ଦୁବାଇରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ପାକିସ୍ତାନ ଭାରତଠାରୁ ଅତି ଶୋଚନୀୟ ଭାବେ ହାରିଛି।
ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଓ ଏହା ପରବର୍ତ୍ତୀ ଅପରେସନ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରଥମ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଦୁବାଇରେ ଅନୁଷ୍ଠିତ କ୍ରିକେଟ୍ ମଇଦାନକୁ ଓହ୍ଲାଇଥିଲେ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ। ଏହି ସୁପର ସନଡେର ଲଢେଇରେ ପାକିସ୍ତାନ ଖେଳାଳିଙ୍କୁ ପାଣି ପିଆଇଛନ୍ତି ଭାରତୀୟ ଖେଳାଳି। ଭାରତୀୟ ଟିମର ଚମତ୍କାର ବୋଲିଂ ଓ ବ୍ୟାଟିଂରେ ମାଟି କାମୁଡି ପଡିଛି ପାକିସ୍ତାନ।
ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୯ ୱିକେଟରେ ୧୨୭ ରନ୍ କରିଥିଲା। ଜବାବରେ ଭାରତ ୧୫.୫ ଓଭରରେ ୩ ୱିକେଟ୍ ହରାଇ ବିଜୟୀ ହୋଇଥିଲା।
ପହଲଗାମ୍ ଆକ୍ରମଣକୁ କେନ୍ଦ୍ର କରି ପୂର୍ବ ପରି ଏହି ମ୍ୟାଚକୁ ନେଇ ସେତେ ଉତ୍କଣ୍ଠା ନଥିଲା। ଭାରତର ବିଭିନ୍ନ ମହଲରେ ମ୍ୟାଚକୁ ବୟକଟ କରିବାକୁ ଦାବି ଉଠିଥିଲା। ତେବେ ଭାରତ ବିଜୟୀ ହେବା ଓ ପାକିସ୍ତାନ ହାରିବା ପରେ ପାକିସ୍ତାନୀ ଫ୍ୟାନ୍ସମାନେ ପାକିସ୍ତାନ ଟିମ୍ ଉପରେ ପ୍ରବଳ ବର୍ଷିଛନ୍ତି। ଜଣେ ପାକିସ୍ତାନୀ ସମର୍ଥକ କହିଛନ୍ତି, ଭାରତ ଭଳି ଏତେ ଉଚ୍ଚ ପ୍ରଦର୍ଶନକାରୀ ଖେଳାଳୀଙ୍କୁ ପାକିସ୍ତାନ ଭଳି ଛୋଟ ଛୁଆଙ୍କ ସହିତ ଖେଳିବା ଉଚିତ୍ ନୁହେଁ।
Also Read
ଆଉ ଜଣେ ପାକିସ୍ତାନୀ ଫ୍ୟାନ୍ କହିଛନ୍ତି, ‘ପାକିସ୍ତାନରୁ ଆସିଥିଲି ମୋ ପଇସା ବରବାଦ ହୋଇଗଲା। ଭାବିଥିଲି ପାକିସ୍ତାନ ଭଲ ଖେଳି ଟିମ୍ ଇଣ୍ଡିଆକୁ ହରାଇବ କିନ୍ତୁ ମ୍ୟାଚ୍ ଏମିତି ହାରିଲା ହୃଦୟ ଭାଙ୍ଗିଗଲା। ପାକିସ୍ତାନ ସବୁ ଥର ପରି ଏଥର ମଧ୍ୟ ହୃଦୟ ଭାଙ୍ଗି ଦେଲା।
ଆଉ ଜଣେ ଫ୍ୟାନ୍ କହିଛନ୍ତି, ପାକିସ୍ତାନକୁ ବୋଲିଂରେ ଧୋଇଦେଲା ଭାରତ। ଭାରତ ଆରମ୍ଭରୁ ଭଲ ଖେଳିଥିଲା। ଏହା ସମ୍ପୂର୍ଣ୍ଣ ଭାରତର ଏକପାଖିଆ ମ୍ୟାଚ୍ ଥିଲା।
ଆଉ ଜଣେ ଫ୍ୟାନ୍ କହିଛନ୍ତି, ‘ମୋତେ ଲାଗୁଛି ଆମେ ଆଉ ଭାରତଠୁ କେବେ ବି ମ୍ୟାଚ୍ ଜିତିପାରିବୁନି। ଦୟାକରି ଟିମ୍ ଇଣ୍ଡିଆ ମ୍ୟାଚ୍ ବୟକଟ୍ କରିଦିଅ ପଏଣ୍ଟ ଟିଏ ହେଲେ ତ ପାଇବୁ।




