ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଣଭୋଜି ବେଶ ନୀତି, ବଡ଼ଦେଉଳରେ ସ୍ୱତନ୍ତ୍ର ନୀତିକାନ୍ତି
Published By : Prameya-News7 Bureau | August 18, 2025 IST

ପୁରୀ ୧୮।୦୮ : ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳାର ଆଜି ଦଶମୀ ତିଥିରେ ମହାପ୍ରଭୁଙ୍କ ବଣଭୋଜି ବେଶ ଅନୁଷ୍ଠିତ ହେବ। ଗୋପଲୀଳା ସମୟରେ ପ୍ରଭୁ ଶ୍ରୀକୃଷ୍ଣ ଓ ବଳରାମ ଗାଇ ବାଛୁରୀଙ୍କୁ ସାଙ୍ଗରେ ଧରି ବଣଭୋଜି ପାଇଁ ଯାଇଥିବାର ପୁରାଣରେ ବର୍ଣ୍ଣିତ ରହିଛି। ଏହି ପରମ୍ପରାକୁ ସ୍ମରଣ କରି ଭାଦ୍ରବ କୃଷ୍ଣ ଦଶମୀ ତିଥିରେ ମହାପ୍ରଭୁଙ୍କୁ ଏହି ବେଶ କରାଯାଇଥାଏ।
ସୋମବାର ମଧ୍ୟାହ୍ନ ଧୂପ ପରେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ବଳଭଦ୍ରଙ୍କ ଠାରୁ ଆଜ୍ଞାମାଳ ଅଣାଯାଇ ଦକ୍ଷିଣ ଦ୍ୱାରରେ ଥିବା ରାମକୃଷ୍ଣଙ୍କୁ ପ୍ରଦାନ କରାଯାଏ। ପରେ ପରେ ରାମକୃଷ୍ଣ ପାଲିଙ୍କିରେ ବିଜେ କରି ବଡ଼ଛତା ନିକଟରେ କୋଳି ବିକା ନୀତି ସମ୍ପନ୍ନ କରିବା ପରେ ସନ୍ଧ୍ୟା ଧୂପରେ ବଣଭୋଜି ବେଶ ସହ ଅର୍ଘାସୁର ଓ ବକାସୁର ବଦ୍ଧ ନୀତି ଅନୁଷ୍ଠିତ ହୋଇଥାଏ। ଏହି ବେଶରେ ମହାପ୍ରଭୁଙ୍କୁ ବିଭିନ୍ନ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାର ଲାଗି କରାଯିବ ସହ ମସ୍ତକରେ ସୋଲ, ବେତରେ ତିଆରି ସ୍ୱର୍ଣ୍ଣ କିଆ ଖୋସା ଯାଇଥାଏ। ଏହାଛଡ଼ା ରତ୍ନ ସିଂହାସନ ଉପରେ ଦୁଇଟି ଲେଖାଏଁ କାଠ ନିର୍ମିତ ଗାଇ ବାଛୁରୀ ଦଣ୍ତାୟମାନ ଅବସ୍ଥାରେ ରଖାଯାଇଥାଏ। ଆଜି ବନଭୋଜି ବେଶ ଅନୁଷ୍ଠିତ ହେଉଥିବା ବେଳେ ଆସନ୍ତାକାଲି (ମଙ୍ଗଳବାର) କାଳୀୟଦଳନ ବେଶ ଓ ପହରଦିନ ପ୍ରଳମ୍ୱାଶୁର ବଧ ବେଶ ଓ ତ୍ରୟୋଦଶୀ ତିଥିରେ କୃଷ୍ଣବଳରାମ ବେଶରେ ମହାପ୍ରଭୁ ଦର୍ଶନ ଦେବାର ପରମ୍ପରା ରହିଛି। ଏହି ବେଶ ଦର୍ଶନ କଲେ ପୁନର୍ଜନ୍ମ ମିଳିନଥାଏ ବୋଲି ବିଶ୍ୱାସ ରହିଛି।
ସମ୍ବନ୍ଧିତ ଖବର







