କଟକ : ‘ମୁଁ କେବେ ଭାବିନଥିଲି ମୋ ଜୀବନ ଏମିତି ବଦଳିଯିବ। ଆଜି ମୁଁ ଜୀବନରେ ସବୁକିଛି ପାଇଯାଇଛି । ଭଗବାନଙ୍କୁ ଧନ୍ୟବାଦ, ସେ ମତେ ବାପା-ମାଆଙ୍କ ଦେଲେ । ଯିଏ ମତେ ଛୋଟରୁ ବଡ଼ କଲେ, ପୁଣି ଜଣେ ସୁନ୍ଦର ଜୀବନସାଥୀ ଦେଲେ। ତାଙ୍କ ସହିତ ଏବେ ବହୁତ ଖୁସିରେ ଅଛି ମୁଁ । ଆଉ ବସୁନ୍ଧରା ମତେ ଏହି ନୂଆ ଜୀବନ ଦେଇଛି । ଏତେ ବର୍ଷ ପରେ ଏଠିକି ଆସି ମୁଁ ଖୁସିର ଲୁହକୁ ଅଟକେଇ ପାରୁନି। ଆଜିର ଏହି ମୁହୂର୍ତ୍ତ ସବୁଦିନ ପାଇଁ ମୋ ଜୀବନରେ ଅଭୁଲା ହେଇ ରହିବ।” ଦୀର୍ଘ ୨୬ ବର୍ଷ ପରେ ବସୁନ୍ଧରା ମାଟିରେ ପାଦ ରଖି …ଛଳଛଳ ଆଖି ଓ କୋହଭରା କଣ୍ଠରେ କହିଛନ୍ତି ଆମେରିକାରୁ ଆସିଥିବା ସୁଧନ୍ୟା ତୋନ୍(ସୁକ୍ତି)।
୨୬ ବର୍ଷ ପରେ ମନେ ପଡିଛି ବସୁନ୍ଧରା। ଯେଉଁଠି ସେ ପରିଚୟ ପାଇଥିଲେ। ଜନ୍ମକଲା ମା’ ତାକୁ ଛାଡି ଚାଲିଯିବା ପରେ ଏ ଅନୁଷ୍ଠାନ ତାଙ୍କୁ ଆଦରି ନେଇଥିଲା। ଭାଗ୍ୟ ଉଦୟ ହେଲା ଏଇଠି। ବିଦେଶୀ ଦମ୍ପତି କୋଳକୁ ଆଦରି ନେବା ପରେ ସେଇ କୁନି ଝିଅଟା ଆଜି ମେମ ସାହେବ ପାଲଟି ଯାଇଛି। ଖନେଇ କଥା କହୁଥିବା ଶିଶୁ କନ୍ୟାଟି ଆଜି ନୂଆ ନାଁ ପାଇଛି। ଭଲ ଇଂଲିଶ କହୁଛି… ତା କଥା ବୁଝିବାକୁ ଟିକେ ଅବୁଝା ହେଉଛି ସିନା, ତାକୁ ପିଲାବଳେ କୋଳେଇଥିବା ମଣିଷମାନେ ଆଜି କାନ୍ଦି ପକାଉଛନ୍ତି…ଆଜି ବି ମନେ ପଡ଼ୁଛି ୧୯୯୫ମସିହା ଅଗଷ୍ଟ ମାସର କଥା। ଜଣେ ମହିଳା କଟକ ବିଡାନାସୀଠାରେ ଥିବା ବସୁନ୍ଧରାରେ ଜଣେ ବର୍ଷକର ଶିଶୁ କନ୍ୟାକୁ ଛାଡ଼ି ଚାଲି ଥିଲେ। ବୈବାହିକ ଜୀବନରେ ତିକ୍ତତା ଯୋଗୁ ସେ ଶିଶୁକୁ ଏଠାରେ ଛାଡ଼ି ଦେଇଥିବା କୁହାଯାଏ। ଶିଶୁଟିର ଜନ୍ମ ୧୯୯୪ ମସିହା ଅଗଷ୍ଟ ୨୦ରେ। ବସୁନ୍ଧରାରେ ଭର୍ତ୍ତି ହେବା ସମୟରେ ବୟସ ହୋଇଥାଏ ମାତ୍ର ବର୍ଷେ। ୧୯୯୯ ଯାଏଁ ଏହି ଶିଶୁକନ୍ୟା ବସୁନ୍ଧରାରେ ଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଠିକଣା ବଦଳିଗଲା, ପରିଚୟ ବଦଳିଗଲା। ୧୯୯୯ ଫେବୃଆରୀ ୧୧ରେ ଆଇନଗତ ପ୍ରକ୍ରିୟାରେ ତାଙ୍କୁ ଜଣେ ଆମେରିକୀୟ ଦମ୍ପତ୍ତି ପୋଷ୍ୟକନ୍ୟା ଭାବେ ଗ୍ରହଣ କଲେ। ଏହି ଦମ୍ପତ୍ତି ଥିଲେ ଜେଫ୍ରି କେ. ତୋନ ଓ ପତ୍ନୀ ହୋଲି ଏମ୍ସି ଗିଲିକୁଡ଼ି। ଏହି ଦମ୍ପତିଙ୍କ ପରିଚୟ ପାଇ ସେ ପାଲଟିଗଲେ ସୁଧନ୍ୟା । ଏବେ ସେ ୩୧ବର୍ଷର। ଏକ ହସ୍ପିଟାଲରେ ନର୍ସ ଭାବେ କାମ କରୁଛନ୍ତି । ଆମେରିକାରେ ଜଣେ ଭାରତୀୟ ବଂଶୋଦ୍ଭବ ଡାକ୍ତର ହର୍ଷ ଦୁଆଙ୍କୁ ସେ ବିବାହ କରିଛନ୍ତି । ସୋମବାର ରାତିରେ କଟକରେ ନିଜର ବିବାହ ବାର୍ଷିକୀ ପାଳନ କରିଥିବା ବେଳେ ବେଶ୍ ଖୁସି ଅଛନ୍ତି ବସୁନ୍ଧରାର ସମ୍ପାଦିକା।
୨୬ ବର୍ଷ ପରେ ବିବାହ ବାର୍ଷିକୀ ଅବସରରେ ସ୍ଵାମୀ ଓ ପରିବାର ସଦସ୍ୟଙ୍କ ସହ ବସୁନ୍ଧରା ବୁଲିବାକୁ ଆସିଥିଲେ ସୁଧନ୍ୟା। ତାଙ୍କର ଏକ ଭବ୍ୟ ସ୍ୱାଗତ ପାଇଁ ବିଶାଳ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରିଥିଲା। ଯେଉଁଠି ନାଚ ଗୀତର ଆସର ଜମିଥିଲା। ଏହା ସହ ଭୋଜି ଭାତ ବି ହୋଇଥିଲା। ସୁଧନ୍ୟାଙ୍କୁ ଏଭଳି ଭବ୍ୟ ସ୍ଵାଗତ ତାଙ୍କୁ କରିଥିଲା ଭାବ ବିହ୍ୱଳ । ଏହି କାର୍ଯ୍ୟକ୍ରମରେ ଆସିଥିବା ଅତିଥିମାନେ ମଧ୍ୟ ନିଜ ଖୁସି ବ୍ୟକ୍ତ କରିଛନ୍ତି।
ଆମେରିକାରେ ଏତେ ବର୍ଷ ରହିବା ପରେ ମଧ୍ୟ କଟକ ବସୁନ୍ଧରାକୁ ଭୁଲି ନାହାନ୍ତି। ଯାହା ସୁଧନ୍ୟାଙ୍କ ମହତ ପଣିଆର ପରିଚୟ ବୋଲି ଏଠି କହିପାରିବା।




