ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ଡିଟୋନେଟର ସହ ଆଇଇଡି ଜବତ
Published By: Ruby – Prameya-News7 Bureau | November 08, 2025 10:35 AM
NEWS7
ରାଉରକେଲା ୮।୧୧: ଓଡ଼ିଶା ଝାଡ଼ଖଣ୍ଡ ସୀମାରେ ସୁରକ୍ଷା ବାହିନୀ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ଅପରେସନରେ ବିପୁଳ ପରିମାଣର ବିସ୍ଫୋରକ ସହ ରାଇଫଲ ଏବଂ ଆଇଇଡି ଜବତ ହୋଇଛି ।
ସୂଚନାଯୋଗ୍ୟ ଯେ, ସରଣ୍ଡା ଜଙ୍ଗଲରେ ଗୁରୁବାର ସନ୍ଧ୍ୟାରୁ ପୋଲିସ ଓ ସୁରକ୍ଷାବାହିନୀ ସହ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ସରଣ୍ଡା ଜଙ୍ଗଲରୁ ବିପୁଳ ପରିମାଣରେ ବନ୍ଧୁକ, ଗୁଳି, ବିସ୍ଫୋରକ ସହ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି । ସୁରକ୍ଷା ବାହିନୀ କୋବ୍ରା ବାଟାଲିୟନ ଏବଂ ପୋଲିସ ପକ୍ଷରୁ ମାଓବାଦୀ ବିରୋଧୀ ଅଭିଯାନ ସମୟରେ ଜରେଇକେଲା ଥାନା ଅନ୍ତର୍ଗତ ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଦୁଇ ଦିନ ହେବ ଅପରେସନ ଜାରି ରହିଛି । ସୁରକ୍ଷା ବାହିନୀକୁ ଦେଖି ମାଓବାଦୀ ମାନେ ହଠାତ ଗୁଳି ଚଳାଇଥିଲେ । ଏହାର ଜବାବରେ ପୋଲିସ ପକ୍ଷରୁ ପାଲଟା ଗୁଳି ଚଳାଯାଇଥିଲା । ବର୍ତ୍ତମାନ ଘଟଣାସ୍ଥଳରୁ ଫେରାର ମାରିଛନ୍ତି ମାଓବାଦୀ । ତେବେ ସୁରକ୍ଷା ବାହିନୀ ଦୁଇଟି ଏସ୍ଏଲ୍ଆର୍ ରାଇଫଲ୍ ଏବଂ ଗୋଟିଏ ୩୦୩ ରାଇଫଲ୍ ଜବତ କରିଛି ଏବଂ ଏକେ ୪୭, ଏସଏଲଆର ସହ ୩୦୩ ରାଇଫଲର ୨୪୫ଟି ଗୁଳି ଓ ୧୩ଟି ଆଇଇଡି ଏବଂ ୧୦ଟି ଡିଟୋନେଟର ସହ ୧୬ କିଲୋ ବିସ୍ଫୋରୋକ ଜବତ ହୋଇଛି ।




