ନୂଆଦିଲ୍ଲୀ ୧୪/୧୦: ସୁନା ଓ ରୁପା ଦର ବୃଦ୍ଧିରେ ଲାଗୁନି ବ୍ରେକ୍ । ଉଭୟ ଧାତୁ ଦର ଏବେ ସାଧାରଣ ଲୋକଙ୍କ ପାଇଁ ଅପହଞ୍ଚ ସ୍ତରରେ ପହଞ୍ଚିଛି । ୧୦ ଗ୍ରାମ ପିଛା ସୁନା ଦର ଲକ୍ଷେ ୨୫ ହଜାର ଟଙ୍କା ଉପରକୁ ଚାଲିଯାଇଥିବାବେଳେ କିଲୋଗ୍ରାମ ପିଛା ରୁପା ଦର ୨ ଲକ୍ଷ ଆଡ଼କୁ ମୁହାଁଇଲାଣି । ଆଜି ଅର୍ଥାତ୍ ସୋମବାର ରୁପା ଦରରେ ଦେଖାଦେଇଛି ସର୍ବବୃହତ୍ ରେକର୍ଡ । ଦିନକରେ ୭,୦୦୦ ଟଙ୍କା ଉପରକୁ ଉଠିଯାଇଛି ଦର । ଭୁବନେଶ୍ୱରରେ କିଲୋଗ୍ରାମ ପିଛା ରୁପା ଦର ୧.୯୭ ଲକ୍ଷ ଟଙ୍କାରେ ପହଞ୍ଚିଛି ।
ଖୁବ୍ଶୀଘ୍ର ଏହା ୨ ଲକ୍ଷ ଟଙ୍କା ପାର୍ ହୋଇଯିବ । ଅନ୍ୟପକ୍ଷରେ, ଜାତୀୟ ରାଜଧାନୀ ଦିଲ୍ଲୀରେ ରୁପା ଦରରେ ୧୦,୦୦୦ ଟଙ୍କାରୁ ଅଧିକ ବୃଦ୍ଧି ଘଟିଥିବା ଇଣ୍ଡିଆ ବୁଲିୟନ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ରିପୋର୍ଟରୁ ଜଣାପଡ଼ିଛି । ସେହିଭଳି ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ ଏବଂ ୨୨ କ୍ୟାରେଟ୍ ସୁନା ଦରରେ ଯଥାକ୍ରମେ ୩୨୦ ଏବଂ ୩୦୦ ଟଙ୍କା ବୃଦ୍ଧି ଘଟିଛି । ଉଭୟର ଦର ଯଥାକ୍ରମେ ୧,୨୫,୪୦୦ ଟଙ୍କା ଏବଂ ୧,୧୪,୯୫୦ ଟଙ୍କା ହୋଇଛି ।
ଦଶହରା, ଧନ୍ତେରାସ ଏବଂ ଦିପାବଳି ଭଳି ପର୍ବରେ ସୁନା କିଣା ଆମ ଦେଶରେ ସାଧାରଣ କଥା । ପାର୍ବଣରେ ସୁନା ଏବଂ ରୁପା ଚାହିଦା ଢେର ମାତ୍ରାରେ ବଢ଼ିଯାଏ, ଯାହାଦ୍ୱାରା ସମଗ୍ର ଦେଶରେ ଉଭୟ ଧାତୁ ଦର ଉପରମୁହାଁ ହୋଇଚାଲିଛି । ସୁନା ଏବଂ ରୁପା ଦର ବଢ଼ିବାର ଅନେକ କାରଣ ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନୀତି ବିଶ୍ୱ ବଜାରରେ ସୃଷ୍ଟି କରିଛି ଅସ୍ଥିରତା । ଏହାର ସିଧାସଳଖ ପ୍ରଭାବ ଅନୁଭବ ହୋଇଛି ବିଶ୍ୱ ପୁଞ୍ଜି ବଜାର ଉପରେ । ପୁଞ୍ଜି ବଜାରର ଅସ୍ଥିରତା ମଧ୍ୟରେ ସୁନାରେ ନିବେଶକୁ ସୁରକ୍ଷିତ ମଣୁଛନ୍ତି ନିବେଶକ ।
ଏହା ଦରକୁ ତେଜୁଛି । ବାଣିଜ୍ୟ ଯୁଦ୍ଧ ସ୍ଥିତିରେ ଭୟଭୀତ ନିବେଶକ ସୁନାକୁ ସୁରକ୍ଷିତ ମଣି ଏଥିରେ ଅଧିକ ନିବେଶ କରୁଛନ୍ତି । ଏହା ଦରକୁ ବଢ଼ାଉଛି । ସେହିଭଳି ବିଭିନ୍ନ ଦେଶ ବିଶେଷ କରି ରୁଷ ଏବଂ ଚୀନ୍ ଭଳି ରାଷ୍ଟ୍ରଗୁଡ଼ିକର କେନ୍ଦ୍ରୀୟ ବ୍ୟାଙ୍କ ପ୍ରଚୁର ମାତ୍ରାରେ ସୁନା କିଣୁଛନ୍ତି । କୌଣସି ପ୍ରକାର ଆପାତ କାଳ ପାଇଁ ଏମାନେ ସୁନା କିଣି ନିଜକୁ ପ୍ରସ୍ତୁତ ରଖୁଛନ୍ତି । ଏହାଦ୍ୱାରା ହଳଦିଆ ଧାତୁର ଚାହିଦା ବୃଦ୍ଧି ପାଇଛି । ଏହା ମଧ୍ୟ ଦରକୁ ବଢ଼ାଉଛି । ବିଶ୍ୱବ୍ୟାପୀ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଡଲାର ଉପରୁ ନିର୍ଭରତା କମ୍ କରିବାକୁ ଚାହୁଁଛନ୍ତି ।
ଏଥିପାଇଁ ସେମାନେ ନିଜ ମୁଦ୍ରା ଭଣ୍ଡାରରେ ସୁନା ଭାଗ ବଢ଼ାଉଛନ୍ତି । ଚାହିଦା ବୃଦ୍ଧି ସହିତ ଦର ବଢୁଛି । ସେହିଭଳି ରୁଷ-ୟୁକ୍ରେନ୍ ଯୁଦ୍ଧ ଶେଷ ନ ହେବା କାରଣରୁ ଦେଖାଦେଇଥିବା ଅସ୍ଥିରତାରୁ ଲୋକେ ସୁନାରେ ନିବେଶ ବଢ଼ାଉଛନ୍ତି । ମୁଦ୍ରାସ୍ଫୀତି ଡର ଏବଂ ଫେଡେରାଲ ରିଜର୍ଭର କମ୍ ସୁଧ ହାର ଯୋଗୁ ସୁନା ଆକର୍ଷକ ନିବେଶ ମାଧ୍ୟମ ପାଲଟିଛି । ବିଶେଷଜ୍ଞମାନଙ୍କ ପୂର୍ବାନୁମାନ ଆଗକୁ ମଧ୍ୟ ବୃଦ୍ଧି ଧାରା ଜାରି ରହିବ ଏବଂ ସୁନା ନୂଆ ରେକର୍ଡ କରିବ ।




