ଶ୍ରେୟାଙ୍କ ଶୋ’ରେ ଠେଲାପେଲା ଓ ଦଳାଚକଟା ପରିସ୍ଥିତି, ଜଣେ ମହିଳାଙ୍କ ସମେତ ଦୁଇ ଆହତ
Published By: Sangita – Prameya-News7 Bureau | November 13, 2025 08:17 PM
NEWS7
କଟକ: ଆଜି ହେଉଛି ଐତିହାସିକ ବାଲିଯାତ୍ରାର ଶେଷ ଦିନ। ଉଦଯାପନୀ ଦିବସରେ ମୁଖ୍ୟ ଆକର୍ଷଣ ପାଲଟିଛନ୍ତି ବଲିଉଡର ଖ୍ୟାତାନାମା ଗାୟିକା ଶ୍ରେୟା ଘୋଷାଲ। ତାଙ୍କର ଶୋ ଦେଖିବା ପାଇଁ ଏବଂ ତାଙ୍କର ଝଲକ ଟିକେ ପାଇବା ପାଇଁ ଲୋକାରଣ୍ୟ ହୋଇ ଉଠିଛି ବାଲିଯାତ୍ରା ପଡ଼ିଆ। ପ୍ରବଳ ଭିଡ଼ କାରଣରୁ ବାଲିଯାତ୍ରାରେ ଠେଲାପେଲା ଓ ଦଳାଚକଟା ପରିସ୍ଥିତି ଉପୁଜିଛି। ଏଥିରେ ଜଣେ ମହିଳା ସମେତ ଦୁଇ ଜଣ ଆହତ ହୋଇଛନ୍ତି। ଏହାକୁ ନେଇ ପୋଲିସ ଓ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି।
କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ପାଇଁ ରଣକ୍ଷେତ୍ର ପାଲଟିଲା ବାଲିଯାତ୍ରା ପଡ଼ିଆ। ଶ୍ରେୟାଙ୍କ ଶୋ’ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିବା ବେଳେ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସ ବ୍ୟାରିକେଡ୍ ଯୋଗୁଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଣା ପଡ଼ିଛି। ଦଳାଚକଟାରେ ଜଣେ ମହିଳା ସମେତ ଦୁଇ ଜଣ ଆହତ ହୋଇଛନ୍ତି। ସଙ୍ଗେ ସଙ୍ଗେ ଉଦ୍ଧାର କରି ଚିକିତ୍ସା ପାଇଁ ସହାୟତା କେନ୍ଦ୍ରକୁ ନିଆଯାଇଛି।
ପରିସ୍ଥିତି ଏମିତି ହୋଇଛି ଯେ, ପୋଲିସ ସହିତ ଲୋକଙ୍କ ହାତାହାତି ହୋଇଛି। ବ୍ୟାରିକେଡ୍ ଭାଙ୍ଗିବାକୁ ଲୋକମାନେ ଚେଷ୍ଟା ବି କରିଛନ୍ତି। ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସ୍ କୁ ଲାଠି ଚାଳନା କରିବାକୁ ପଡ଼ିଛି।




