PM Modi: ମଣିପୁର ପାଇଁ ହାତ ଖୋଲିଦେଲେ ପ୍ରଧାନମନ୍ତ୍ରୀ, ଢୁ ଢୁ ବର୍ଷାରେ ଆକାଶପଥରେ ନଯାଇ ଗଲେ ସଡକ ପଥରେ

pm-modi:-ମଣିପୁର-ପାଇଁ-ହାତ-ଖୋଲିଦେଲେ-ପ୍ରଧାନମନ୍ତ୍ରୀ,-ଢୁ-ଢୁ-ବର୍ଷାରେ-ଆକାଶପଥରେ-ନଯାଇ-ଗଲେ-ସଡକ-ପଥରେ

ଦେଶର ୫ ଉତ୍ତର ପୂର୍ବ ରାଜ୍ୟ ଗସ୍ତରେ ଯାଇ ଆଜି ମଣିପୁରରେ ପ୍ରକଳ୍ପର ବର୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମଣିପୁର ହିଂସାର ପ୍ରାୟ ୨ ବର୍ଷ ପରେ ମୋଦି ପ୍ରଥମ ଥର ଏ ପାହାଡ଼ି ରାଜ୍ୟକୁ ଯାଇ ହିଂସା ପ୍ରଭାବିତ ଲୋକଙ୍କ ସହ ଭାବ ବିନିୟମ କରିଛନ୍ତି। ୧୦ ବର୍ଷ ପୂର୍ବରୁ ମଣିପୁର କଣ ଥିଲା, ଆଉ ଆଜି ମଣିପୁରର ଚିତ୍ର କଣ, ତାହା ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ। ରାଜ୍ୟ ପାଇଁ ୭ ହଜାର ୩୦୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା ସାଙ୍ଗକୁ ରେଳ, ଜାତୀୟ ରାଜପଥ ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମିର ଶୁଭ ଉଦଘାଟନ କରି ମଣିପୁରବାସୀଙ୍କୁ ଆଗକୁ ବିକାଶ ଓ ଶାନ୍ତିର ବାହକ ହେବାକୁ ବାର୍ତ୍ତା ଦେଇଛନ୍ତି।…ସେପଟେ ପ୍ରବଳ ବର୍ଷା ପାଇଁ ଆକାଶ ପଥରେ ନଯାଇ ଇମ୍ଫାଲରୁ ଚୁରାଚାନ୍ଦପୁର ଯାଏଁ ଦେଢ ଘଣ୍ଟାର ରାସ୍ତାକୁ ସଡ଼କ ପଥରେ ଯାଇଥିଲେ ମୋଦି।…

ବିକଶିତ ମଣିପୁର ମାଟିରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାବପୂର୍ଣ୍ଣ ଆହ୍ବାନ। ଉତ୍ତର ପୂର୍ବ ଭାରତର ହେବ ଏକବିଂଶ ଶତାବ୍ଦୀ।୨୦୨୩ରେ ହିଂସା ପରେ ପ୍ରଥମଥର ମଣିପୁର ଗସ୍ତରେ ଯାଇ ରାଜ୍ୟ ପାଇଁ ପ୍ରକଳ୍ପର ବର୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଗୋଟିଏ ଦିନରେ ମୋଟ ୭ ହଜାର ୩ ଶହ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଚୁରାଚାନ୍ଦପୁରରେ ଆୟୋଜିତ ଏକ ବିଶାଳ ସାଧାରଣସଭାରେ ଅଭିଭାଷଣ ରଖି ମୋଦି କହିଥିଲେ, ମଣିପୁର ହେଉଛି ସାହସ ଓ ପ୍ରତିଜ୍ଞାର ମାଟି।

ଏଠାକାର ପାହାଡ଼ ଓ ପର୍ବତ, ପ୍ରକୃତିର ଅମୂଲ୍ୟ ଅବଦାନ। ଏ ସୁନ୍ଦର ଅଞ୍ଚଳକୁ ଦୁର୍ଭାଗ୍ୟବଶତଃ ହିଂସାର କଳା ବାଦଲ ଏକଦା ଛାଇ ଯାଇଥିଲା। କିନ୍ତୁ ଏବେ ସମୟ ନାହିଁ। ଏବେ ହିଂସାଠୁ ଦୂରେଇ ରହି ବିକାଶ ରାସ୍ତାରେ ଆଗେଇବା ସହ ଉନ୍ନତିକୁ ସାଥୀ କରି ନିଜର ଉତ୍ତରଦାୟାଦଙ୍କ ଭବିଷ୍ୟତ ନିର୍ମାଣର ସ୍ବପ୍ନ ପୂରଣ କରିବାକୁ ମଣିପୁରବାସୀଙ୍କୁ ଆହ୍ବାନ ଦେଇଥିଲେ ମୋଦି।…

Also Read

ଚୁରାଚାନ୍ଦପୁର ସଭାରେ ମଣିପୁରରେ ବିଗତ ୧୧ ବର୍ଷରେ ହୋଇଥିବା ବିକାଶର ଟିକିନିଖି ତଥ୍ୟ ରଖିଥିଲେ ମୋଦି। କହିଥିଲେ, ୨୦୧୪ରେ ମାତ୍ର ଏ ରାଜ୍ୟରେ ବିକାଶର ହାର ମାତ୍ର ୧ ପ୍ରତିଶତ ବି ନଥିଲା କିନ୍ତୁ, ଏବେ ବିକାଶର ହାର ବହୁଗୁଣିତ ହୋଇଛି। ମଣିପୁରରେ ରେଲୱେର ବିକାଶ ଲାଗି ୩୭୦୦ କୋଟି ଏବଂ ଜାତୀୟ ରାଜପଥର ନିର୍ମାଣ ପାଇଁ ୮୭୦୦ କୋଟି ଖର୍ଚ୍ଚ ହୋଇଛି। ଆଉ ଆଗକୁ ୨୨ ହଜାର କୋଟିର ଜିରିବାମ-ଇମ୍ଫାଲ ରେଳପଥ ଏବଂ ୪୦୦ କୋଟିର ଇମ୍ଫାଲ ବିମାନବନ୍ଦର ବିକାଶର ନୂଆ ମାଇଲଖୁଣ୍ଟ ହେବାକୁ ଯାଉଛି।

ମୋଦି ଆଜି ମିଜୋରାମରେ ୮ ହଜାର ୭୦ କୋଟିର ରେଳ ପ୍ରକଳ୍ପ ଶୁଭ ଉଦଘାଟନ କରିଥିଲେ। ଯେଉଁ ପ୍ରକଳ୍ପରେ ରାଜଧାନୀ ଏକ୍ସପ୍ରେସ, ସାଇରାଙ୍ଗ୍-କୋଲକାତା ଏକ୍ସପ୍ରେସ ଓ ସାଇରଙ୍ଗ-ଗୌହ୍ବାଟି ଏକ୍ସପ୍ରେସ ଭଳି ଗୁରୁତ୍ବପୂର୍ଣ୍ଣ ରେଳସେବା ଯୋଡ଼ି ହୋଇଛି। ସେହିଭଳି ଆଇଜଲରେ ବୈରବୀ-ସାଇରଙ୍ଗ ରେଳ ଲାଇନର ଉଦଘାଟନ କରିଥିଲେ।

ଚୁରାଚାନ୍ଦପୁର ସାଧାରଣ ସଭା ପୂର୍ବରୁ ହିଂସାଗ୍ରସ୍ତ ଅଞ୍ଚଳ ବୁଲି ପ୍ରଭାବିତଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ। ରିଲିଫ କ୍ୟାମ୍ପକୁ ଯାଇ କ୍ଷତିଗ୍ରସ୍ତ ପରିବାର କୁନି କୁନି ପିଲାଙ୍କ ସହ ମିଶି ସେମାନଙ୍କ ସହ କିଛି ସମୟର ଭାବ ବିନିମୟ କରିଥିଲେ। ଏହି ଅବସରରେ ଜାତିଆଣ ହିଂସାରେ ପ୍ରଭାବିତ ଲୋକଙ୍କ ପାଇଁ ୫୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ୍ ପ୍ରଦାନ କରାଯାଇଥିବା ଏବଂ ସେମାନଙ୍କ ମୁଣ୍ଡ ଉପରେ ଛାତ ପାଇଁ ୭ ହଜାର ଘର ନିର୍ମାଣର ଲାଗି ଘୋଷଣା କରିଥିଲେ ମୋଦି।…

ମୋଦିଙ୍କ ମଣିପୁର ଗସ୍ତ ବେଳେ ଆଜି ପାଗ ଖରାପ ଯୋଗୁଁ ଇମ୍ଫାଲରୁ ଚୁରାଚାନ୍ଦପୁରକୁ ଆକାଶ ମାର୍ଗରେ ଯିବାରେ ସମସ୍ୟା ଦେଖାଦେଇଥିଲା। ପ୍ରବଳ ବର୍ଷା ସତ୍ତ୍ବେ ଦେଢ଼ ଘଣ୍ଟାର ରାସ୍ତାକୁ ସଡ଼କ ପଥରେ ଯାଇଥିଲେ ମୋଦି। ଏହି ଅବସରରେ ରାସ୍ତାର ଦୁଇ କଡ଼ରେ ହଜାର ହଜାର ସଂଖ୍ୟାରେ ମଣିପୁର ବାସିନ୍ଦା, ଜାତୀୟ ପତାକା ଦେଖାଇ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ।

Scroll to Top