ପାର୍ଟ ପ୍ଲଟ୍ ରେଜିଷ୍ଟ୍ରସନକୁ ନେଇ ତୁଟୁନି ବିବାଦ। ରାଜ୍ୟ ସରକାର ଓଡିଶା ଡେଭଲପମେଣ୍ଟ ଅଥରିଟି ଆଇନରେ ସଂଶୋଧନ ପରେ ଏହି ସମସ୍ୟା ଦୂର ହୋଇଥିବା କହୁଥିବା ବେଳେ ଏହାକୁ ନେଇ ଏଯାଏଁ ହଟିନି ଦ୍ବନ୍ଦ୍ବ। ତେଣେ ମନ୍ତ୍ରୀ କହିଛନ୍ତି ପାର୍ଟ ପ୍ଲଟ ରେଜିଷ୍ଟର କରିବାକୁ ସବ୍ ରେଜିଷ୍ଟ୍ରାର ମନା କଲେ, ତାଙ୍କ ବିରୋଧରେ ହେବ କଡା ଆକ୍ସନ। ଏପଟେ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସେପଟେ ଅଫିସରଙ୍କ ଆଇନ୍ ଭିତରେ ପେଶି ହେଉଛନ୍ତି ସାଧାରଣ ଲୋକେ।…
ପାର୍ଟ ପ୍ଲଟ୍ ରେଜିଷ୍ଟ୍ରେସନକୁ ନେଇ କେବ ହଟିବ ଦ୍ବନ୍ଦ୍ବ ? ସାଧାରଣ ଲୋକଟିଏ ବିନା ତକ୍ଲିଫରେ କେମିତି ବିକିବ ଜମି ? ରାଜ୍ୟରେ ପାର୍ଟ ପ୍ଲଟ୍ ବିକ୍ରି ପାଇଁ ଲୋକଙ୍କୁ ଅଧିକାର ଦେବାକୁ, ଓଡିଶା ଡେଭଲପମେଣ୍ଟ ଅଥରିଟି ନିୟମ ଗତ ଜୁନ ମାସରୁ ଲାଗୁ କରିଛି ନୂଆ ନିୟମ। ହେଲେ ସବରେଜିଷ୍ଟ୍ରାରମାନେ ନିମୟକୁ ମାନୁନଥିବା ଅଭିଯୋଗ ଆଣିଛି ଓଡିଶା ବିକାଶ ଅଭିଯାନ।
କେତେବେଳେ ରେରା ଆଇନର ଆଳ ତ ପୁଣି କେତେବେଳେ ସରକାରଙ୍କ ନୂଆ ନିୟମର ସ୍ପଷ୍ଟୀକରଣ ଆସିନଥିବା କହି ସେମାନଙ୍କୁ ନାକେଦମ କରାଯାଉଥିବା ଅଭିଯୋଗ କରିଛନ୍ତି ଜମି ବିକ୍ରେତା। ତେବେ ଏ ମାମଲାରେ ସ୍ପଷ୍ଟତା ଆଣିବାକୁ ଓଡିଶା ବିକାଶ ଅଭିଯାନ ଦାବି କରିଛି ଯେ, ଜମିବାଡି ରେଜିଷ୍ଟ୍ରେସନ ସମୟରେ ୨୦୧୩ ମସିହାର କ୍ଲଜ ୨୨(A)କୁ ଉଚ୍ଛେଦ କରାଯାଉ। ସଂଶୋଧିତ ଆଇନ୍ ୨୦୧୪ ଫେବୃଆରୀ ୧୫ ତାରିଖରୁ ଲାଗୁ ହୋଇଥିଲେ ବି ଏହାକୁ କାର୍ଯ୍ୟକାରୀ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ସବରେଜିଷ୍ଟ୍ରାର। ଯାହାର ପ୍ରମାଣ ଏହି ଚିଠି।
ଗତ ସେପଟେମ୍ବର ୪ ତାରିଖରେ ଖୋର୍ଦ୍ଧା ସବରେଜିଷ୍ଟ୍ରାରକୁ ଚିଠି ଲେଖି ତାଗିଦ୍ କରିଛନ୍ତି ରାଜସ୍ବ ପର୍ଷଦ। ତେଣୁ ଆଜିକୁ ବର୍ଷେରୁ ଅଧିକ ସମୟ ଧରି ଲାଗି ରହିଥିବା ଏ ଅଚଳାବସ୍ଥା ମାସେ ଭିତରେ ଦୂର ନହେଲେ ଆଗକୁ ଆନ୍ଦୋଳନର ଚେତାବନୀ ଦେଇଛି ଓଡିଶା ବିକାଶ ଅଭିଯାନ।…
Also Read
କେବଳ ପାର୍ଟ ପ୍ଲଟ ନୁହଁ, ରେରା ଆଇନର ଆଳ ଦେଖାଇ ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନରେ ମଧ୍ୟ ଲାଗି ରହିଛି ସମାନ ପ୍ରତିବନ୍ଧକ। କ୍ରେଡାଇ ଅଭିଯୋଗ କରିଛି ଯେ କୌଣସି ଫ୍ଲାଟ ରେଜିଷ୍ଟ୍ରସନ ସମୟରେ ସର୍ବ ସାଧାରଣ ସ୍ଥାନ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ। ହେଲେ ସେନେଇ ଜଣଙ୍କୁ କେତେ ସରକାରୀ ଡ୍ୟୁଟି ଦେବାକୁ ପଡିବ ତାହା ସ୍ପଷ୍ଟ କରାଯାଇନଥିବାରୁ ଫ୍ଲାଟ୍ କିଣାବିକା ହୋଇପାରୁନି ।
ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ନୋମିନାଲ ଫି ସ୍ଥିର କରିବାକୁ ଦାବି କରିଛି କ୍ରେଡାଇ । ତେଣେ ରାଜସ୍ବ ମନ୍ତ୍ରୀ ପୂର୍ବଭଳି କହିଛନ୍ତି ପାର୍ଟ ପ୍ଲଟ ବିକ୍ରି ନେଇ କୋଣସି ପ୍ରତିବନ୍ଧକ ନାହିଁ। ଯଦି କୌଣସି ସବ ରେଜିଷ୍ଟ୍ରାର ପାର୍ଟ ପ୍ଲଟ ପଂଜୀକରଣ କରିବାକୁ ମନା କରିବେ ତାଙ୍କ ବିରୁଦ୍ଧରେ କଡା ଆକ୍ସନ ହେବ।…
ପାର୍ଟ ପ୍ଲଟ ରେଜିଷ୍ଟେସନ ନେଇ କୌଣସି ସମସ୍ୟା ନଥିବା କଥା ରାଜସ୍ବ ମନ୍ତ୍ରୀ କହୁଥିବା ବେଳେ ଏବେବି ଭୁବନେଶ୍ବର,ଖୋର୍ଦ୍ଧା ସମେତ ରାଜ୍ୟର କିଛି ଜିଲ୍ଲାରେ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ ହୋଇପାରୁନଥିବା ମାଳ ମାଳ ଅଭିଯୋଗ ଆସିବାରେ ଲାଗିଛି




