ୟୁଗାଣ୍ଡାରେ ଭୀଷଣ ସଡ଼କ ଦୁର୍ଘଟଣା, ବସ୍ ଓ ବାହନ ସିରିଜ୍ ଧକ୍କା,୬୩ ମୃତ

ୟୁଗାଣ୍ଡାରେ-ଭୀଷଣ-ସଡ଼କ-ଦୁର୍ଘଟଣା,-ବସ୍-ଓ-ବାହନ-ସିରିଜ୍-ଧକ୍କା,୬୩-ମୃତ

କମ୍ପାଲା ୨୨।୧୦:  ଆଫ୍ରିକୀୟ ଦେଶ ୟୁଗାଣ୍ଡାରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅନୁନ୍ୟ ୬୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ୟୁଗାଣ୍ଡା ରାଜଧାନୀ କମ୍ପାଲାରୁ ଉତ୍ତର ଦିଗରେ ଗୁଲୁ ସହରକୁ ସଂଯୁକ୍ତ କରୁଥିବା କମ୍ପାଲା-ଗୁଲୁ ଜାତୀୟ ରାଜମାର୍ଗରେ ହୋଇଛି। ଏକ ଯାତ୍ରୀବାହୀ ବସ୍ ସହ କେତେଗୁଡିଏ ଛୋଟବଡ଼ ଗାଡ଼ି ସିରିଜ ଧକ୍କା ଲାଗିବା ଯୋଗୁ ଏପରି ପରିସ୍ଥିତି ଉପୁଜିଛି।  ସ୍ଥାନୀୟ ପୋଲିସ ଅନୁସାରେ ବସ୍ ସହ ଅନ୍ୟ ଗାଡି ସିରିଜ ଧକ୍କା ଲାଗିବା ଯୋଗୁ ବ୍ୟାପକ ଧନଜୀବନ ହାନୀ ହୋଇଛି।

ୟୁଗାଣ୍ଡା ପୋଲିସ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିରେ ଦୁଇଟି ଯାତ୍ରୀବାହୀ ବସ୍ ସହ ଅନ୍ୟ ୪ଟି ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିବା  ଜଣାପଡିଛି। ବସ୍ ଚାଳକ ଜାତୀୟ ରାଜମାର୍ଗରେ ଓଭରଟେକ୍ କରିବାକୁ ଉଦ୍ୟମ କରୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି। ବସ୍ ଟି ଓଭରଟେକ୍ କରୁଥିବା ବେଳେ ବିପରୀତ ଦିଗରୁ ଏକ ଲରି ଆସିଯାଇଥିଲା।  ଫଳରେ ବସ୍ ଓ ଲରି ମୁହାଁ ମୁହିଁ ଧକ୍କା ହୋଇଥିଲେ। ଏତିକିବେଳେ ବସ୍ ଓ ଲରି ପଛରେ ଥିବା ଗାଡି ଦୁର୍ଘଟଣାଗ୍ରସ୍ତ ଗାଡ଼ି ସହ ବାଡେଇ ହୋଇଯାଇଥିଲେ।

More than 50 people killed, several others injured in a road accident involving 4 vehicles near Asili Farm on Kampala–Gulu highway, in Ugandan pic.twitter.com/fefcM88Fxc

— MCT DRIVE AFRICA (@mctdriveafrica) October 22, 2025

କମ୍ପାଲା ପୋଲିସ ମୁଖପାତ୍ର କହିଛନ୍ତି ଯେ ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଉଦ୍ଧାରକାରୀ ଦଳ ଦୁର୍ଘଟଣାରେ ଆହତ ଓ ଫଶି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଛନ୍ତି। ସେହିପରି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଚିହ୍ନଟ ପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଛି। ପୋଲିସ ଅଧିକାରୀଙ୍କ ଅନୁସାରେ ଏହି ଭୟଙ୍କର ଦୁର୍ଘଟଣା ପରେ କମ୍ପାଲା-ଗୁଲୁ  ଜାତୀୟ ରାଜମାର୍ଗକୁ କିଛି ସମୟ ପାଇଁ ଅସ୍ଥାୟୀ ରୂପେ ବନ୍ଦ କରିଦିଆଯାଇଥିଲା।

ଏହା ଏକ ଅତ୍ୟନ୍ତ ଭୟାବହ ଦୁର୍ଘଟଣା ଓ ଏଥିରେ ୬୩ ଜଣଙ୍କ ମୃତ୍ୟୁ ହୋଇଛି ବୋଲି କମ୍ପାଲା ପୋଲିସ କହିଛି। ଏହି ଦୁର୍ଘଟଣାରେ ଅନେକ ଲୋକେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଦେଶର ଅନେକ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ବସ୍ ଯାତ୍ରୀମାନେ କେଉଁଠାରୁ କେଉଁଠାକୁ ଯାଉଥିଲେ ତାହା ଏବେ ପୋଲିସ ତଦନ୍ତ କରୁଛି।

Scroll to Top