିବ । ଏଥିପାଇଁ ବିଜେଡିର ସମର୍ଥନ ମଧ୍ୟ ଲୋଡ଼ାଯିବ । ଯଦି ବିଜେଡି ଅନାସ୍ଥା ଆଣିବ, ଆମେ ତାଙ୍କୁ ସମର୍ଥନ ଦେବୁ । ବିଧାନସଭାରେ ନାରୀ ସୁରକ୍ଷା, ସାର ସଙ୍କଟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରିବୁ ।
ଆସନ୍ତା ୧୭ରେ ବିଜେପି ବିଧାୟକ ଦଳ ବୈଠକ ବସିବ । ଏ ନେଇ ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ସରକାର ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ । କଂଗ୍ରେସ ଯେଉଁ ଅନାସ୍ଥା ପ୍ରସ୍ତାବ କଥା ଉଠାଇଛି, ତାହାର ଦମ୍ଭୋକ୍ତି ଉପରାଷ୍ଟ୍ରପତି ନିର୍ବାଚନରେ ସ୍ପଷ୍ଟ ହୋଇଯାଇଛି । ରାଜ୍ୟବାସୀଙ୍କର ସରକାରଙ୍କ ଉପରେ ଆସ୍ଥା ଅଛି । ଲୋକହସା ହେବା ପାଇଁ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିପାରେ । ବିଜେଡି ଅଣ କଂଗ୍ରେସ ଦଳ । ତେଣୁ ବିଜେଡି କେବେ ବି କଂଗ୍ରେସ ସହ ଯିବ ନାହିଁ ।




