ସମ୍ ଅଲ୍ଟିମେଟ୍‌ରୁ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା; ଶୁଭେଚ୍ଛା ପାଇଁ ଦେଲେ ଧନ୍ୟବାଦ, କହିଲେ- ମୋତେ ନବୀନ ନିବାସରେ ଭେଟିପାରିବେ

ସମ୍-ଅଲ୍ଟିମେଟ୍‌ରୁ-ନବୀନ-ପଟ୍ଟନାୟକଙ୍କ-ବାର୍ତ୍ତା;-ଶୁଭେଚ୍ଛା-ପାଇଁ-ଦେଲେ-ଧନ୍ୟବାଦ,-କହିଲେ-ମୋତେ-ନବୀନ-ନିବାସରେ-ଭେଟିପାରିବେ

ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରବିବାର ସନ୍ଧ୍ୟାରେ ଅସୁସ୍ଥତା କାରଣରୁ ଭୁବନେଶ୍ବର ସମ୍ ଅଲ୍ଟିମେଟ ମେଡିକେୟାରରେ ଭର୍ତ୍ତି ହୋଇଥିଲେ। ତେବେ ସୋମବାର ତାଙ୍କୁ ଅବଜରଭେସନ୍ ରୁମ୍‌ରୁ କ୍ୟାବିନ୍‌କୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସମ୍ମମ ପକ୍ଷରୁ ମେଡିକାଲ୍ ବୁଲେଟିନ୍‌ରେ କୁହାଯାଇଛି।

ଏକ ନୂଆ ଭିଡିଓ ନବୀନ ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ନବୀନ କହିଛନ୍ତି ‘ମୁଁ ସମ୍ ଅଲ୍ଟିମେଟରେ ଚିକିତ୍ସିତ ହେଉଛି। ଡାକ୍ତର, କର୍ମଚାରୀ ଉତ୍ତମ ଯତ୍ନ ନେଉଛନ୍ତି। ମୋତେ ଭେଟିବାକୁ ଚାହୁଥିଲେ ନବୀନ ନିବାସରେ ଭେଟିପାରିବେ।’’

ସୂଚନାଥାଉକି, ଡିହାଇଡ୍ରେସନ ହେତୁ ରବିବାର ସନ୍ଧ୍ୟା ୫ଟା ୧୫ ମିନିଟ୍‌ରେ ନବୀନଙ୍କୁ ସମ୍ ଅଲ୍ଟିମେଟ୍ ମେଡିକେୟାର୍ରେ ଭର୍ତ୍ତି କରାଯାଇଥିଲା। ନବୀନଙ୍କ ଅସୁସ୍ଥ ଖବର ଆସିବା ପରେ ଦଳୀୟ ନେତା ଓ କର୍ମୀମାନେ ତାଙ୍କ ସୁସ୍ଥ କାମନା କରିଥିଲେ। ରାଜ୍ୟପାଳ ହରିବାବୁ କମ୍ଭମପାଟି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ନବୀନଙ୍କ ସ୍ଵାସ୍ଥ୍ୟ ଖରାପ ଶୁଣିବା ପରେ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ଏକାମ୍ର ବିଧାୟକ ବାବୁ ସିଂ ମେଡିକାଲରେ ପହଞ୍ଚି ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। 

ପୂର୍ବରୁ ସର୍ଭାଇକାଲ୍ ଆର୍ଥରାଇଟିସ୍‌ର ଚିକିତ୍ସା ପାଇଁ ଜୁନ ୨୦ ତାରିଖରେ ମୁମ୍ବାଇ ଯାଇଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମୁମ୍ବାଇ ସ୍ଥିତ କୋକିଳା ବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ଜୁନ ୨୨ରେ ତାଙ୍କର ସର୍ଭାଇକାଲ୍ ଆର୍ଥରାଇଟିସ୍‌ର ସଫଳ ଅସ୍ତ୍ରୋପଚାର ହୋଇଥିଲା। ମେଡିକାଲ୍‌ରେ ଅବଜରଭେସନରେ ରହିବା ପରେ ଜୁଲାଇ ୭ରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ମେଡିକାଲରେ ଥିବା ସମୟରେ ବିଜେଡିର ଏକ ଟିମ୍ ତାଙ୍କୁ ଦେଖିବା ପାଇଁ ମୁମ୍ବାଇ ଯାତ୍ରା କରିଥିଲେ। ଏହା ପରେ ଜୁଲାଇ ୧୨ରେ ଭୁବନେଶ୍ଵର ଫେରିଥିଲେ।

Scroll to Top