ସୋଆ ବିଶ୍ୱବିଦ୍ୟାଳୟରେ ରାଗିଂ ବିରୋଧୀ ସପ୍ତାହ ପାଳିତ

ସୋଆ-ବିଶ୍ୱବିଦ୍ୟାଳୟରେ-ରାଗିଂ-ବିରୋଧୀ-ସପ୍ତାହ-ପାଳିତ

ଭୁବନେଶ୍ୱର: ନିକଟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିଭର୍ସିଟିରେ ରାଗିଂ ବିରୋଧୀ ସପ୍ତାହ ପାଳନ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ପରିଚାଳିତ ସମସ୍ତ ଶିକ୍ଷାନୁଷ୍ଠାନ ତଥା ବିଶ୍ୱବିଦ୍ୟାଳୟ ସ୍ତରରେ ଅଗଷ୍ଟ ୧୨ରୁ ୧୮ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ କରାଯାଇଥିଲା। ଆଉ ଏହି ଉପଲକ୍ଷେ ଏକ ରାଗିଂ ମୁକ୍ତ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ନିମନ୍ତେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । 

ଅଗଷ୍ଟ ୧୨ରେ ବିଶ୍ୱବିଦ୍ୟାଳୟରେ ରାଗିଂ ବିରୋଧୀ ଦିବସ ପାଳିତ ହୋଇଥିଲା । ଏଥିରେ ଶପଥ ଗ୍ରହଣ ଉତ୍ସବ, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମ୍ବେଦନଶୀଳତା ବୃଦ୍ଧି ଓ ସଚେତନତା ସୃଷ୍ଟି ନିମନ୍ତେ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଥିଲା । ବିଭିନ୍ନ ଶିକ୍ଷାନୁଷ୍ଠାନର ରାଗିଂ ବିରୋଧୀ କମିଟି ଓ ହଷ୍ଟେଲ ଅଧୀକ୍ଷକମାନେ ଏହା ପରିଚାଳନା କରିଥିଲେ । 

ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ପୋଷ୍ଟର ତିଆରି, ସ୍ଲୋଗାନ୍ ଲେଖିବା, ନୁକଡ଼ ନାଟକ, ବିତର୍କ, କୁଇଜ, ପ୍ରବନ୍ଧ ଏବଂ ରଙ୍ଗୋଲୀ ଭଳି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହା ମଧ୍ୟ ଦେଇ ପରସ୍ପର ପ୍ରତି ସମ୍ମାନ ପ୍ରକାଶ ତଥା ମର୍ଯ୍ୟାଦାର ଗୁରୁତ୍ୱ ଏବଂ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଅନ୍ତର୍ଭୁକ୍ତତାକୁ ପ୍ରାଧାନ୍ୟ ଦିଆଯାଇଥିଲା । 

ଏହି ସପ୍ତାହର ପୁରସ୍କାର ବିତରଣୀ ଓ ସମ୍ବର୍ଦ୍ଧନା ଉତ୍ସବ ଅଗଷ୍ଟ ୧୮ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶ୍ୱବିଦ୍ୟାଳୟର କୁଳପତି, ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଡିନ୍ (ଛାତ୍ର ମଙ୍ଗଳ) ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଅନ୍ୟାନ୍ୟ ଡିନ୍‌, ନିର୍ଦ୍ଦେଶକ, ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । 

ରାଗିଂ ବିରୁଦ୍ଧରେ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରି ପ୍ରଫେସର ନନ୍ଦ କହିଥିଲେ ଯେ, ବିଶ୍ୱବିଦ୍ୟାଳୟ ରାଗିଂକୁ ସଂପୂର୍ଣ୍ଣ ବିରୋଧ କରେ । ଏହା ସହିତ ଛାତ୍ରଛାତ୍ରୀମାନେ ପରସ୍ପର ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ପରସ୍ପରର ବିଶ୍ୱାସ ଭାଜନ ହେବା ଆବଶ୍ୟକ ବୋଲି ସେ କହିଥିଲେ ।

ଫ୍ୟାକଲ୍ଟି କୋଅର୍ଡିନେଟର ଡକ୍ଟର ଅଂଶୁମାନ ଜେନା ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ଓ ଏକତା ବୃଦ୍ଧି ନିମନ୍ତେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

ଏହି ଉପଲକ୍ଷେ ଏକ ସନ୍ଦେଶ ଦିଆଯାଇଥିଲା ଯାହାର ଅର୍ଥ ହେଲା “ରାଗିଂ ବିଭକ୍ତ କରେ ମାତ୍ର ପରସ୍ପର ପ୍ରତି ସମ୍ମାନ ଏକତା ବଢ଼ାଏ । ଆମେ ଏକତ୍ର ଶପଥ ନେଉଛୁ ଯେ ବିଶ୍ୱବିଦ୍ୟାଳୟରେ ପରସ୍ପର ପ୍ରତି ସମ୍ମାନ, ମର୍ଯ୍ୟାଦା ଓ ବନ୍ଧୁତ୍ୱ ବୃଦ୍ଧି ନିମନ୍ତେ ଉଦ୍ୟାମ ଜାରି ରଖିବୁ ।”

Scroll to Top