ମସ୍କୋ ୨୪।୮: ଋଷିଆ ରବିବାର ୟୁକ୍ରେନ ପକ୍ଷରୁ ପ୍ରଚଣ୍ଡ ଆକ୍ରମଣ ଅଭିଯୋଗ କରିଛି। ଶନିବାର ରାତି ଓ ରବିବାର ସକାଳ ମଧ୍ୟରେ ୟୁକ୍ରେନ ଏହି ଆକ୍ରମଣ କରିଥିବା ବେଳେ ଡ୍ରୋନ ଦ୍ୱାରା କୁର୍ରସ୍କ ସ୍ଥିତ ଏକ ପରମାଣୁ ଶକ୍ତି କେନ୍ଦ୍ରରେ ନିଆଁ ଲଗାଇ ଦେଇଛି। ୟୁକ୍ରେନ ଏହି ଆକ୍ରମଣ ସେତେବେଳେ କରିଛି ଯେତେବେଳେ ନିଜ ସ୍ୱାଧୀନତାର ୩୪ତମ ବାର୍ଷିକ ପାଳନ କରୁଛି। ଋଷୀୟ ଅଧିକାରୀମାନେ କହିଛନ୍ତି ଯେ ଶନିବାର ବିଳମ୍ବିତ ରାତ୍ରିରେ କରାଯାଇଥିବା ଆକ୍ରମଣରେ ଶକ୍ତିକେନ୍ଦ୍ରକୁ ଟାର୍ଗେଟ କରିଥିଲା।
ଅଧିକାରୀମାନେ ସୋସିଆଲ ମିଡିଆ ମଞ୍ଚ ‘ଟେଲିଗ୍ରାମ’ରେ ଉଲ୍ଲେଖ କରିଛନ୍ତି ଯେ ୟୁକ୍ରେନର ଡ୍ରୋନ ଆକ୍ରମଣରେ ଏକ ପରମାଣୁ ଶକ୍ତି କେନ୍ଦ୍ରରେ ନିଆଁ ଲାଗିଯାଇଥିଲା। ତେବେ ଏହାକୁ ତୁରନ୍ତ ନିୟନ୍ତ୍ରଣ କରାଯାଇଛି। ଏହି ଘଟଣାରେ କେହି ହତାହତ ହୋଇଥିବାର ସୂଚନା ନାହିଁ। ତେବେ ଗୋଟିଏ ଟ୍ରାନ୍ସଫର୍ମର କ୍ଷତିଗ୍ରସ୍ତ ହୋଇଛି। ହେଲେ ବିକିରଣ ସ୍ତର ସ୍ୱଭାବିକ ସ୍ତରରେ ରହିଛି। ଏଣୁ ଆଣବିକ ବିକିରଣର ସେପରି କୌଣସି ଭୟ ନାହିଁ।
Breaking:
Ukraine drone hits Russian nuclear plant, sparks huge fire at Novatek’s Ust-Luga terminal #Ukraine_War #Russia #Drone_Strike #RussianNuclear_plant #Novatek_Ust_Luga pic.twitter.com/IIbkg6SE2R— KIWI NEWS (@kevin_55839406) August 24, 2025
ଜାତିସଂଘ ପରମାଣୁ ନିରୀକ୍ଷଣ ସଂସ୍ଥା ତାଙ୍କୁ ଗଣମାଧ୍ୟମରୁ ଖବର ମିଳିଥିବା ସୂଚିତ କରିଛି। ଏହି ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁ ପ୍ଲାଣ୍ଟର ଏକ ଟ୍ରାନ୍ସଫର୍ମର ଜଳି ଯାଇଛି। ହେଲେ ଏହାର ସ୍ୱତନ୍ତ୍ର ରୂପେ ପୁଷ୍ଟି ହୋଇ ନାହିଁ। କଥିକ ଆକ୍ରମଣକୁ ନେଇ ୟୁକ୍ରେନ ତତ୍କାଳ କୌଣସି ଦାବି କରି ନାହିଁ। ତେବେ ଋଷିଆ ପ୍ରତିରକ୍ଷା ମନ୍ତ୍ରାଳୟ ଦାବି କରିଛି ଯେ ଆମର ଏୟାର ଡିଫେନ୍ସ ସିଷ୍ଟମ ୟୁକ୍ରେନରୁ ପଠାଯାଇଥିବା ୯୫ଟି ଡ୍ରୋନକୁ ନିଷ୍କ୍ରିୟ କରିଦେଇଥିଲା।
ଇତି ମଧ୍ୟରେ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣି ରବିବାର ପୂର୍ବାହ୍ନରେ କିଭ ପହଞ୍ଚିଛନ୍ତି। ଏହି ଗସ୍ତ କାଳରେ କାର୍ଣ୍ଣି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମୀର ଜେଲନସ୍କିଙ୍କ ସହିତ ବୈଠକ କରିଛନ୍ତି। ସେପଟେ ନରୱେ ରବିବାର ୟୁକ୍ରେନ ନିମନ୍ତେ ନୂଆ ସୈନ୍ୟ ସହାୟତା ଘୋଷଣା କରିଛି। ଏଥିରେ ୟୁକ୍ରେନ ନିମନ୍ତେ ଏୟାରଡିଫେନ୍ସ ସିଷ୍ଟମ କିଣିବା ଲାଗି ନରୱେ ୬୯.୫କୋଟି ଆମେରିକୀୟ ଡଲାର ଆର୍ଥିକ ସହାୟତା ଘୋଷଣା କରିଛି।




