ସୁଦାନରେ ଓଡ଼ିଆ ଯୁବକଙ୍କୁ ଅପହରଣ, ଉଦ୍ଧାର ପାଇଁ ପରିବାର ଲୋକଙ୍କ ଆକୁଳ ନିବେଦନ
Published By: Chikun – Prameya-News7 Bureau | November 03, 2025 10:55 PM
NEWS7
ଜଗତସିଂହପୁର: ସୁଦାନରେ ଓଡ଼ିଆ ଯୁବକଙ୍କୁ ଅପହରଣ ଅଭିଯୋଗ। ଗୃହ ଯୁଦ୍ଧରେ ସାମିଲ ବିଦ୍ରୋହୀଙ୍କ ଦ୍ୱାରା ଅପହରଣ କରାଯାଇଥିବା ଅଭିଯୋଗ କରିଛନ୍ତି ଅପହୃତ ଯୁବକଙ୍କ ପରିବାର ଲୋକେ। ଅପହୃତ ଯୁବକ ଜଗତସିଂହପୁର ଜିଲା କୋଟକଣା ଗାଁର ଆଦର୍ଶ ବେହେରା।
ସୂଚନା ଅନୁସାରେ, ସେ ତିନି ବର୍ଷ ହେଲା ସୁଦାନର ଦର୍ଫୁର ଷ୍ଟେଟ ଅଲ ଫାସିରଠାରେ ଥିବା ଏକ ଘରୋଇ କମ୍ପାନିରେ କାମ କରୁଥିଲେ। ଗୃହ ଯୁଦ୍ଧକୁ ନେଇ ଗତ କିଛି ଦିନ ହେବ କମ୍ପାନି ବନ୍ଦ ରହିଥିବାବେଳେ ସପ୍ତାହେ ତଳେ କମ୍ପାନି ମାଲିକଙ୍କ ଅନୁରୋଧ କ୍ରମେ ସେ କାର୍ଯ୍ୟାଳୟକୁ ଯାଇଥିବାବେଳେ ବିଦ୍ରୋହୀ ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରି ନେଇଥିବାର ଜଣାଯାଇଛି ।
ଏହି ବାବଦରେ ଅପହରଣକାରୀମାନେ ଏକ ଭିଡିଓ ଜାରି କରିଛନ୍ତି। ଅପହୃତ ଯୁବକଙ୍କର ମଧ୍ୟ ହିନ୍ଦୀରେ ଏକ ଅଡିଓ ତାଙ୍କ ଘରକୁ ପଠାଇଛନ୍ତି। ହେଲେ ତାଙ୍କର ଆଉ ଅନ୍ୟ କୌଣସି ସନ୍ଧାନ ମିଳିପାରିନାହିଁ। ଏମିତିରେ ପୁଅ ଅପହରଣ ଖବର ପାଇବା ପରେ ବାପା ମାଆ ଭାଙ୍ଗି ପଡ଼ିଥିବାବେଳେ ଆଦର୍ଶଙ୍କ ପତ୍ନୀ ଏବଂ ସନ୍ତାନ ମଧ୍ୟ ଭୟ ଆଶଙ୍କା ଭିତରେ ରହିଛନ୍ତି। ପୁଅର ଉଦ୍ଧାର ନିମନ୍ତେ ବାପା ମାଆ ସରକାରଙ୍କୁ ଆକୁଳ ନିବେଦନ କରିଥିବାବେଳେ ଏ ବାବଦରେ ସେଠାରେ ଥିବା ଭାରତୀୟ ଆମ୍ବାସୀଙ୍କୁ ମଧ୍ୟ ଅବଗତ କରାଯାଇଥିବା ଜଣାପଡ଼ିଛି।




