ଭୁବନେଶ୍ବର ୧।୧୧: ଭୁବନେଶ୍ବରରେ ସେମିକଣ୍ଡକ୍ଟର ୟୁନିଟ୍ର ଶିଳାନ୍ୟାସ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୂମିପୂଜନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଇନ୍ଫୋ ଭ୍ୟାଲିରେ ହେବ ସେମିକଣ୍ଡକ୍ଟର ୟୁନିଟ୍ । ଭିଡିଓ କନଫରେନ୍ସରେ ସାମିଲ ହେଲେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଉପସ୍ଥିତ ଅଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆଜି ଆମ ପାଇଁ ଏକ ସୌଭାଗ୍ୟର ଦିନ । ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଭରପୁର ହୋଇ ରହିଛି । ରାଜ୍ୟରେ ୫୭୫ କିଲୋମିଟର କୋଷ୍ଟ ଲାଇନ୍ ରହିଛି କିନ୍ତୁ ମନରେ ପ୍ରଶ୍ନ ଆସୁଛି କି ଆମେ କାହିଁକି ପଛରେ ରହିଛେ । ଏତେ ଥାଇ ମଧ୍ୟ କାହିଁକି ଆମେ ଦରିଦ୍ର ? ଏହି ପ୍ରଶ୍ନର ଉତ୍ତର ବହୁତ ଖୋଜୁଛେ । ଇଚ୍ଛାଶକ୍ତିର ଅଭାବ ଥିଲେ ରାଜ୍ୟର ଉନ୍ନତି ହୋଇପାରିବ ନାହିଁ । ପୂର୍ବ ସରକାର କହୁଥିଲେ ମେକ୍ ଇନ୍ ଓଡ଼ିଶା କରିଛୁ, ରାଜ୍ୟକୁ ଶିଳ୍ପ ଆଣିବୁ । ୧୦୦୦ ଦିନରେ ୧୦୦୦ ଶିଳ୍ପ କଥା କହୁଥିଲେ, ହେଲେ ସେସବୁ ଗଲା କୁଆଡେ ? ସମୟ ବଡ଼ ବଳବାନ, ଏବେ ସରକାର ପରିବର୍ତ୍ତନ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ମୋତେ ଡବଲ ଇଂଜିନ ସରକାର ଦିଅନ୍ତୁ ମୁଁ ଡବଲ ଉନ୍ନତି କରିବି । ତାହା ଆଜି ପ୍ରମାଣିତ ହୋଇଛି ।
ରାଜ୍ୟକୁ ୨ଟି ସେମି କଣ୍ଡକ୍ଟର ପ୍ରଦାନ କରିବା ଛୋଟ କଥା ନୁହେଁ । ଆଜି ଏହି ପ୍ରକଳ୍ପରେ ୨ ହଜାର କୋଟି ଅଧିକ ଟଙ୍କା ବିନିଯୋଗ ହେବ । ଏହା କେବଳ ରାଜ୍ୟ ନୁହେଁ ଦେଶ ପାଇଁ ମଧ୍ୟ ଅବଦାନ । କେନ୍ଦ୍ର ସରକାର ସେମି କଣ୍ଡକ୍ଟର ପାଇଁ ଅନେକ କାର୍ଯ୍ୟ କରୁଛନ୍ତି । ଆମ ସରକାର ଲୋକଙ୍କ ସରକାର, କଥାରେ ନୁହେଁ କାମରେ ବିଶ୍ୱାସ କରେ । କେନ୍ଦ୍ର ସରକାର ଆମେକୁ ୪ଟିରୁ ୨ଟି ପ୍ରକଳ୍ପ ଦେଇଛନ୍ତି । ଗୁଜୁରାଟ ପରେ ଦ୍ୱିତୀୟ ରାଜ୍ୟ ଭାବେ ଓଡ଼ିଶାରେ ସେମି କଣ୍ଡକ୍ଟର କାର୍ଯ୍ୟକାରୀ ହେବାକୁ ଯାଉଛି । ଇଣ୍ଡଷ୍ଟ୍ରି କ୍ଷେତ୍ରରେ ୪୦ ହଜାର ଯୁବକଯୁବତୀଙ୍କୁ ରାଜ୍ୟ ସରକାର ରୋଜଗାର ଯୋଗାଇ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।




