ସମ୍ଭାବ୍ୟ ବାତ୍ୟାକୁ ନେଇ ୧୪ ଜିଲ୍ଲାର ଜଳ ସମ୍ପଦ ବିଭାଗ ଅଧିକାରୀଙ୍କ ଛୁଟି ବାତିଲ, ଜଳଭଣ୍ଡାର ଉପରେ ରହିଛି ନଜର
Published By: Ruby – Prameya-News7 Bureau | October 26, 2025 01:18 PM
NEWS7
ଭୁବନେଶ୍ବର ୨୬।୧୦: ଗଭୀର ଅବପାତରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ସକାଳ ସାଢେ ୫ଟାରେ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଆନ୍ଧ୍ରପ୍ରଦେଶର କିଛି ଜିଲ୍ଲା ପାଇଁ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳ ସମେତ ଦକ୍ଷିଣ ଓଡ଼ିଶା ପାଇଁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଓଡ଼ିଶାକୁ ୨୮ ଓ ୨୯ ତାରିଖ ପାଇଁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।
ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ୧୪ଟି ଜିଲ୍ଲାର ଜଳ ସମ୍ପଦ ବିଭାଗର ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଏ ନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇଛନ୍ତି । IMD ଆକଳନ କରିଛି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ ଲଘୁଚାପ । ୨୮ ଓ ୨୯ ରାତିରେ ଲ୍ୟାଣ୍ଡଫଲ୍ କରି ମାଲକାନଗିରି ଜିଲ୍ଲା ଦେଇ ଯିବ । ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ପ୍ରଭାବିତ ହେବ । ପ୍ରବଳରୁ ଅତି ପ୍ରବଳ ବର୍ଷା ବି ହେବ । ବାତ୍ୟାର ସମ୍ଭାବ୍ୟ ସ୍ଥିତିକୁ ଦେଖି ଜଳଭଣ୍ଡାର ଉପରେ ନଜର ରଖାଯାଇଛି । ଆବଶ୍ୟକ ସ୍ଥଳେ ଜଳଭଣ୍ଡାରରୁ ଜଳ ନିଷ୍କାସନ ହେବ । ଗଜପତି ଜିଲ୍ଲାର ହରଭଙ୍ଗୀ ଜଳଭଣ୍ଡାର ଓ ରାୟଗଡା ଜିଲ୍ଲାର ବଡ଼ନଳାର ଜଳଧାରଣକୁ ଖସାଇ ୯୦% କୁ ଅଣାଯାଇଛି । ଆବଶ୍ୟକ ପଡିଲେ ଆହୁରି ଖାଲି ହେବ । ପ୍ରଭାବିତ ଆଶଙ୍କା ଜିଲ୍ଲାରେ ସରକାରୀ ଅଧିକାରୀଙ୍କ ଛୁଟି ୩୦ ତାରିଖ ଯାଏଁ ବାତିଲ କରାଯାଇଛି । ଜଳଭଣ୍ଡାର ସ୍ଥିତି ନେଇ ପୁଣି ସମୀକ୍ଷା ହେବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।




