ନୂଆଦିଲ୍ଲୀ ୨୭।୧୦; ଲୋକପ୍ରିୟ ୟୁଟ୍ୟୁବର ଭୁବନ ବାମ ଖୁବ୍ ଶୀଘ୍ର ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କୁ କରନ୍ ଜୋହରଙ୍କ ଧର୍ମା ପ୍ରଡକସନ୍ର ରୋମାଣ୍ଟିକ୍ କମେଡି ‘କୁକୁ କି କୁଣ୍ଡଲି’ରେ ଦେଖିବାକୁ ମିଳିବ । ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ଜରିଆରେ ଭୁବନ ଏହି ସୂଚନା ଦେଇଛନ୍ତି । ସେହି ପୋଷ୍ଟରେ ନିକଟରେ ଧର୍ମା ପ୍ରଡକସନ୍ ସହ ଫିଲ୍ମ ଲାଗି ସେ ସାଇନ୍ କରିଥିବା କଣ୍ଟ୍ରାକ୍ଟର ଫଟୋ ରହିଛି । କ୍ୟାପସନ୍ରେ ଭୁବନ ଲେଖିଛନ୍ତି, ବନ୍ଧୁମାନେ ସ୍ୱପ୍ନ ଦେଖନ୍ତୁ । ସ୍ୱପ୍ନ ପୂରା ହୋଇଥାଏ । ଏଥିସହ ପ୍ରଶଂସକଙ୍କ ଅଜସ୍ର ଭଲପାଇବା ଲାଗି ସେମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।
‘କୁକୁ କି କୁଣ୍ଡଲି’ରେ ଭୁବନଙ୍କ ସହ ଅଭିନେତ୍ରୀ ୱାମିକା ଗବ୍ୱି ନଜର ଆସିବେ । ନିର୍ଦ୍ଦେଶନା ଦାୟିତ୍ୱରେ ରହିବେ ଶରଣ ଶର୍ମା । ଏହାପୂର୍ବରୁ ଭୁବନ ଜିୟୋ ହଟଷ୍ଟାରର ସିରିଜ୍ ‘ତାଜା ଖବର’ ଜରିଆରେ ଅଭିନୟ ଜଗତରେ ପାଦ ରଖିଥିଲେ । ‘କୁକୁ କି କୁଣ୍ଡଲି’ ବ୍ୟତୀତ ତାଙ୍କ ହାତରେ ଆମାଜନ୍ ପ୍ରାଇମ୍ ଭିଡିଓର ଅପକମିଂ ୱେବ୍ସିରିଜ୍ ‘ଦ ରିଭୋଲ୍ୟୁଶନାରିଜ୍’ ମଧ୍ୟ ରହିଛି । ସେହି ୱେବ୍ସିରିଜ୍ ଆସନ୍ତାବର୍ଷ ରିଲିଜ୍ ହେବ ।
‘ଦ ରିଭୋଲ୍ୟୁଶନାରିଜ୍’ରେ ଭୁବନଙ୍କ ସହ ରୋହିତ ସରାଫ୍, ‘ଲାପତା ଲେଡିଜ୍’ ଫେମ୍ ପ୍ରତିଭା ରାଣ୍ଟା, ଜେସନ୍ ଶାହ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ୩୧ ବର୍ଷୀୟ ଭୁବନ ବାମ ୨୦୧୫ରେ ନିଜର ୟୁଟ୍ୟୁବ୍ ଚ୍ୟାନେଲ ‘ବିବି କି ଭାଇନ୍ସ’ ଆରମ୍ଭ କରିଥିଲେ । ଏକ ଛୋଟ ରୁମ୍ରେ ମୋବାଇଲ୍ ଫୋନ୍ ସାହାଯ୍ୟରେ ଭିଡିଓ ରେକର୍ଡ କରୁଥିଲେ । ଭିଡିଓଗୁଡିକରେ ତାଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳୁଥିଲା । ୟୁଟ୍ୟୁବ୍ରେ ଲୋକପ୍ରିୟତା ବଢ଼ିବା ପରେ ୨୦୧୬ରେ ସେ ମ୍ୟୁଜିକ୍ ଭିଡିଓ ‘ତେରି ମେରି କାହାନୀ’ ଲଞ୍ଚ କରିଥିଲେ । ସେହି ଭିଡିଓରେ ସେ ନିଜ ଗୀତ ଗାଇଥିଲେ । ଏହାପରେ ତାଙ୍କୁ ଦିବ୍ୟା ଦତ୍ତାଙ୍କ ସହ ଏକ ଶର୍ଟ ଫିଲ୍ମ ‘ପ୍ଲସ ମାଇନସ୍’ରେ କାଷ୍ଟ କରାଯାଇଥିଲା । ସେହି ଫିଲ୍ମ ଲାଗି ତାଙ୍କୁ ଫିଲ୍ମଫେୟାର ପୁରସ୍କାର ମଧ୍ୟ ମିଳିଥିଲା ।




