ସୁନା ୨,୭୧୪ ଓ ରୂପା ୬,୫୨୬ ଟଙ୍କା ଶସ୍ତା, ଜାଣନ୍ତୁ ଅକ୍ଟୋବର ୧୭ରୁ ଏ ପର୍ଯ୍ୟନ୍ତ କେତେ କମିଲାଣି ଦର?

ସୁନା-୨,୭୧୪-ଓ-ରୂପା-୬,୫୨୬-ଟଙ୍କା-ଶସ୍ତା,-ଜାଣନ୍ତୁ-ଅକ୍ଟୋବର-୧୭ରୁ-ଏ-ପର୍ଯ୍ୟନ୍ତ-କେତେ-କମିଲାଣି-ଦର?

ନୂଆଦିଲ୍ଲୀ ୧୭।୧୧: ସାରା ଦେଶରେ ଏବେ ବିବାହ ଋତୁ। ଏଣୁ ସୁନା ଓ ରୂପା ଦର ଉଚ୍ଚ ରହିବା ସ୍ୱଭାବିକ। ହେଲେ ସୋମବାର ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦରରେ ୨,୭୧୪ ଟଙ୍କା ଶସ୍ତା ହୋଇଥିବା ବେଳେ ୧,୨୨,୭୧୪ ଟଙ୍କା ଦରରେ କାରବାର ହେଉଛି। ସେହିପରି ରୂପା କେଜି ପିଛା ଦର ୧,୫୮,୭୫୩ ଟଙ୍କାରେ କିଣିବିକା ହେଉଥିବା ଜଣା ପଡିଛି। ସୋମବାର କାରବାର ଆରମ୍ଭରେ ରୂପା କେଜି ପିଛା ଦର ୬,୫୨୬ ଟଙ୍କା ହ୍ରାସ ହୋଇଥିଲା। ଏହା ପୂର୍ବରୁ ଶୁକ୍ରବାର କାରବାର ବନ୍ଦ ହେବା ବେଳକୁ ରୂପା କେଜି ପିଛା ୧,୬୦,୬୫୬ ଟଙ୍କା ଥିଲା । ସେହିପରି ସୁନା ଦର କାରାବାର ବନ୍ଦ ହେବା ବେଳକୁ ୧୦ ଗ୍ରାମ ପିଛା ୧,୨୫,୪୨୮ ଟଙ୍କାଥିଲା।

ଗତ ଅକ୍ଟୋବର ମାସ ୧୭ ତାରିଖରେ ସୁନା ସର୍ବକାଳୀନ ଉଚ୍ଚତମ ସ୍ତରକୁ ଛୁଇଁଥିଲା। ସେବେ ଠାରୁ ଏ ପର୍ଯ୍ୟନ୍ତ ସୁନା ୮,୧୬୦ ଟଙ୍କା ଶସ୍ତା ହେଲାଣି। ସେହିପରି ରୂପା ଅକ୍ଟୋବର ୧୪ ତାରିଖ ଦିନ ସର୍ବ କାଳୀନ ଉଚ୍ଚତମ ସ୍ତରରୁ ଏପର୍ଯ୍ୟନ୍ତ ୨୩,୯୭୦ ଟଙ୍କା ଶସ୍ତା ହୋଇଛି। ଇଣ୍ଡିଆନ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ (ଆଇବିଜେଏ) ଦିନରେ ଦୁଇ ଥର ସୁନା ରୂପା ଦର ସୁଧାର କରିଥାଏ। ପ୍ରଥମ ସୁଧାର ମଧ୍ୟାହ୍ନ ୧୨ଟା ବେଳେ ଜାରି ହେଉଥିବା ବେଳେ ଦ୍ୱିତୀୟ ସୁଧାର ଅପରାହ୍ନ ୫ଟା ବେଳେ ହୁଏ।

ଏହି ସୁଧାର ଅନୁସାରେ ସୋମବାର ୨୩ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୨,୭୦୩ ଟଙ୍କା ଶସ୍ତା ହୋଇ ୧,୨୨, ୨୨୩ଟଙ୍କାରେ କାରବାର ହେଉଛି। ଜିଏସଟି ସହିତ ୧୦ଗ୍ରାମ ପିଛା ମୂଲ୍ୟ ୧,୨୫,୮୮୯ ଟଙ୍କାରେ କାରବାର ହେଉଛି। ମୂଲ୍ୟ ହ୍ରାସରେ ୨୨ କ୍ୟାରେଟ ସୁନା ଦର ମଧ୍ୟ ହ୍ରାସ ହୋଇଛି। ପ୍ରତି ୧୦ ଗ୍ରାମ ୨,୪୮୬ ଟଙ୍କା ହ୍ରାସ ହୋଇଥିବା ବେଳେ ୧,୧୨,୪୦୬ ଟଙ୍କାରେ କାରବାର ହେଉଛି। ସେହିପରି ୧୮ କ୍ୟାରେଟ ସୁନା ଦର ୨,୦୩୫ ଟଙ୍କା ଶସ୍ତା ହୋଇଛି। ଚଳିତବର୍ଷ ସୁନା ୧୦ ଗ୍ରାମ ପିଛା ୪୬,୯୭୪ ଟଙ୍କା ମହଙ୍ଗା ହୋଇଛି। ସେହିପରି ରୂପା କେଜି ପିଛା ୬୮,୧୧୩ ଟଙ୍କା ବଢିଛି।

Scroll to Top