ମୁମ୍ବାଇ ୨୭।୧୦ : ଟିମ୍ ଇଣ୍ଡିଆ ପାଇଁ ଟେନ୍ସନ । ଆଇସିୟୁରେ ଶ୍ରେୟସ ଆୟର । ଟିମ୍ ଇଣ୍ଡିଆର ଉପ-ଅଧିନାୟକ ତଥା ମିଡିଲ ଅର୍ଡର ବ୍ୟାଟସମ୍ୟାନ୍ ଶ୍ରେୟସ ଆୟର ମେଡିକାଲ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଅଷ୍ଟ୍ରେଲିଆ ସ୍ଥିତ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍ ବେଳେ ଆହତ ହୋଇଥିଲା ଶ୍ରେୟସ। ଆଉ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ଖେଳିବା ନେଇ ସନ୍ଦେହ ଉପୁଜିଛି
ନିକଟରେ ଅଷ୍ଟ୍ରେଲିଆ-ଭାରତ ମଧ୍ୟରେ ଦିନିକିଆ ସିରିଜ୍ ସରିଛି । ଯେଉଁଥିରେ ତୃତୀୟ ଦିନିକିଆର ମ୍ୟାଚ୍ ବେଳେ ଏକ କ୍ୟାଚ୍ ଧରିବାକୁ ଯାଇ ଆହତ ହୋଇଥିଲେ ଉପ-ଅଧିନାୟକ ଶ୍ରେୟସ ଆୟର । ଏପିରିକି ସେ କ୍ୟାଚ ଧରିବା ବେଳେ ଛାତି ଭୂଇଁରେ ମାଡ଼ ହୋଇଥିଲା । ଯାହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ପଡ଼ିଆରୁ ବାହାରକୁ ନିଆଯାଇଥିଲା । ଆଉ ଏବେ ତାଙ୍କୁ ସିଡ୍ନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶ୍ରେୟସଙ୍କ ଅବସ୍ଥା ଗୁରୁତର ଥିବାରୁ ବର୍ତ୍ତମାନ ତାଙ୍କୁ ଆଇସିୟୁ ରଖାଯାଇଛି । ସେଠାରେ ୨ରୁ ୭ ଦିନ ରଖାଯିବ । ଡାକ୍ତରୀ ଟିମ୍ ଲଗାତର ଭାବେ ଶ୍ରେୟସଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୧୭ରେ ଦିନିକିଆ କ୍ରିକେଟ୍ରେ ଡେବ୍ୟୁ କରିଥିଲେ ଶ୍ରେୟସ ଆୟର । ବର୍ତ୍ତମାନ ଯାଏ ସେ ୭୩ଟି ଦିନିକିଆ ମ୍ୟାଚ୍ ଖେଳି ୨୯୧୭ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର ରହିଛି ୧୨୮ ରନ୍ । ଦିନିକିଆରେ ଶ୍ରେୟସଙ୍କ ନାଁରେ ୨୩ଟି ଅର୍ଦ୍ଧଶତକ ଓ ୫ଟି ଶତକ ରହିଛି । ସେହିପରି ୨୦୨୧ ମସିହାରେ ଟେଷ୍ଟ କ୍ରିକେଟ୍ରେ ଡେବ୍ୟୁ କରିଥିବା ଶ୍ରେୟସ ବର୍ତ୍ତମାନ ଯାଏଁ ୧୪ଟି ମ୍ୟାଚ୍ ଖେଳିଛନ୍ତି । ମୋଟ ୮୧୧ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର ରହିଛି ୧୦୫ । ଟେଷ୍ଟ କ୍ୟାରିୟରରେ ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ରହିଛି । ସେହିପରି ୨୦୧୭ରେ ଟି-୨୦ କ୍ରିକେଟ୍ରେ ଡେବ୍ୟୁ କରିଥିବା ଶ୍ରେୟସ ବର୍ତ୍ତମାନ ଯାଏ ୫୧ଟି ମ୍ୟାଚ୍ ଖେଳିସାରିଛନ୍ତି । ଯେଉଁଥିରେ ସେ ୧୧୦୪ ରନ୍ ସଂଗ୍ରହ କରିଛନ୍ତି । ଟି-୨୦ କ୍ରିକେଟ୍ରେ ଶ୍ରେୟସଙ୍କ ସର୍ବାଧକ ସ୍କୋର ରହିଛି ୭୪ । ତେବେ ଟି-୨୦ କ୍ରିକେଟ୍ରେ ବର୍ତ୍ତମାନ ଯାଏ ଶ୍ରେୟସ ୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।




