ନୂଆଦିଲ୍ଲୀ ୧୦/୧୧: ସ୍କୁଟର ଦାମ ଲକ୍ଷେ । ଫାଇନ କିନ୍ତୁ ୨୧ ଲକ୍ଷ । ଏତେ ବଡ଼ ଫାଇନ । ଶୁଣିଲେ ଆପଣ ବି ହୋଇଯିବେ ତାଜବୁ । ଏବେ ଭାଇରାଲ ହେଉଛି ସେହି ବିଗ୍ ଫାଇନ ଚାଲାଣ ଫଟୋ । ଉତ୍ତରପ୍ରଦେଶର ମୁଜାଫରନଗରରେ ଘଟିଛି ଏହି ଘଟଣା । ଜଣେ ହେଲ୍ମେଟ ନ ପିନ୍ଧିବାରୁ ୨୧ ଲକ୍ଷ ଜରିମାନା ପଡିଛି । ଜିଲ୍ଲାରେ ଜଣେ ସ୍କୁଟି ଚାଳକଙ୍କୁ ହେଲମେଟ୍ ନ ପିନ୍ଧିବାରୁ ୨୧ ଲକ୍ଷ ଟଙ୍କା ଜରିମାନା ହୋଇଛି ।
ସୂଚନା ଥାଉକି, ଉତ୍ତରପ୍ରଦେଶର ମୁଜାଫରନଗରରେ ଗାଡ଼ି ଫାଇନ ଜଣଙ୍କ ସ୍କୁଟି ଦାମ୍ର ୨୦ ଗୁଣ ବୋଲି ସେ ପ୍ରକାଶ କରିଛନ୍ତି । ସେହି ଚାଲାଣର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଗତ ମଙ୍ଗଳବାର ନ୍ୟୁ ମଣ୍ଡି ଅଞ୍ଚଳରେ ହେଲମେଟ୍ ଯାଞ୍ଚ ଚାଲିଥିଲା । ସେହି ସମୟରେ ପୋଲିସ ବିଚ୍ ରାସ୍ତାରେ ଜଣଙ୍କୁ ଅଟକାଇ ଥିଲା । ଅନ୍ମୋଲ ସିଂଘଲଙ୍କୁ ଅଟକାଇ ପୋଲିସ ଯାଞ୍ଚ କରିଥିଲା । କାରଣ ସେ ହେଲ୍ମେଟ ପିନ୍ଧିନଥିଲେ । ଯାଞ୍ଚ ବେଳେ ତାଙ୍କ ନିକଟରେ ଗାଡ଼ିର ଆବଶ୍ୟକୀୟ କାଗଜପତ୍ର ବି ନଥିଲା ।
ଏହାପରେ ପୋଲିସ ତାଙ୍କ ସ୍କୁଟିକୁ ଜବତ କରିଥିଲା । ଏଥିସହ ଜରିମାନା ବାବଦରେ ୨୦ ଲକ୍ଷ ୭୪ ହଜାର ଟଙ୍କା ଦେବାକୁ ଚାଲାଣ କାଟିଥିଲା । ତେବେ ଏତେ ପରିମାଣର ଜରିମାନା ରାଶିକୁ ଦେଖି ସିଂଘଲ ଚକିତ ହୋଇ ସୋସିଆଲ୍ ମିଡିଆରେ ତାର ଫଟୋ ଉଠାଇ ସେୟାର କରିଥିଲେ । ଏହାପରେ ପୋଲିସର ପଦକ୍ଷେପକୁ ଅନେକ ସମାଲୋଚନା କରିଥିଲେ ଲୋକେ । ସେଥିଯୋଗୁ ବାଧ୍ୟହୋଇ ପରେ ଅଧିକାରୀମାନେ ତାଙ୍କ ଜରିମାନା ରାଶି କମାଇ ୪ ହଜାର ଟଙ୍କା କରିଛନ୍ତି ।
ମୁଜାଫରନଗର ଟ୍ରାଫିକ୍ ଏସ୍ପି ଅତୁଲ ଚୌବେ କହିଛନ୍ତି, ଚାଲାଣ କାଟୁଥିବା ସବ୍ ଇନ୍ସପେକ୍ଟରଙ୍କ ଏକ ଭୁଲ୍ ଯୋଗୁ ଏଭଳି ହୋଇଛି । ହେଲମେଟ୍ ନଥିବାରୁ ମାମଲାରେ ମୋଟର ଯାନ ଅଧିନିୟମର ଧାରା ୨୦୭ ଲାଗୁ ହୋଇଥିଲା । କିନ୍ତୁ ସବ୍ ଇନ୍ସପେକ୍ଟର ୨୦୭ ପରେ ଏମ୍ଭି ଆକ୍ଟ ଲେଖିବାକୁ ଭୁଲି ଯାଇଥିଲେ । ଫଳରେ ୨୦୭ ଏବଂ ଏହି ଧାରା ଅନୁସାରେ ଲାଗୁ ହେଉଥିବା ସର୍ବନିମ୍ନ ଜରିମାନା ୪୦୦୦ ମିଶି ୨୦,୭୪,୦୦୦ ହୋଇଯାଇଥିଲା । ଏହି ତ୍ରୁଟି ଯୋଗୁ ଆମେ ଦୁଃଖିତ ।




