ସୋର ୨୨।୧୦: ସୋର ସବ୍ ଜେଲ୍ରୁ କଏଦୀ ଫେରାର । ମଙ୍ଗଳବାର ସନ୍ଧ୍ୟା ସମୟରେ କଏଦୀ ଜଣଙ୍କ ଫେରାର ହୋଇଥିବା ନେଇ ସୂଚନା ମିଳିଥିଲା । ବିଳମ୍ବିତ ରାତିରେ ବାରିପଦାର ସିନିୟର ଜେଲ୍ ସୁପରିଟେଣ୍ଡେଣ୍ଟ ସୋର ସବ୍ ଜେଲ୍ ପରିଦର୍ଶନ କରିଥିଲେ । ସେହିପରି ସୋର ଥାନା ଆଇଆଇସି ସୁଦୀପ୍ତ ସାହୁ ସବ୍ ଜେଲ୍ ପରିଦର୍ଶନ କରି ଫେରିଥିଲେ l
ଘଟଣାରୁ ଜଣପଡିଥିଲା ଯେ, ଝାଡ଼ଖଣ୍ଡ ରାଜ୍ୟର ଦୀପକ ରାଏ ଏକ ଚୋରି କେସ୍ରେ ସିମୁଳିଆ ପୋଲିସ ଦ୍ୱାରା ଗିରଫ ହୋଇ ସୋର ଜେଲ୍ରେ ଥିଲେ । ମଙ୍ଗଳବାର ସନ୍ଧ୍ୟାରେ ଦୀପକ ପାଚେରୀ ଡେଇଁ ଫେରାର ହୋଇଯାଇଥିଲେ l ସନ୍ଧ୍ୟା ସମୟରେ କଏଦୀମାନଙ୍କୁ ଗଣତି ସମୟରେ ଜଣେ କଏଦୀ କମ୍ ଥିବା ଜାଣିବାକୁ ପାଇଥିଲେ ଜେଲ୍ କର୍ତ୍ତୃପକ୍ଷ l ସବ୍ ଜେଲ୍ କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନମିଳିବାରୁ ସୋର ପୋଲିସ ନିକଟରେ ଅଭିଯୋଗ କରିଥିଲେ ସବ୍ ଜେଲର ବୈଲୋଚନ ଦାସ l ପୋଲିସ ବିଭିନ୍ନ ରେଳ ଷ୍ଟେସନ, ବସଷ୍ଟାଣ୍ଡରେ ଖୋଜାଖୋଜି ଜାରି ରଖାଯାଇଥିବା ଜେଲରଙ୍କ ପକ୍ଷରୁ ସୂଚନା ଦିଆଯାଇଛି l
ଅନ୍ୟପଟେ ବାଲେଶ୍ୱର ଏସ୍ପି ପ୍ରତ୍ୟୁଷ ଦିବାକର ସୋର ସବ୍ ଜେଲ୍ ପରିଦର୍ଶନ କରି ଫେରିଯାଇଛନ୍ତି । ଜେଲ୍ ପରିଦର୍ଶନ କରି ଏସ୍ପି କହିଛନ୍ତି, ଝାଡ଼ଖଣ୍ଡ ବୋକାରୋ ଅଞ୍ଚଳର ଦୀପକ ରାୟ ଜେଲ୍ରୁ ଫେରାର ପରେ ବିଭିନ୍ନ ସ୍ଥାନରେ ଖୋଜିବା ସହିତ କିପରି ଜେଲ୍ରୁ ଖସିଲା ଅନୁଧ୍ୟାନ କରିଛି l ପୋଲିସ ତାକୁ ଧରିବାକୁ ସବୁପ୍ରକାର ଚେଷ୍ଟା କରୁଛି ବୋଲି ଏସ୍ପି ପ୍ରତ୍ୟୁଷ ଦିବାକର କହିଛନ୍ତି ।




