ସୋସିଆଲ ମିଡିଆ ପ୍ଲାଟଫର୍ମ X କୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଝଟକା, ଜାଣନ୍ତୁ କହିଲେ କ’ଣ?

ସୋସିଆଲ-ମିଡିଆ-ପ୍ଲାଟଫର୍ମ-x-କୁ-କର୍ଣ୍ଣାଟକ-ହାଇକୋର୍ଟଙ୍କ-ଝଟକା,-ଜାଣନ୍ତୁ-କହିଲେ-କ’ଣ?

ବେଙ୍ଗାଲୁରୁ ୨୪।୯: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ କୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଝଟକା ଲାଗିଛି। ଏକ୍ସ ପକ୍ଷରୁ କେନ୍ଦ୍ର ସରକାରଙ୍କ ଟେକ୍ ଡାଉନ ଅର୍ଡରକୁ ଚ୍ୟାଲେଞ୍ଜକରି ରୁଜୁ  କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଏହା ସହିତ କୋର୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଭାରତରେ କାମ କରିବାକୁ ହେଲେ ଦେଶର ଆଇନକୁ ପାଳନ କରିବାକୁ ପଡିବ ବୋଲି ସଫାସଫା ଶୁଣାଇ ଦେଇଛନ୍ତି।

ଏକ୍ସ କର୍ଣ୍ଣାଟକ ହାଇକୋର୍ଟରେ ପିଟିସନ ଦାଖଲ କରି କହିଥିଲା ଯେ ସୂଚନା ଓ ପ୍ରଯୁକ୍ତି ଅଧିନିୟମ, ୨୦୦୦ର ଧାରା ୭୯(୩)(ବି) ସରକାରୀ ଅଧିକାରୀମାନଙ୍କୁ ଅବରୋଧ କରିବା ପାଇଁ ଆଦେଶ ଜାରି ନିମନ୍ତେ ଅଧିକାର ଦିଏ ନାହିଁ। ଏହା ବଦଳେ କମ୍ପାନୀ ତର୍କ ଦେଇଥିଲା ଯେ କେବଳ ଅଧିନିୟମର ଧାରା ୬୯(ଏ) ସୂଚନା ଓ ପ୍ରଯୁକ୍ତି ନିୟମ ୨୦୦୯ ଏଭଳି କାର୍ଯ୍ୟାନୁଷ୍ଠାନ ନିମନ୍ତେ ଉଚିତ ଆଇନ ଢାଞ୍ଚା ପ୍ରଦାନ କରୁଛି। ଏଣୁ ଏକ୍ସ ଆଇନର ଧାରା ୭୯(୩)(ବି) ଅନୁସାରେ ଜାରି ଅବରୁଦ୍ଧ କରିବାର ଆଦେଶ ଆଧାରରେ ବିଭିନ୍ନ ମନ୍ତ୍ରାଳୟଙ୍କୁ ତାଙ୍କ ବିରୋଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ରୋକିବା ଲାଗି ନିର୍ଦ୍ଦେଶ ଦେବାକୁ ଦାବି କରିଥିଲା।

ଏହା ଛଡା ଏକ୍ସ ସରକାରଙ୍କ ‘ସହଯୋଗ’ ପୋର୍ଟାଲରେ ସଂଯୁକ୍ତ ନ ହେବା ପାଇଁ ଅନ୍ତରୀଣ ସୁରକ୍ଷା ମଧ୍ୟ ଦାବି କରିଥିଲା। ଏହି ଆବେଦନ ଉପରେ କିଛି ମାସ ହେଲା ଶୁଣାଣି ଚାଲିଥିଲା ଓ ଜୁଲାଇ ଅନ୍ତିମ ସପ୍ତାହ ବେଳକୁ ତର୍କ ଶେଷ ହୋଇ ସାରିଥିଲା।ତେବେ କୋର୍ଟ ୨୪ ସେପ୍ଟେମ୍ବର ବୁଧବାର ତାଙ୍କ ରାୟ ଘୋଷଣା କରିବା ପୂର୍ବରୁ ଜୁଲାଇ ୨୯ ତାରିଖ ଦିନ ତାଙ୍କ ରାୟକୁ ସଂରକ୍ଷିତ ରଖିଥିଲେ।

କର୍ଣ୍ଣାଟକ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଏମ.ନାଗପ୍ରସନ୍ନା ରାୟ ପ୍ରକାଶ କରି ଏହି କଥା ଉପରେ ଗୁରୁତ୍ୱ ଦେଇଛନ୍ତି ଯେ ମାଧ୍ୟମ ଯାହା ବି ହେଉ ନା କାହିଁକି ସଞ୍ଚାର ନିୟମ ସବୁବେଳେ ଶାସନର ବିଷୟ ହୋଇ ରହିଛି। କୋର୍ଟ କହିଛନ୍ତି ଯେ ସୂଚନା ଓ ସଞ୍ଚାର ଏହାର ପ୍ରସାର ଓ ଗତି କେବେବି ଅନିୟନ୍ତ୍ରିତ ନଥିଲା। ଏହା ସବୁବେଳେ ନିୟମର ବିଷୟ ହୋଇ ରହି ଆସିଛି। ଏଣୁ ଦେଶରେ ସଂସ୍ଥା ଚଳାଇବାକୁ ହେଲେ ଆଇନକୁ ମାନିବାକୁ ବାଧ୍ୟ।   

Scroll to Top