ନୂଆଦିଲ୍ଲୀ ୨୨/୦୯: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ । ଆଜିକାଲି ସେ ରାଜ୍ୟ ସଚିବାଳୟର ନୂଆ ବିଲ୍ଡିଂରେ ବସୁନାହାନ୍ତି । ନିଜର ସବୁ କାମ ସେ କଡ଼ା ନିରାପତ୍ତା ବଳୟରେ ଥିବା ବଞ୍ଜାରା ହିଲ୍ ସ୍ଥିତ ଇଣ୍ଟିଗ୍ରେଟେଡ୍ ପୋଲିସ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟରରୁ କରୁଛନ୍ତି । ଏହାର କାରଣ ଭାବେ ସଚିବାଳୟର ନୂଆ ବିଲ୍ଡିଂରେ କିଛି ବାସ୍ତୁ ଦୋଷ ଥିବା କଥା କୁହାଯାଉଛି ।
ନୂଆ ସଚିବାଳୟ ବିଲ୍ଡିଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତି(ବିଆରଏସ୍)ର ପ୍ରମୁଖ କେ.ଚନ୍ଦ୍ରଶେଖର ରାଓ(କେସିଆର୍)ଙ୍କ ସମୟରେ ନିର୍ମିତ ହୋଇଥିଲା ।
୨୦୨୩ ଏପ୍ରିଲ ୩୦ ତାରିଖରେ ଏହାର ଉଦ୍ଘାଟନ କରାଯାଇଥିଲା । କିନ୍ତୁ ଡିସେମ୍ବରରେ ହୋଇଥିବା ବିଧାନସଭା ନିର୍ବାଚନରେ କେସିଆର୍ ହାରି ଯାଇଥିଲେ । ତାଙ୍କ ସ୍ଥାନରେ ରେୱନ୍ତ ରେଡ୍ଡୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୬୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସେହି ୭ ମହଲା ବିଲ୍ଡିଂରେ ମୁଖ୍ୟମନ୍ତ୍ରୀଙ୍କର ଭବ୍ୟ କାର୍ଯ୍ୟାଳୟ ରହିଛି । ସେହିପରି ମନ୍ତ୍ରୀ, ମୁଖ୍ୟ ସଚିବଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟାଳୟ ବି ସେଠାରେ ରହିଛି ।
ରେବନ୍ତଙ୍କ ସହ ଘନିଷ୍ଠ ଜଣେ ବ୍ୟକ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀ ହେବା ପରଠାରୁ ନୂଆ ବିଲ୍ଡିଂରେ ସେ ଲଗାତର ଅଶାନ୍ତି ଅନୁଭବ କରୁଥିଲେ । ଯାଞ୍ଚ କରାଯିବାରୁ ବିଲ୍ଡିଂରେ ବାସ୍ତୁ ଦୋଷ ଥିବା ଜଣାପଡ଼ିଲା । ଏହାପରେ ଗତବର୍ଷ ସେ ବିଲ୍ଡିଂର କିଛି ବାସ୍ତୁ ପରିବର୍ତ୍ତନ କରାଇଥିଲେ । ତଥାପି ମୁଖ୍ୟମନ୍ତ୍ରୀ ପୋଲିସ କଣ୍ଟ୍ରୋଲ ରୁମ୍ରେ ବସୁଛନ୍ତି । କେହି ବିଶେଷ ପ୍ରତିନିଧି କିମ୍ବା ଅତିଥିଙ୍କୁ ଭେଟିବାର ଥିଲେ ହିଁ ସେ ନୂଆ ସଚିବାଳୟ ଯାଇଥାନ୍ତି ।
ଅନ୍ୟ ଏକ ସୂତ୍ର ଅନୁସାରେ, ନୂଆ ସଚିବାଳୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର୍ଙ୍କର ଅନେକ ବିଶ୍ୱସ୍ତ କର୍ମଚାରୀ ଏବେ ମଧ୍ୟ ଅଛନ୍ତି । ପ୍ରାଥମିକ ଭାବେ ରେୱନ୍ତ ନୂଆ ବିଲ୍ଡିଂରେ ବସିବା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ ହୋଇଥିଲା । ପରେ ଫୋନ୍ ଟ୍ୟାପିଂ ଘଟଣା ତାଙ୍କର ସନ୍ଦେହକୁ ଆହୁରି ଦୃଢ଼ୀଭୁତ କଲା । ସେଥିଯୋଗୁ ସେ ଧୀରେ ଧୀରେ ପୁଲିସ କମାଣ୍ଡ ସେଣ୍ଟରକୁ ସିଫ୍ଟ ହେବା ଆରମ୍ଭ କଲେ ।
କେସିଆର୍ ବି ବାସ୍ତୁ ଦୋଷ ଥିବା ସନ୍ଦେହରେ ନୂଆ ସଚିବାଳୟ ନିର୍ମାଣ କରାଇଥିଲେ । ପୁରୁଣା ସଚିବାଳୟ ବିଲ୍ଡିଂ ବାସ୍ତୁ ଅନୁସାରେ ନିର୍ମିତ ହୋଇନଥିବା ସେ ବିଶ୍ୱାସ କରୁଥିଲେ । ଖାସ୍ ସେଥିଲାଗି ନିଜର ୨ ପାଳିର କାର୍ଯ୍ୟକାଳରେ ସେ ମାତ୍ର ୨୪ ଥର ପୁରୁଣା ସଚିବାଳୟ ଯାଇଥିଲେ । ଅଧିକାଂଶ କାମକୁ କେସିଆର୍ ନିଜର କ୍ୟାମ୍ପ ଅଫିସ୍ ଓ ବାସଭବନ ପ୍ରଗତି ଭବନରୁ କରୁଥିଲେ । ପରବର୍ତ୍ତୀ ସମୟରେ ସେ ଖରାପ ଅଗ୍ନି ସୁରକ୍ଷା ମାନଦଣ୍ଡର କାରଣ ଦର୍ଶାଇ ପୁରୁଣା ସଚିବାଳୟକୁ ୭୦ କୋଟି ଖର୍ଚ୍ଚ କରି ଭାଙ୍ଗି ଦେଇଥିଲେ । ସେତେବେଳେ କୋଭିଡ୍-୧୯ର ସମୟ ଥିଲା । ରାଜ୍ୟ ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା । ତେଣୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ତାଙ୍କର ଏହି ନିଷ୍ପତ୍ତିକୁ ବଦ୍ଖର୍ଚ୍ଚ ଦର୍ଶାଇ ବିରୋଧ କରିଥିଲେ ।




