୨୫୦ରୁ ଅଧିକ ଷ୍ଟ୍ରାଇକ୍ ରେଟ୍: ମ୍ୟାଚ୍ ଜିତାଇବାକୁ ସୂର୍ଯ୍ୟବଂଶୀଙ୍କ ସଂଘର୍ଷ ସତ୍ତ୍ୱେ ହାରିଲା ଭାରତ
Published By: Avinash – Prameya-News7 Bureau | November 21, 2025 10:45 PM
NEWS7

ଦୋହା: ଶୁକ୍ରବାର ଦୋହାରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଏସିଆ କପ ରାଇଜିଂ ଷ୍ଟାର ୨୦୨୫ ସେମିଫାଇନାଲରେ ଭାରତ ପରାଜିତ ହୋଇଛି। ଗୋଟିଏ ଭୁଲ୍ ନିଷ୍ପତ୍ତି ଯୋଗୁ ଦଳକୁ ଏଭଳି ଦଶା ଦେଖିବାକୁ ପଡ଼ିଛି। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୧୯୫ ଟାର୍ଗେଟ୍ ଦେଇଥିଲା। ଭାରତ ଟାର୍ଗେଟ୍ ହାସଲ ନ କରିପାରି ମ୍ୟାଚ୍ ଡ୍ର ରଖିଥିଲା।ଫଳରେ ଉଭୟ ଦଳ ମଧ୍ୟରେ ସୁପର ଓଭର ଖେଳାଯାଇଥିଲା। ଆଉ ଏଇଠି କ୍ୟାପ୍ଟେନ ଜିତେଶ ଶର୍ମା ଭୁଲ ନିଷ୍ପତ୍ତି ନେଇଥିଲେ। ସୂର୍ଯ୍ୟବଂଶୀ ଓ ପ୍ରିୟାଂଶଙ୍କୁ ଓପନିଂ ନ ଛାଡ଼ି ସେ ନିଜେ ଓପନିଂ ଆସିଥିଲେ ଓ ଅଭିଜ୍ଞତା ଦୃଷ୍ଟିରୁ ଡେଥ୍ ଓଭରରେ ଆୟୁଷ ଓ ରମଣଦୀପଙ୍କ ଉପରେ ଭରସା କରିଥିଲେ। ସୁପର ଓଭରରେ ୩ ବ୍ୟାଟର କୌଣସି ରନ୍ କରିପାରି ନଥିଲେ। ଫଳରେ ବାଂଲାଦେଶ ୧ ରନ୍ କରି ମ୍ୟାଚ୍ ଜିତିବା ସହ ଫାଇନାଲ୍ରେ ପ୍ରବେଶ କରିଛି।ପୂରା ଟୁର୍ଣ୍ଣାମେଣ୍ଟରେ ବିସ୍ଫୋରକ ଇନିଂସ ଖେଳିଥିବା ସୂର୍ଯ୍ୟବଂଶୀ ଆଜିର ମ୍ୟାଚ୍ରେ ୧୫ ବଲ୍ରେ ୩୮ରନ୍ କରିଥିଲେ। ତାଙ୍କର ଏହି ବିସ୍ଫୋରକ ଇନିଂସ ଯୋଗୁ ଭାରତ ଏ କୁ ବାଂଲାଦେଶ ‘ଏ’ ର ବଡ଼ ସ୍କୋରକୁ ପିଛା କରିବାରେ ସହାୟକ ହୋଇଥିଲା। ଆଜିର ମ୍ୟାଚ୍ରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୨୫୩.୩୩ ଥିଲା। ସେ ଦୁଇଟି ଚୌକା ଓ ୪ଟା ଲମ୍ଭା ଛକ୍କା ମାରିଥିଲେ। ଯେଉଁଥିରୁ କେତେକ ସିଧା ଆଉ ଲଙ୍ଗ ଅନ ଓ ମିଡ ୱିକେଟ୍ ଉପରେ ମାରିଥିଲେ।ପ୍ରଥମ ଓଭରରେ ଆକ୍ରମଣାତ୍କ ଖେଳ ପ୍ରଦର୍ଶନ କରି ସୂର୍ଯ୍ୟବଂଶୀ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଥିଲେ। ପାୱାରପ୍ଲେର୍ ୬୨ ରନ୍ ହୋଇଥିବା ବେଳେ ଏଥିରେ ଅଧିକାଁଶ ସୂର୍ଯ୍ୟବଂଶୀଙ୍କର ଥିଲା। ସେ ପ୍ରିୟାଂଶ ଆର୍ଯ୍ୟଙ୍କ ସହ ମିଶି ମାତ୍ର ୨୨ ବଲ୍ରେ ୫୩ ରନର ଓପନିଂ ପାର୍ଟନର୍ସିପ୍ ଇନିଂସ ଖେଳିଥିଲେ। ମ୍ୟାଚ୍ ଜିତିବା ପାଇଁ ଆବଶ୍ୟକ ସ୍କୋରିଂ ହାର ଠାରୁ ଅଧିକ ରନ୍ ହୋଇଥିଲା। ଭାରତ ଏ’କୁ ପ୍ରାରମ୍ଭିକ ସ୍ତରରେ ଅଗ୍ରଣୀ କରାଇଥିଲା। ହେଲେ ଦଳୀୟ ସ୍କୋର ୫୩ ବେଳେ ୩.୪ ଓଭର ଖେଳ ବେଳେ ସୂର୍ଯ୍ୟବଂଶୀ ଅବଦୁଲ ଗଫର ସକଲେନ୍ଙ୍କ ବଲ୍ରେ ଜିଶାନ ଆଲମଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଏହାପରେ ଭାରତ ଏ ର ରନ ଗତି କିଛି ସମୟ ପାଇଁ ଯଦିଓ ଧୀମା ରହିଥିଲା ତେବେ ବୈଭବ ଦଳ ପାଇଁ ତାଙ୍କ କାର୍ଯ୍ୟ କରି ଦେଇଥିଲେ।




