ନୂଆଦିଲ୍ଲୀ ୧୯।୧୧: ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୌଇର ଭାଇ ଅନମୋଲ ବିଷ୍ଣୋଇକୁ ବୁଧବାର ଦିଲ୍ଲୀ ପଟିୟାଲା ହାଉସ୍ କୋର୍ଟରେ ହାଜର କରିଥିବା ବେଳେ ୧୧ ଦିନିଆ ରିମାଣ୍ଡରେ ନେଇଛି। ଆମେରିକାରୁ ପ୍ରତ୍ୟାର୍ପିତ ହେବା ପରେ ଏନଆଇଏ ଅନମୋଲକୁ ଦିଲ୍ଲୀରେ ଗିରଫ କରିଥିଲା, ପରେ ତାକୁ ଅପରାହ୍ନ ୫ଟା ବେଳେ କୋର୍ଟରେ ହାଜର କରାଯାଇଥିଲା। ସ୍ୱତନ୍ତ୍ର ବିଚାରପତି ଜଷ୍ଟିସ୍ ପ୍ରଶାନ୍ତ ଶର୍ମାଙ୍କ କୋର୍ଟରେ ଅନମୋଲକୁ ହାଜର କରି ୧୫ ଦିନ ରିମାଣ୍ଡ ନିବେଦନ କରାଯାଇଥିଲା। ତେବେ କୋର୍ଟ ୧୧ ଦିନ ରିମାଣ୍ଡ ମଞ୍ଜୁର କରିଛନ୍ତି।
ଏନସିପି ନେତା ବାବା ସିଦ୍ଦିକୀ ହତ୍ୟା, ଏପ୍ରିଲ ୨୦୨୪ରେ ବଲିଉଡ ଷ୍ଟାର ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଓ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ସମେତ ଅନ୍ୟ ଅପରାଧରେ ୱାଣ୍ଟେଡ ଅନମୋଲକୁ ମଙ୍ଗଳବାର ଆମେରିକାରୁ ନିର୍ବାସିତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଅନମୋଲକୁ ଗତବର୍ଷ ନଭେମ୍ବର ମାସରେ ଆମେରିକା ପୋଲିସ ଅଟକ କରିଥିଲା। ସେବେଠାରୁ ସେ ଆମେରିକା ହାଜତରେ ଥିବା ବେଳେ ମଙ୍ଗଳବାର ତାର ଭାରତ ପ୍ରତ୍ୟାର୍ପଣ ହୋଇଛି। ଅନମୋଲ ୨୦୨୨ରୁ ଆମେରିକାରେ ରହି ଆସୁଥିଲା।
ଜେଲରେ ବନ୍ଦୀ ଲରେନ୍ସ ବିଷ୍ଣୋଇ ନେତୃତ୍ୱରେ ସାରା ବିଶ୍ୱରେ ପରିଚାଳିତ ଆତଙ୍କ ସିଣ୍ଡିକେଟ୍ ରେ ସାମିଲ ଯୋଗୁ ଗିରଫ ଅପରାଧୀଙ୍କ ସୂଚୀରେ ଅନମୋଲ ୧୯ତମ ଅଭିଯୁକ୍ତ। ଏନଆଇଏ ମୁଖପାତ୍ରଙ୍କ ଅନୁସାରେ ଅନମୋଲ ବିରୋଧରେ ମାର୍ଚ୍ଚ ୨୦୨୩ରେ ଚାର୍ଜସିଟ୍ ଦାଖଲ ହୋଇଥିଲା। ୨୦୨୦-୨୦୨୩ ମଧ୍ୟରେ ଗୋଲ୍ଡି ବରାର ଓ ଲରେନ୍ସ ବିଷ୍ଣୋଇକୁ ସକ୍ରିୟା ସହାୟତା କରିଥିବାର ଅଭିଯୋଗରେ ଏନଆଇଏ ଏହି ଚାର୍ଜସିଟ୍ ଦାଖଲ କରିଥିଲା।
#WATCH | Delhi | Arrested gangster Anmol Bishnoi remanded to 11-day NIA custody by Delhi court, to be taken to NIA headquarters pic.twitter.com/L6Ktskb2Hz
— ANI (@ANI) November 19, 2025




