୧୨ ଘଣ୍ଟା ଟ୍ରାଫିକ୍ ଜାମ ହେଲେ, ଟୋଲ୍ କାହିଁକି ଦେବେ ? NHAI ଉପରେ ବର୍ଷିଲେ ସୁପ୍ରିମକୋର୍ଟ

୧୨-ଘଣ୍ଟା-ଟ୍ରାଫିକ୍-ଜାମ-ହେଲେ,-ଟୋଲ୍-କାହିଁକି-ଦେବେ-?-nhai-ଉପରେ-ବର୍ଷିଲେ-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତି ଉପରେ ପ୍ରଧାନ ବିଚାରପତି ବିଆର ଗଭାଇ ଏକ ବଡ଼ ଟିପ୍ପଣୀ କରିଛନ୍ତି । ଏକ ମାମଲାର ଶୁଣାଣି କରି ସିଜେଆଇ କହିଛନ୍ତି, ଆପଣ ଜାଣନ୍ତି ଦିଲ୍ଲୀରେ କ’ଣ ହୁଏ । ଦୁଇ ଘଣ୍ଟା ବର୍ଷା ହେଲେ ପୂରା ସମଗ୍ର ସହର ଅଚଳ ହୋଇଯାଏ । ସୁପ୍ରିମକୋର୍ଟ କେରଳରେ ଏକ ରାଜପଥରେ ୧୨ ଘଣ୍ଟା ଜାମ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। କୋର୍ଟ କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତିଙ୍କୁ ରାସ୍ତାର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରେ ପହଞ୍ଚିବାକୁ 12 ଘଣ୍ଟା ଲାଗେ, ତେବେ ସେ କାହିଁକି ଟୋଲ୍ ଦେବେ । କେରଳର ତ୍ରିସୁର ଜିଲ୍ଲାର NH ୫୪୪ରେ ଏକ ଟୋଲ୍ ପ୍ଲାଜା ମାମଲାର ଶୁଣାଣି ସମୟରେ ସିଜେଆଇ ଏହି ମନ୍ତବ୍ୟ ଦେଇଥିଲେ । ଉଲ୍ଲେଖଯୋଗ୍ୟେ ଯେ ହାଇୱେର ଖରାପ ଅବସ୍ଥା ଯୋଗୁଁ ହାଇକୋର୍ଟ ଟୋଲ୍ ଆଦାୟକୁ ସ୍ଥଗିତ ରଖିଥିଲେ । କେରଳ ହାଇକୋର୍ଟର ଏହି ନିଷ୍ପତ୍ତିକୁ NHAI ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । 

ସୁପ୍ରିମକୋର୍ଟ ଏନଏଚଏଆଇ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି । ସୋମବାର ଶୁଣାଣି ବେଳେ ସିଜେଆଇ ବିଆର ଗଭାଇ, ଜଷ୍ଟିସ୍ ବିନୋନ୍ଦ ଚନ୍ଦ୍ରନ ଓ ଜଷ୍ଟିସ୍ ଏନଭି ଅଞ୍ଜରିଆଙ୍କ ଖଣ୍ଡପୀଠ ଗତ ସପ୍ତାହରେ ୧୨ ଘଣ୍ଟାରୁ ଅଧିକ ସମୟ ଯାଏ ଜାମ କଥା ଉଲ୍ଲେଖ କରିଥିଲେ । ଜଷ୍ଟିସ୍ ଚନ୍ଦ୍ରନ କହିଥିଲେ ଯେ ୧୨ ଘଣ୍ଟା ଯାଏ ଯାତାୟାତ ବନ୍ଦ ରହିଥିଲା । ଏହା ଉପରେ ସଲିସିଟର୍ ଜେନେରାଲ୍ ତୁଷାର ମେହେଟା କହିଥିଲେ-ଏହା ଆକ୍ଟ ଅଫ୍ ଗଡ୍ ଥିଲା, ଗୋଟିଏ ଲରି ଓଲଟି ପଡ଼ିଥିଲା । ଏସଜି କହିଥିଲେ ଯେ ଏନ୍‌ଏଚ୍‌ଏଆଇ ସେହି ସ୍ଥାନଗୁଡ଼ିକରେ ବିକଳ୍ପ ରାସ୍ତା ଭାବେ ସର୍ଭିସ୍ ରୋଡ୍ ନିର୍ମାଣ କରିଛି, ଯେଉଁଠି ଅଣ୍ଡରପାସ୍ ନିର୍ମାଣ କରାଯାଉଛି । ତେବେ ମୌସୁମୀ କାରଣରୁ ନିର୍ମାଣ କାର୍ଯ୍ୟ ପ୍ରଭାବିତ ହୋଇଛି । ଏହାପରେ ସିଜେଆଇ ବିଆର ଗଭାଇ ପ୍ରଶ୍ନ କରିଥିଲେ ଯେ ୬୫ କିଲୋମିଟର ଏହି ଅଂଶ ପାଇଁ କେତେ ଟଙ୍କା ଟୋଲ୍ ଅଛି । ୧୫୦ ଟଙ୍କା ଜାଣିବା ପରେ ସିଜେଆଇ ପ୍ରଶ୍ନ କରିଥିଲେ, ଯଦି କୌଣସି ବ୍ୟକ୍ତିଙ୍କୁ ରାସ୍ତର ଗୋଟିଏ ପାର୍ଶ୍ୱରୁ ଅନ୍ୟ ଅନ୍ୟ ପାର୍ଶ୍ୱରେ ପହଞ୍ଚାଇବା ପାଇଁ ୧୨ ଘଣ୍ଟା ସମୟ ଲାଗେ, ତେବେ ୧୫୦ ଟଙ୍କା କାହିଁକି ଦେବ ? ଯେଉଁ ରାସ୍ତା ପାଇଁ ୧ ଘଣ୍ଟା ଲଗିବା କଥା, ସେଥିରେ ୧୧ ଘଣ୍ଟା ଅଧିକ ଲାଗୁଛି ଓ ଟୋଲ୍ ବି ଦେବାକୁ ପଡ଼ୁଛି । 

ଏସଜି ତୁଷାର ମେହେଟା କୋର୍ଟରେ ରାସ୍ତାର ଏକ ଭିଡିଓ ଉପସ୍ଥାପନ କରିଥିଲେ । ଯାହା ଉପରେ ସିଜେଆଇ ଗଭାଇ କହିଥିଲେ ଯେ ବର୍ଷା ସମୟରେ ଉପକୂଳ ଅଞ୍ଚଳର ପରିସ୍ଥିତି ଆହୁରି ଖରାପ ହୋଇଯାଏ । ମାମଲାରେ ଉପସ୍ଥିତ ଓକିଲ ସୁପ୍ରିମକୋର୍ଟର ଇ ଗେଟ୍କୁ ଉଦାହରଣ ଦେଇ କହିଥିଲେ ଯେ ଏଠାରେ ସବୁବେଳେ ଟ୍ରାଫିକ୍ ରହିଥାଏ । ଓକିଲମାନଙ୍କୁ କୋର୍ଟରେ ପହଞ୍ଚିବାକୁ ଗୋଟିଏ ଘଣ୍ଟା ସମୟ ଲାଗେ । ଏହା ଉପରେ ସିଜେଆଇ ଗଭାଇ କହିଥିଲେ ଯେ ଆପଣ ଦିଲ୍ଲୀ ବିଷୟରେ ଜାଣନ୍ତି, ଯଦି ଦୁଇ ଘଣ୍ଟା ବର୍ଷା ହୁଏ, ତେବେ ସମଗ୍ର ସହର ଅଚଳ ହୋଇଯାଏ । ତଥାପି, ସୁପ୍ରିମକୋର୍ଟ କେରଳ ମାମଲାରେ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । ଅଗଷ୍ଟ ୧୪ରେ, ସୁପ୍ରିମକୋର୍ଟ କେରଳର ତ୍ରିସୁର ଜିଲ୍ଲାର ପାଲିଆକ୍ରା ଟୋଲ୍ ପ୍ଲାଜାରେ ଟୋଲ୍ ଆଦାୟକୁ ବନ୍ଦ କରିବା ପାଇଁ କେରଳ ହାଇକୋର୍ଟଙ୍କ ଆଦେଶରେ ହସ୍ତକ୍ଷେପ କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ ।

ଏନଏଚଏଆଇର ଆବେଦନର ଶୁଣାଣି ସମୟରେ, ମୁଖ୍ୟ ବିଚାରପତି ବିଆର ଗଭାଇ ଏବଂ ବିଚାରପତି କେ.ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ କେରଳର ଜାତୀୟ ରାଜପଥ ୫୪୪ର ଏଡାପଲ୍ଲୀ-ମନୁଥି ସେକ୍ସନର ଖରାପ ଅବସ୍ଥାକୁ ଉଲ୍ଲେଖ କରିଥିଲେ। ଖଣ୍ଡପୀଠ କହିଥିଲେ ଯେ ଆପଣ ଲୋକଙ୍କଠାରୁ ଟୋଲ୍ ନିଅନ୍ତି ଏବଂ ସେବା ପ୍ରଦାନ କରନ୍ତି ନାହିଁ, ରାସ୍ତାର ରକ୍ଷଣାବେକ୍ଷଣ କରାଯାଏ ନାହିଁ। ବିଚାରପତି ଚନ୍ଦ୍ରନ NHAIକୁ କହିଥିଲେ ଯେ ଆବେଦନ ଦାଖଲ କରିବା ଏବଂ ସମୟ ନଷ୍ଟ କରିବା ପରିବର୍ତ୍ତେ, ଆପଣଙ୍କୁ କିଛି କରିବା ଉଚିତ। 

Scroll to Top