ନଦୀ ସୁରକ୍ଷା ଆଉ ସୌନ୍ଦର୍ଯ୍ୟକରଣ ପାଇଁ ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି। ମହାନଦୀ ସହ ୩ଟି ନଦୀର ତଟରେ ନିର୍ମାଣ ହେବ ରିଭରଫ୍ରଣ୍ଟ। ୩ ବର୍ଷରେ ସରକାର ଖର୍ଚ୍ଚ କରିବେ ୨୪୦ କୋଟି ଟଙ୍କା। ସାବରମତୀ ରିଭରଫ୍ରଣ୍ଟ ଢାଞ୍ଚାରେ ନିର୍ମାଣ ହେବ ସମ୍ବଲପୁର ମହାନଦୀ ରିଭରଫ୍ରଣ୍ଟ ଭିୟୁ। ଏହା ସହ ପାଣ୍ଡରା ନିକଟରେ କୁଆଖାଇ ଏବଂ କୁଶଭଦ୍ରା ନଦୀ ତଟରେ ବି ହେବ ନବୀକରଣ କାମ।
ଝଲସିବ ସମ୍ବଲପୁର ମନ୍ଦଲିଆରୁ ଚାଉଁରପୁର ପର୍ଯ୍ୟନ୍ତ ମହାନଦୀ କୂଳ। ଗୁଜୁରାଟର ସାବରମତୀ ରିଭରଫ୍ରଣ୍ଟ ଢାଞ୍ଚାରେ ହେବ ସମ୍ବଲପୁର ମହାନଦୀ ରିଭରଫ୍ରଣ୍ଟ। ସେହିପରି ଭୁବନେଶ୍ୱର ପାଣ୍ଡରାରେ କୁଆଖାଇ ଏବଂ କୁଶଭଦ୍ରା ପଠାକୁ ବି ବିକାଶ କରାଯିବ। ସେଥିପାଇଁ ମହାନଦୀ ନଦୀତଟ ବିକାଶ ଯୋଜନାକୁ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ୩ ବର୍ଷରେ ରାଜ୍ୟ ସରକାର ଖର୍ଚ୍ଚ କରିବେ ୨୪୦ କୋଟି ଟଙ୍କା।
ମନ୍ଦଲିଆରୁ ଚାଉଁରପୁର ଯାଏଁ ନବୀକରଣ ପାଇଁ ଖର୍ଚ୍ଚ ହେବ ୧୬୦ କୋଟି। ସାବରମତୀ ରିଭରଫ୍ରଣ୍ଟ ଢାଞ୍ଚାରେ ସମ୍ବଲପୁର ରିଙ୍ଗରୋଡ ନିକଟ ମହାନଦୀ ତଟବର୍ତ୍ତୀ ଅଞ୍ଚଳକୁ ନୂଆ ରୂପ ଦେବାକୁ ନିଷ୍ପତ୍ତି ହୋଇଛି। ମନ୍ଦଲିଆରୁ ଚାଉଁରପୁର ଯାଏଁ ମହାନଦୀ ପଠାରେ ନିର୍ମାଣ ହେବ ଜଗିଙ୍ଗ୍ ପାର୍କ, ସେଲ୍ ଫି ପଏଣ୍ଟ, ପାର୍କ, ଖୋଲା ଜିମ୍, ସ୍ନାନ ଘାଟ, ଆରତୀ ଘାଟ, ଥିମ୍ ପ୍ଲାଜା, ସପିଂ କମ୍ପ୍ଲେକ୍ସ, ଶୌଚାଳୟ ସହ ପାର୍କିଂ ସ୍ଥାନ । ସନ୍ଧ୍ୟା ସମୟରେ ଏଠି ଜମିବ ଲୋକଙ୍କ ଭିଡ। ଗଙ୍ଗା ପରି ମହାନଦୀ ଆଳତି ବି ହେବ। ଏହି ପ୍ରକଳ୍ପ ପାଇଁ ନିକଟରେ ଏକ ବୈଷୟିକ ଟିମ୍ ଗୁଜୁରାଟ ଗସ୍ତ କରିଥିଲା।
ଖାଲି ମହାନଦୀ ନୁହେଁ, ଭୁବନେଶ୍ୱର ପାଣ୍ଡରା ନିକଟ କୂଆଖାଇ ଓ କୁଶଭଦ୍ରା ନଦୀତଟ ବି ହେବ ନବୀକରଣ। ନଦୀକୂଳ ଘାଟର ବିକାଶ, ରିଙ୍ଗରୋଡ ସହ ଭିୟୁ ପଏଣ୍ଟ ନିର୍ମାଣ, ଭାସମାନ ଜେଟି, ଲକ୍ ଗେଟ୍ , ବ୍ରିଜ, ପାର୍କିଂ, କାଫେଟେରିଆ, ଶୌଚାଳୟ, ନଦୀପଥ ସହିତ ଆଭ୍ୟନ୍ତରୀଣ ପାଦଚଲା ରାସ୍ତା ନିର୍ମାଣ କରାଯିବ। ଏଥିପାଇଁ ୮୦ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର । ଉଭୟ ନଦୀକୁ ସୁରକ୍ଷା ସହ ପର୍ଯ୍ୟଟନ ବୃଦ୍ଧିରେ ସହାୟକ ହେବ ଏହି କାର୍ଯ୍ୟକ୍ରମ। ନଦୀତଟରେ ରିଭର ଫ୍ରଣ୍ଟ ଭିୟୁ ହେଲେ ନିଯୁକ୍ତି ଓ ରୋଜଗାର ବଢିବ। ପର୍ଯ୍ୟଟନ ପାଇଁ ବି ବଡ ସୁଯୋଗ ସଷ୍ଟି କରିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ।
Also Read
ମହାନଦୀ ଏଂବ ତଟବର୍ତ୍ତୀ ଅଞ୍ଚଳର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟ ପାଇଁ ୨୦୧୮ରେ ତତ୍କାଳୀନ ବିଜେଡି ସରକାର ସବୁଜ ମହାନଦୀ ମିଶନ ଆରମ୍ଭ କରିଥିଲେ। ତଟ ବର୍ତ୍ତୀ ଅଞ୍ଚଳରେ ୫ ହଜାର କୋଟି ବ୍ୟୟରେ ୫ କୋଟି ଚାରା ରୋପଣ ନିଷ୍ପତ୍ତି ନେଇଥିଲେ। ହେଲେ ତାହା ବି ବାଟବଣା ହୋଇଥିଲା।ଏବେ ମୋହନ ସରକାରଙ୍କ ନୂଆ ନିଷ୍ପତ୍ତି କିଭଳି କାର୍ଯ୍ୟକାରୀ ହେଉଛି ତା ଉପରେ ନଜର।




